ଆକାଶଦୀପ୍‌ ଦୁଇଟି ମ୍ୟାଚ୍‌ରୁ ବାସନ୍ଦ ଆଶଙ୍କା

ଭୁବନେଶ୍ବର: ଗୁରୁବାର ନେଦରଲାଣ୍ଡ ବିପକ୍ଷ କ୍ବାର୍ଟର ଫାଇନାଲ୍ ମ୍ୟାଚ୍‌ରେ ପ୍ରତିପକ୍ଷ ଖେଳାଳିଙ୍କୁ ଆଶାଳୀନ ବ୍ୟବହାର କରିବା ସହ ସେମାନଙ୍କୁ ଆପତ୍ତିଜନକ ଅଙ୍ଗଭଙ୍ଗୀ ପ୍ରଦଶର୍ନ କରିବା ଅଭିଯୋଗରେ ଭାରତୀୟ ଯୁବ ହକି ତାରକା ଆକାଶଦୀପ ସିଂହ ଅନ୍ୟୁନ ଦୁଇଟି ମ୍ୟାଚ୍‌ରୁ ବାସନ୍ଦ ହେବାର ଆଶଙ୍କା ଦେଖାଦେଇଛି। ବିଶ୍ବକପ୍‌ରେ ଭାରତର ଅଭିଯାନ ଶେଷ ହୋଇ ସାରିଥିବାରୁ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ)ର ବୈଷୟିକ ପ୍ରତିନିଧି ମଣ୍ଡଳ ଆକାଶଦୀପ୍‌ଙ୍କ ମାମଲାକୁ ମହାସଂଘର ଶୃଙ୍ଖଳା କମିସନରଙ୍କ ପାଖକୁ ପଠାଇ ଦେଇଛି। ତା’ ସହ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିସ କରିଛି। ଭାରତ ବିଶ୍ବକପ୍‌ରେ ଥିଲେ ଆକାଶଦୀପଙ୍କୁ ପରବର୍ତୀ ମ୍ୟାଚ୍‌ଗୁଡ଼ିକରୁ ବାସନ୍ଦା କରାଯାଇ ଥାଆନ୍ତା ବୋଲି ବୈଷୟିକ ମଣ୍ଡଳି କହିଛି। ସେହିଭଳି ଏଫ୍‌ଆଇଏଚ୍‌ର ପରବର୍ତୀ ପ୍ରତିଯୋଗିତା ଅର୍ଥାତ୍ ଏଫ୍‌ଆଇଏଚ୍ ସିରିଜ୍ ଫାଇନାଲ୍ସର କେତେକ ମ୍ୟାଚ୍‌ରୁ ଆକାଶଦୀପ୍‌ଙ୍କୁ ବାସନ୍ଦ କରିବାକୁ ଶୃଙ୍ଖଳା କମିସନରଙ୍କୁ ଆହ୍ବାନ କରିଛି। ଏହି ପ୍ରତିଯୋଗିତାରେ କେବଳ ଆକାଶଦୀପ୍‌ଙ୍କୁ ବାସନ୍ଦ କରାଯିବ କିମ୍ବା ଭାରତର ଚୂଡ଼ାନ୍ତ ଦଳର ଖେଳାଳି ସଂଖ୍ୟାରେ ଅଙ୍କୁଶ ଲଗାଯିବ, ସେ ନିଷ୍ପତ୍ତି ଏଫ୍‌ଆଇଏଚ୍ ଶୃଙ୍ଖଳା କମିସନର ନେବେ।

ସମ୍ବନ୍ଧିତ ଖବର