ମୁହଁ ଖୋଲିଲେ ଆଲିସ୍‌ବା : ଦୁବାଇ ହୋଟେଲରେ ସାମିଙ୍କୁ ଭେଟିଥିଲି

ଟଙ୍କା ନେଣ ଦେଣ ଓ ଫିକ୍ସିଂ ଅଭିଯୋଗକୁ ଖଣ୍ଡନ:ମହମ୍ମଦ ଭାଇଙ୍କୁ ଚିହ୍ନିନି କି ଜାଣିନି

ସାମିଙ୍କ ପତ୍ନୀ ହସିନ ଜାହାଁ ନିଜ ଫେସ୍‌ବୁକ୍‌ ପୃଷ୍ଠାରେ ପ୍ରକାଶ କରିଥିବା ଆଲିସ୍‌ବାଙ୍କ ଫଟୋ
ଦୁବାଇ  : ଭାରତୀୟ କ୍ରିକେଟର ମହମ୍ମଦ ସାମି ଏବଂ ତାଙ୍କ ପତ୍ନୀ ହସିନ ଜାହାଁଙ୍କ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାଁ ନେଉନାହିଁ। ବିବାଦର ପ୍ରମୁଖ କାରଣ ତଥା ରହସ୍ୟମୟୀ ପାକିସ୍ତାନୀ ଝିଅ ଆଲିସ୍‌ବା ସୋମବାର ଏହି ମାମଲାରେ ପ୍ରଥମ ଥର ପାଇଁ ମୁହଁ ଖୋଲିବା ପରେ ପତି-ପତ୍ନୀ ବିବାଦ ପୁଣି ଥରେ ଚର୍ଚାକୁ ଆସି ଯାଇଛି। ଆଲିସ୍‌ବାଙ୍କ ସହ ସାମି ଅବୈଧ ସଂପର୍କ ରଖିଛନ୍ତି ବୋଲି ହସିନ୍‌ ଅଭିଯୋଗ ଆଣିଥିଲା ବେଳେ ଆଲିସ୍‌ବା ଆଜି ଦେଇଥିବା ବୟାନରେ ଏହାକୁ ସିଧାସଳଖ ଖଣ୍ଡନ କରିଛନ୍ତି। ତେବେ ସାମିଙ୍କୁ ଦୁବାଇର ଏକ ହୋଟେଲରେ ସାକ୍ଷାତ କରିଥିବା ସେ ସ୍ୱୀକାର କରିଛନ୍ତି। ସେହିଭଳି ସାମିଙ୍କ ବିରୋଧରେ ଆସିଥିବା ମ୍ୟାଚ୍‌ ଫିକ୍ସିଂ ଅଭିଯୋଗ ଏବଂ ଉଭୟଙ୍କ ମଧ୍ୟରେ ହୋଇଥିବା ଆର୍ଥିକ ନେଣ ଦେଣ ଖବରକୁ ମଧ୍ୟ ଆଲିସ୍‌ବା ଦୃଢ଼ ହସ୍ତରେ ଖଣ୍ଡନ କରିଛନ୍ତି। ନିଜକୁ ସେ ସାମିଙ୍କର ଜଣେ ପ୍ରଶଂସିକା ଭାବେ ବର୍ଣ୍ଣନା କରିଛନ୍ତି। ଆଲିସବା କହିଛନ୍ତି ସାମି ମୋର ଜଣେ ଭଲ ବନ୍ଧୁ। ମୁଁ ତାଙ୍କୁ ବହୁତ ସମ୍ମାନ କରେ। ଦୁବାଇରେ ମୋ ଭଉଣୀ ରହୁଥିବାରୁ ମୁଁ ଅନେକ ବାର ସେଠାକୁ ଯିବାଆସିବା କରେ।

ସାମି ଦକ୍ଷିଣ ଆଫ୍ରିକା ଗସ୍ତରୁ ଫେରିଲା ବେଳେ ଦୁବାଇ ଦେଇ ଭାରତ ଯିବେ ବୋଲି ଜାଣିବାକୁ ପାଇଲି। ସେଥିପାଇଁ ମୋତେ ଭେଟିବାକୁ ତାଙ୍କୁ ଅନୁରୋଧ କରିଥିଲି। ସାମି ପ୍ରଥମେ ଅରାଜି ଥିଲେ ମଧ୍ୟ ପରେ ଏଥିଲାଗି ରାଜି ହୋଇ ଯାଇଥିଲେ। ଆମେ ସେଦିନ ସକାଳ ୯ଟାରେ ଦୁବାଇର ଏକ ହୋଟେଲରେ ଘଣ୍ଟାକ ପାଇଁ ପରସ୍ପରକୁ ଭେଟିଥିଲୁ। ଜଳଖିଆ ଖାଇ ନିଜ ନିଜ ବାଟରେ ଚାଲି ଯାଇଥିଲୁ। ଜଣେ ପ୍ରଶଂସକ ଏବଂ ତା’ ପସନ୍ଦର କ୍ରିକେଟ୍‌ ତାରକାଙ୍କ ମଧ୍ୟରେ ଏହା କେବଳ ଏକ ସୌଜନ୍ୟମୂଳକ ସାକ୍ଷତକାର ଥିଲା। ତେବେ ସାମିଙ୍କ ସଂପର୍କରେ ସେ ଗତବର୍ଷ ଲଣ୍ଡନରେ ଆୟୋଜିତ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ ପରଠାରୁ ଆସିଥିଲେ ବୋଲି ଆଲିସ୍‌ବା ସୂଚନା ଦେଇଛନ୍ତି। ଏଥିନେଇ ସେ କହିଛନ୍ତି ଯେ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନଠାରୁ ଭାରତର ଅପ୍ରତ୍ୟାଶିତ ପରାଜୟ ପରଠାରୁ ମୁଁ ସାମିଙ୍କୁ ଇନଷ୍ଟାଗ୍ରାମରେ ଅନୁସରଣ କରୁଥିଲି। ତାଙ୍କୁ ମେସେଜ୍‌ ପଠାଉଥିଲି।

ହେଲେ ଏହାର କୌଣସି ଉତ୍ତର ମୋତେ ମିଳୁ ନଥିଲା। ଇଦ୍‌ରେ କିନ୍ତୁ ସାମି ମୋ ଅଭିନନ୍ଦନ ବାର୍ତାର ପ୍ରତିଉତ୍ତର ଦେଇଥିଲେ। ଗତ ଜୁନ୍‌ ମାସରେ ହିଁ ଆମ ଭିତରେ ବନ୍ଧୁତା ଆରମ୍ଭ ହୋଇଥିଲା। ସାମିଙ୍କ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ମଧ୍ୟରୁ ମୁଁ ଜଣେ। ୟା ଠାରୁ ଅଧିକ କିଛି ନୁହେଁ। ଆଲିସବା କିନ୍ତୁ ସାମି କହିଥିବା ମହମ୍ମଦ ଭାଇଙ୍କୁ ଆଦୌ ଜାଣି ନଥିବା ସ୍ପଷ୍ଟ କରି ଦେଇଛନ୍ତି। ମହମ୍ମଦ ଭାଇ ପଠାଇଥିବା ଟଙ୍କା ଦୁବାଇ ବିମାନବନ୍ଦରରେ ଆଲିସ୍‌ବାଙ୍କଠାରୁ ନେବା ଲାଗି ତାଙ୍କୁ ସେଠାରେ ଭେଟିଥିଲେ ବୋଲି ପୂର୍ବରୁ ସାମି କହିଥିଲେ। ହେଲେ ଆଲିସ୍‌ବା ଭିନ୍ନ ମତ ପୋଷଣ କରିବା ପରେ କିଏ ସତ ଏବଂ କିଏ ମିଛ କହୁଛି ତାହା ଅନୁମାନ କରିବା ଏକବାର କଷ୍ଟକର ହୋଇ ଯାଇଛି । ଆଲିସ୍‌ବା ଏଥିନେଇ କହିଛନ୍ତି ଯେ ମୁଁ ବ୍ୟକ୍ତିଗତ ଭାବେ ମହମ୍ମଦ ଭାଇଙ୍କୁ ଜାଣି ନାହିଁ। ତାଙ୍କ ସହ ମୋର କୌଣସି ସଂପର୍କ ନାହିଁ। ଆମ ଭିତରେ ଟଙ୍କା ଦିଆ ନିଆ ହୋଇ ନଥିଲା। ସାମି କେବେବି ମିଛ କୁହନ୍ତି ନାହିଁ। ସେ ତାଙ୍କ ଦେଶ ସହ କେମିତି ବିଶ୍ୱାସ ଘାତକତା କରିପାରିବେ?

ସମ୍ବନ୍ଧିତ ଖବର