ସର୍ବଭାରତୀୟ ବନ କ୍ରୀଡ଼ା: ଓଡ଼ିଶା ହକି, ବ୍ରିଜ୍‌ ଯୋଡ଼ିକୁ ସ୍ବର୍ଣ୍ଣ

ଭୁବନେଶ୍ବର: ଚଳିତ ସର୍ବଭାରତୀୟ ବନ କ୍ରୀଡ଼ାରେ ଓଡ଼ିଶା ହକି ଦଳ ଏବଂ ବ୍ରିଜ୍‌ ମାଷ୍ଟର ଯୋଡ଼ି ଏକେ ପଟ୍ଟନାୟକ ଓ ସୁଧୀର ତ୍ରିପାଠୀ ସ୍ବର୍ଣ୍ଣ ପଦକ ଜିତି ନେଇଛନ୍ତି। ହକି ଦଳ ଗୁରୁବାର ଫାଇନାଲ୍‌ରେ ତାମିଲନାଡ଼ୁକୁ ୩-୧ (୩-୩) ସୁଟ୍‌ଆଉଟ୍‌ କରିଥିଲା। ଏହି ଦୁଇ ସ୍ବର୍ଣ୍ଣ ସହ ଓଡ଼ିଶାକୁ ଗୁରୁବାର ୩ ରୌପ୍ୟ ଓ ୩ କାଂସ୍ୟ ପଦକ ମିଳିଛି। ପୁରୁଷ ଭେଟେରାନ ସଟ୍‌ପୁଟ୍‌ରେ ରାମଚନ୍ଦ୍ର କାଣ୍ଡି ରୌପ୍ୟ ଜିତି ନିଜ ବ୍ୟକ୍ତିଗତ ପଦକ ସଂଖ୍ୟାକୁ ୨ରେ ପହଞ୍ଚାଇଛନ୍ତି। ବୁଧବାର ସେ ‌ଡିସ୍‌କସ୍‌ରେ ରୌପ୍ୟ ଜିତିଥିଲେ। ସେହପରି ଅନ୍ୟ ଦୁଇ ରୌପ୍ୟ ପଦକ ପୁରୁଷ ଭେଟେରାନ ଜାଭଲିନ୍‌ରେ ଇନ୍ଦୁଭୂଷଣ ଭଞ୍ଜ ଓ ପୁରୁଷ ‌ଓପନ ସଟ୍‌ପୁଟ୍‌ରେ ଗୌତମ ପ୍ରଧାନ ଜିତିଥିଲେ। ସୂର୍ଯ୍ୟକାନ୍ତି ବେହେରା ମହିଳା ଭେଟେରାନ ଜାଭଲିନ୍‌ ଓ ଲମ୍ବ ଡିଆଁରେ କାଂସ୍ୟ ଜିତି ଯୁଗଳ ପଦକ କରାୟତ୍ତ କରିଥିଲେ। ୪ ଗୁଣା ୧୦୦ ରିଲେରେ ଓଡ଼ିଶା ମହିଳା ଭେଟେରାନ ଦଳ କାଂସ୍ୟ ପଦକ ଜିତିବାକୁ ସକ୍ଷମ ହୋଇଥିଲା। ପୁରୁଷ ଭେଟେରାନ ଲମ୍ବ ଡିଆଁ ଓ ଟ୍ରିପଲ୍‌ ଜମ୍ପ୍‌ରେ ଖଗେଶ୍ବର ପ୍ରଧାନ ଚତୁର୍ଥ ସ୍ଥାନରେ ରହି ପଦକରୁ ବଞ୍ଚିତ ରହିଥିଲେ। ବୁଧବାରର ୪ ଓ ଗୁରୁବାର ୮ ସହ ତୃତୀୟ ଦିନ ସୁଦ୍ଧା ଓଡ଼ିଶାର ପଦକ ସଂଖ୍ୟା ୧୨ (୩ ସ୍ବର୍ଣ୍ଣ, ୪ ରୌପ୍ୟ, ୫ କାଂସ୍ୟ)ରେ ପହଞ୍ଚିଛି। କର୍ଣ୍ଣାଟକ ୪୦ ପଦକ (୧୮ ସ୍ବର୍ଣ୍ଣ, ୧୩ ରୌପ୍ୟ, ୯ କାଂସ୍ୟ) ଶୀର୍ଷ‌ରେ ରହିଥିଲା ବେଳେ ଛତିଶଗଡ଼ ୩୯ ପଦକ (୧୭ ସ୍ବର୍ଣ୍ଣ, ୧୫ ରୌପ୍ୟ, ୭ କାଂସ୍ୟ) ଦ୍ବିତୀୟ ଏବଂ କେରଳ ୩୬ ପଦକ (୧୦ ସ୍ବର୍ଣ୍ଣ, ୧୧ ରୌପ୍ୟ, ୧୫ କାଂସ୍ୟ) ତୃତୀୟ ସ୍ଥାନରେ ରହିଛି।

ସମ୍ବନ୍ଧିତ ଖବର