ଅନୁଗୁଳରେ ରାଜ୍ୟ ଟେବୁଲ୍‌ ଟେନିସ୍‌ ପ୍ରତିଯୋଗିତା ୨୨ରୁ

ଅନୁଗୁଳ: ଆସନ୍ତା ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଅନୁଗୁଳ ଷ୍ଟାଡିୟମ୍‌ ଇଣ୍ଡୋର୍‌ ହଲ୍‌ରେ ୨୩ତମ ଅନ୍ତଃଜିଲ୍ଲା ଓ ରାଜ୍ୟ ଟେବୁଲ୍‌ ଟେନିସ୍‌ ପ୍ରତିଯୋଗିତା ଆୟୋଜିତ ହେବ। ଏହି ୪ ଦିନିଆ ପ୍ରତିଯୋଗିତାରେ ୧୩ ବିଭାଗରେ ଖେଳ ହେବ। କେବଳ ପୁରୁଷ ଓ କନିଷ୍ଠ ବାଳକ ବିଭାଗରେ ଦଳଗତ ପ୍ରତିଯୋଗିତାକୁ ଛାଡ଼ିଦେଲେ ବରିଷ୍ଠ ପୁରୁଷ ଓ ମହିଳା, ଯୁବ ବାଳକ, କନିଷ୍ଠ ବାଳକ ଓ ବାଳିକା, ଉପକନିଷ୍ଠ ବାଳକ ଓ ବାଳିକା ଏବଂ କ୍ୟାଡେଟ୍‌ ବିଭାଗରେ ଏକକ ପ୍ରତିଯୋଗିତା ହେବ। ସେହିଭଳି କେବଳ କନିଷ୍ଠ ବାଳକରେ ଯୁଗଳ ମୁକାବିଲା ହେବାକୁ ଥିବା ବେଳେ ବରିଷ୍ଠ (୪୦ରୁ ଅଧିକ ବୟସ) ବିଭାଗରେ ଏକକ ପ୍ରତିଯୋଗିତା ହେବ। ରାଜ୍ୟର ୨୦ରୁ ଅଧିକ ଜିଲ୍ଲା ଓ ୧୦ରୁ ଅଧିକ ଅନୁଷ୍ଠାନରୁ ପାଖାପାଖି ୩୦୦ ପୁରୁଷ ଓ ମହିଳା ଖେଳାଳି ଏଥିରେ ଭାଗ ନେବେ ବୋଲି ରବିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ରାଜ୍ୟ ଟେବୁଲ୍‌ ଟେନିସ୍‌ ସଂଘର ସାଧାରଣ ସଂପାଦକ ରବୀନ୍ଦ୍ର କୁମାର ପରିଡ଼ା ସୂଚନା ଦେଇଛନ୍ତି। ସଂଘ ପକ୍ଷରୁ ଚଳିତ ବର୍ଷ କଟକ, ବଲାଙ୍ଗୀର ଓ ଭୁବନେଶ୍ୱର ରାଜ୍ୟସ୍ତରୀୟ ପ୍ରତିଯୋଗିତା ହୋଇସାରିଥିବା ବେଳେ ଅନୁଗୁଳ ରାଜ୍ୟ ପ୍ରତିଯୋଗିତାରେ ବିଭିନ୍ନ ବର୍ଗର ଖେଳାଳିଙ୍କ ପ୍ରଦର୍ଶନକୁ ଭିତ୍ତି କରି ଜାତୀୟ ଦଳ ମନୋନୟକ କରାଯିବ। ଏହା ପୂର୍ବରୁ ଅନୁଗୁଳ ସହରରେ ସଫଳତାର ସହ ୪ ଥର ଅନ୍ତଃଜିଲ୍ଲା ଓ ରାଜ୍ୟ ଟେବୁଲ୍‌ ଟେନିସ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ରବିବାର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅନ୍ତର୍ଜାତୀୟ ରେଫରି ଜୀବନ ସାମଲ, ଜିଲ୍ଲା କ୍ରୀଡ଼ା ଅଧିକାରୀ ମହେନ୍ଦ୍ର ସାହୁ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶରତ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର