ପିଲାଦିନର ସଂଘର୍ଷଠୁ ଅର୍ଜୁନ ପୁରସ୍କାର ଅର୍ଜନ ରୋମାଞ୍ଚକର: ପ୍ରମୋଦ

ଓଡ଼ିଶାର ପ୍ରଥମ ପାରା କ୍ରୀଡ଼ାବିତ ରୂପେ ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତଙ୍କୁ ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ମର୍ଯ୍ୟାଦାଜନକ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରିଛନ୍ତି। ସର୍ବଭାରତୀୟ ତଥା ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜଣେ ପାରା ବ୍ୟାଡମିଣ୍ଟନ ଖେଳାଳି ରୂପେ ପ୍ରମୋଦ ତାଙ୍କର ଚମତ୍କାର ପ୍ରଦର୍ଶନ ବଳରେ ଏକାଧିକ ପଦକ ଜିତିବାରେ ସଫଳତା ସାଉଁଟିଛନ୍ତି। ଅତାବିରାରୁ ଆରମ୍ଭ ହୋଇଥିବା ତାଙ୍କ ସଂଘର୍ଷ ବିଶ୍ବ ଦରବାରରେ ତାଙ୍କୁ ଜଣେ ସଫଳ ପାରା ବ୍ୟାଡମିଣ୍ଟନ ଖେଳାଳି ରୂପେ ପ୍ରତିଷ୍ଠା ଦେଇଛି। ପାରା ବ୍ୟାଡମିଣ୍ଟନରେ ତାଙ୍କ ରୋମାଞ୍ଚକର ଅନୁଭୂତି ତଥା ପ୍ରେରଣାଦାୟକ ପ୍ରଦର୍ଶନ ସମସ୍ତ କ୍ରୀଡ଼ାବିତଙ୍କ ମନକୁ ଛୁଇଁଛି। ଦେଶରେ ପାରା ଆଥଲେଟିକ୍ସର ପ୍ରଚାର ଓ ପ୍ରସାର କରିବାରେ ତାଙ୍କର ଭୂମିକା ଅତ୍ୟନ୍ତ ମହତ୍ବପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ଅର୍ଜୁନ ପୁରସ୍କାର ଗ୍ରହଣ କରିବା ପରେ ‘ସମ୍ବାଦ’ର ନୂଆଦିଲ୍ଲୀ ପ୍ରତିନିଧି ନଇମ ଅଖତାରଙ୍କୁ ପ୍ରଦାନ କରିଥିଲେ ସ୍ବତନ୍ତ୍ର ସାକ୍ଷାତକାର।

ପ୍ରଶ୍ନ: ଆପଣଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହାର ଶ୍ରେୟ କାହାକୁ ଦେବାକୁ ଚାହିଁବେ?
ଉତ୍ତର: ରାଷ୍ଟ୍ରପତିଙ୍କ ଠାରୁ ଅର୍ଜୁନ ପୁରସ୍କାର ଗ୍ରହଣ କରି ମୁଁ ନିଜକୁ ଗୌରାବାନ୍ବିତ ମନେ କରୁଛି। ଏହା ମୋ ପାଇଁ ନିଶ୍ଚିତ ରୁପେ ଖୁସିର କ୍ଷଣ ଯାହାକୁ ଶବ୍ଦରେ ବର୍ଣ୍ଣନା କରାଯାଇ ପାରିବ ନାହିଁ। ଜଣେ କ୍ରୀଡ଼ାବିତ୍‌ର ଜୀବନରେ ସବୁଠାରୁ ବଡ଼ ଉପଲବ୍ଧି ହେଉଛି ତାକୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯିବା। ମୋତେ ଏହି ସମ୍ମାନ ମିଳିଛି। ଏଥିପାଇଁ ସର୍ବପ୍ରଥମେ ମୁଁ ମୋର ପରିବାରର ସମସ୍ତ ସଦସ୍ୟ, ମୋ ଅଞ୍ଚଳ ଅତାବିରାବାସୀ, ଓଡ଼ିଶାବାସୀ ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ଯେଉଁମାନଙ୍କର ସହଯୋଗ ଓ ଆଶୀର୍ବାଦ ପାଇଁ ମତେ ଏହି ସମ୍ମାନ ମିଳିଛ।

ପ୍ରଶ୍ନ: ପାରା ବ୍ୟାଡମିଣ୍ଟନରେ ବହୁ ଆଗରୁ ଉପଲବ୍ଧି ହାସଲ କରିସାରିଥିବା ସତ୍ତ୍ବେ ଅର୍ଜୁନ ସମ୍ମାନ ଆପଣଙ୍କୁ ବିଳମ୍ବରେ ମିଳିଛି। ଏହାକୁ ଆପଣ ସ୍ବୀକାର କରିବେ କି?
ଉତ୍ତର: ଅର୍ଜୁନ ପୁରସ୍କାର ମିଳିବାରେ ନିଶ୍ଚିତ ରୂପେ ବିଳମ୍ବ ହୋଇଛି। ମୁଁ ୨୦୦୬ରୁ ପାରା ବ୍ୟାଡମିଣ୍ଟନ ଖେଳୁଛି। ମୋର ଉପଲବ୍ଧି ନିରଂତର ରହିଛି। ଦୁଃଖର କଥା ଆଗରୁ ପାରା କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହନ ମିଳୁନଥିଲା। ଯେଉଁଥିପାଇଁ ସେମାନେ ପଛରେ ରହିଯାଉଥିଲେ। ଏବେ ସରକାର ସଜାଗ ହୋଇଛନ୍ତି। ସାଧାରଣ ଓ ଭିନ୍ନକ୍ଷମ ଖେଳାଳିଙ୍କୁ ସମାନ ଭାବରେ ଦୃଷ୍ଟିପାତ କରୁଛନ୍ତି। ସମାନ ସୁବିଧା ଓ ସହାୟତା ପ୍ରଦାନ କରାଯାଉଛି। ଯାହାଦ୍ବାରା ମୋ ଭଳି ଜଣେ ଖେଳାଳିକୁ ଅର୍ଜୁନ ସମ୍ମାନ ଦିଆଗଲା। ବିଳମ୍ବ ସତ୍ତ୍ବେ ମୋତେ ଏ ସମ୍ମାନ ମିଳିଛ। ଏଥିରେ ଏତିକି ମୁଁ କହିବି ବେଟର ଲେଟ୍ ଦ୍ୟାନ ନେଭର।

ପ୍ରଶ୍ନ: ଅର୍ଜୁନ ପୁରସ୍କାର ଆପଣଙ୍କ ପାଇଁ କେତେ ଗୁରୁତ୍ବ ବହନ କରୁଛି?
ଉତ୍ତର: ଏ ପୁରସ୍କାର ମୋ ପାଇଁ ଯଥେଷ୍ଟ ଗୁରୁତ୍ବ ବହନ କରୁଛି। ସ୍ବିଜରଲାଣ୍ଡର ବାସେଲଠାରେ ପାରା ବ୍ୟାଡମିଣ୍ଟନ ବିଶ୍ବ ଚମ୍ପିଆନସିପ୍‌ରେ ବ୍ୟସ୍ତ ଥିବା ବେଳେ ହଠାତ୍ ମୋତେ ଅର୍ଜୁନ ସମ୍ମାନ ପ୍ରଦାନ କରାଯିବା ପାଇଁ ଚୟନ କରାଯାଇଥିବା ଶୁଣିବାକୁ ପାଇଲି। ମନେମନେ ବହୁତ ଖୁସି ହେଲି । କିନ୍ତୁ ମୋର ଭାବନାକୁ କାହାରି ଆଗରେ ପରିପ୍ରକାଶ କରିପାରିଲି ନାହିଁ। ଆଗରେ ବିଶ୍ବ ଚମ୍ପିଆନସିପ୍ ରହିଥିଲା। ଖୁସି ହେବା ଅପେକ୍ଷା ସଜାଗ ହେଲି । ଏଠାରେ କିଭଳି ମୁଁ ଉତ୍ତମ ପ୍ରଦର୍ଶନ କରିପାରିବି। ବିଶ୍ବ ଚମ୍ପିଅନସିପ୍‌ରେ ଦୁଇଟି ସ୍ବର୍ଣ୍ଣ ପଦକ ଜିତିବାରେ ସଫଳ ହେଲି। ଏହା କେବଳ ଅର୍ଜୁନ ସମ୍ମାନ ମିଳିବା ଯୋଗୁଁ ହି ସମ୍ଭବ ହୋଇ ପାରିଲା। ମୋର ଖୁସିର ସୀମା ରହିନଥିଲା। ଅର୍ଜୁନ ପୁରସ୍କାର ପାଇଁ ମୋ ନାମ ଚୟନ ଖବର ମୋ ଉତ୍ସାହକୁ ଦ୍ବିଗୁଣିତ କରିଦେଇଥିଲା। ଆଉ ଖେଳ ପ୍ରତି ମୋର ଅଧିକ ଏକାଗ୍ରତା। ଆଜିର ଖୁସିକୁ ବର୍ଣ୍ଣନା କରିହେବ ନାହିଁ।

ପ୍ରଶ୍ନ: ଭିନ୍ନକ୍ଷମ କ୍ରୀଡ଼ାବିତ ଭାବେ ଅର୍ଜୁନ ପୁରସ୍କାର ପାଇବାରେ ପ୍ରଥମ ଓଡ଼ିଆ। ଆପଣ ଭାବୁଛନ୍ତି ରାଜ୍ୟରେ ଭିନ୍ନକ୍ଷମ କ୍ରୀଡ଼ାବିତଙ୍କ ପାଇଁ ଏକ ନୂତନ ଅଧ୍ୟାୟ ଆରମ୍ବ ହୋଇଛି?
ଉତ୍ତର: ପ୍ରଥମ ଥର ପାଇଁ ଓଡ଼ିଶାର ପାରା କ୍ରୀଡ଼ାବିତ୍‌ ରୂପେ ମୁଁ ଅର୍ଜୁନ ପୁରସ୍କାର ପାଇଛି। ନିଶ୍ଚିତ ରୂପେ ମୁଁ କହିପାରିବି ଓଡ଼ିଶାରେ ପାରା କ୍ରୀଡ଼ା ଦୁନିଆ‌େର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ଓଡ଼ିଶାବାସୀ ପୂର୍ବରୁ ଜାଣିନଥିଲେ ଓଡ଼ିଶାରେ ପାରା କ୍ରୀଡ଼ା ଅଛି ବୋଲି। ଆଉ ଗୋଟିଏ ଖୁସିର କଥା ଆପଣଙ୍କୁ କହିବାକୁ ଚାହିଁବି ମୋତେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ପଟ୍ଟନାୟକ ପୁରସ୍କାର ମଧ୍ୟ ଦିଆଯାଉଛି । ଯାହାକୁ ମୋର ପ୍ରଶିକ୍ଷକ ଏସ ପି ଦାସ ଗ୍ରହଣ କରୁଛନ୍ତି। ମତେ ଗୋଟିଏ ଦିନରେ ଦୁଇ ଦୁଇଟି ପ୍ରତିଷ୍ଠିତ ସମ୍ମାନ ମିଳୁଛି। ଏହା ରାଜ୍ୟର ପାରା ଆଥଲେଟିକ୍‌ମାନଙ୍କୁ ଅଧିକ ପ୍ରେରଣା ଯୋଗାଇବା ସହିତ ପ୍ରୋତ୍ସାହିତ କରିବ ବୋଲି ମୋର ବିଶ୍ବାସ।

ପ୍ରଶ୍ନ: ରାଜ୍ୟ ସରକାରଙ୍କ ଠାରୁ ଆପଣଙ୍କୁ ପ୍ରୋତ୍ସାହନ ମିଳିଛି କି?
ଉତ୍ତର: ରାଜ୍ୟ ସରକାରଙ୍କଠାରୁ ମୋତେ ପ୍ରୋତ୍ସାହନ ମିଳିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାରା ଆଥଲେଟ୍‌ମାନଙ୍କ ପାଇଁ ଯଥେଷ୍ଟ ସୁବିଧା ଓ ସୁଯୋଗ ପ୍ରଦାନ କରୁଛନ୍ତି। ଆଗରୁ ଅନେକ ପାରା ଆଥଲେଟ୍‌ ସୁବିଧା ଓ ସୁଯୋଗରୁ ବଞ୍ଚିତ ରହୁଥିଲେ। ଆଗାମୀ ଦିନରେ ରାଜ୍ୟରେ ସେମାନଙ୍କ ପ୍ରତିଭା ବିକଶିତ ହେବା ସହିତ ସେମାନେ ଚମକିବେ।

ପ୍ରଶ୍ନ: ବ୍ୟାଡମିଣ୍ଟନ ଖେଳ ପ୍ରତି ଆଗ୍ରହ ଆସିଲା କେମିତି?
ଉତ୍ତର: ଅତାବିରାରେ ଯେତେବେଳେ ମୁଁ ଖେଳ ଆରମ୍ଭ କଲି ତା ପୂର୍ବରୁ ମୁଁ ଅନ୍ୟମାନଙ୍କର ଖେଳ ଦେଖୁଥିଲି। ବାପା ମୋର ଆଗ୍ରହ ଦେଖି ବ୍ୟାଡମିଣ୍ଟନ ଖେଳିବା ପାଇଁ ପ୍ରୋତ୍ସାହିତ କରୁଥିଲେ। ମୁଁ ସାଧାରଣ ଖେଳାଳି ଭାବେ ଖେଳ ଆରମ୍ଭ କଲି। ଜିଲ୍ଲା ସ୍ତରୀୟ ଅନେକ ମ୍ୟାଚ୍‌ ଖେଳିଲି। ଧୀରେ ଧୀରେ ମୋର ପ୍ରତିଭା ବିକଶିତ ହେବା ଦେଖି ୨୦୦୬ରେ ନାଲକୋ ନଗରୀରେ ପ୍ରଶିକ୍ଷକ ଶିବ ପ୍ରସାଦ ଦାସ ମୋତେ ଡକାଇଲେ ଏବଂ ମୁଁ ଜାଣିବାକୁ ପାଇଲି ପାରା ବ୍ୟାଡମିଣ୍ଟନରେ ଏସଏଲ (୩ ବର୍ଗ)ରେ ମୁଁ ଖେଳିବା ପାଇଁ ଯୋଗ୍ୟ ଅଛି। ଏହା ପରେ ସର୍ବଭାରତୀୟ ପ୍ରତିଯୋଗିତାରେ ଭାଗ ନେଇ ସଫଳତା ହାସଲ କଲି। ୨୦୦୬ରେ ମାଲେସିଆ ସ୍ଥିତ କ୍ବାଲାଲାମ୍ପୁର ଷ୍ଟାଡିୟମରେ ଆନ୍ତର୍ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ନର୍ଭସ୍ ହୋଇ କ୍ବାର୍ଟର ଫାଇନାଲ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲି। ୨୦୦୯ରୁ ୨୦୧୯ ବିଶ୍ବ ପ୍ରତିଯୋଗିତାରେ ଏକକ ଓ ଯୁଗଳ ବର୍ଗରେ ଲଗାତର ପଦକ ଜିତିଛି। ବିଶ୍ବ ପ୍ରତିଯୋଗିତାରେ ୫ ସ୍ବର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ଜିତିସାରିଛି। ବର୍ତ୍ତମାନ ସୁଦ୍ଧା ପାରା ବ୍ୟାଡମିଣ୍ଟନରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ୫୦ରୁ ଊର୍ଧ୍ବ ପଦକ ଜିତିଛି। ପିଲାବେଳେ ଖୋଲା ପଡ଼ିଆରେ ସଂଘର୍ଷ ଠାରୁ ଆରମ୍ଭ କରି ଦେଶ ବିଦେଶରେ ପଦକ ଜିଣିବା ଯାତ୍ରା ମୋ ପାଇଁ ରୋମାଞ୍ଚକର ଅନୁଭୂତି ଭଳି।

ପ୍ରଶ୍ନ: ବିଶ୍ବ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଦୁଇଟି ସ୍ବର୍ଣ୍ଣ ଜିତିବା ପରେ ଆପଣଙ୍କୁ ଦିଲ୍ଲୀରେ ଭବ୍ୟ ସ୍ବାଗତ ଦିଆଯାଇଥିଲା। ଏ ନେଇ ଆପଣ କଣ କହିବେ?
ଉତ୍ତର: ସାଇ (ସ୍ପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ) ଦ୍ବାରା ଯେଭଳି ଭାବେ ଆମର ସ୍ବାଗତ କରାଯାଇଥିଲା ତାହା ଅଭୁଲା ହୋଇ ରହିବ। ସ୍ବାଗତ ସହିତ ଆମକୁ ପୁରସ୍କାର ସ୍ବରୂପ ନିୟମ ବଦଳାଇ ଯେଭଳି ଅଧିକ ଅର୍ଥରାଶି ସରକାର ଦେଲେ ତାହା ପ୍ରଶଂସାଯୋଗ୍ୟ। ମୋତେ ପୁରସ୍କାର ବାବଦରେ ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ମହିଳା ବ୍ୟାଡ୍‌ମିଣ୍ଟନ ଖେଳାଳି ତଥା ବିଶ୍ବ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ମହିଳା ଏକକ ଫାଇନାଲରେ ସ୍ବର୍ଣ୍ଣ ପଦକ ଜିତିଥିବା ପିଭି ସିନ୍ଧୁଙ୍କୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ମୁଁ ଆନନ୍ଦରେ ଗଦଗଦ ହୋଇଯାଇଥିଲି। ସରକାର ଭିନ୍ନକ୍ଷମ ଖେଳାଳି ଓ ସାଧାରଣ ଖେଳାଳି ମଧ୍ୟରେ କୌଣସି ପାର୍ଥକ୍ୟ ରଖୁନାହାନ୍ତି। ଏହା ଖେଳାଳି ମାନଙ୍କୁ ଖୁବ୍ ପ୍ରୋତ୍ସାହିତ କରୁଛି।

ପ୍ରଶ୍ନ: ଭାରତରେ ପାରା ଆଥଲେଟ୍‌ିକ୍ସର ଭିତ୍ତିଭୂମି ପର୍ଯ୍ୟାପ୍ତ ପରିମାଣରେ ରହିଛି?
ଉତ୍ତର: ପର୍ଯ୍ୟାପ୍ତ ମାତ୍ରାରେ ଭିତ୍ତିଭୂମିର ପ୍ରତିଷ୍ଠା କରାଯାଇ ପାରିନାହିଁ ଏବଂ ଏହାର ଘୋର ଅଭାବ ରହିଛି। ଏହା ସତ୍ତ୍ବେ ଖେଳାଳି ମାନେ ଦୃଢ ମନୋବଳ ଓ ଇଚ୍ଛାଶକ୍ତି ଦ୍ବାରା ସଫଳତା ହାସଲ ପାରୁଛନ୍ତି। ଖେଳାଳିଙ୍କୁ ଇଣ୍ଟରନ୍ୟାସନାଲ ଏକ୍ସପୋଜର ଆବଶ୍ୟକତା ରହିଛି। ଭଲ ପ୍ରଶିକ୍ଷକ, ଖାଦ୍ୟ ଏବଂ ତାଲିମର ଅଭାବ ରହୁଛି। ଏକ୍ସପୋଜର ମିଳିଲେ ଖେଳାଳିଙ୍କର ଟେକନିକ୍ ଓ କ୍ରୀଡ଼ା ଶୈଳୀରେ ପରିବର୍ତ୍ତନ ଆସିପାରିବ ତଥା ସେମାନେ ଶତ ପ୍ରତିଶତ ଫଳ ଦେଇପାରିବେ।

ପ୍ରଶ୍ନ: ବର୍ତ୍ତମାନ ଆପଣ କେତେ ଘଣ୍ଟା ଅଭ୍ୟାସ କରୁଛନ୍ତି?
ଉତ୍ତର- ମୁଁ ପ୍ରତ୍ୟେକ ଦିନ ୯ ରୁ ୧୦ ଘଣ୍ଟା ଅଭ୍ୟାସ କରିବା ସହିତ ଫିଟନେସ୍ ପ୍ରତି ବିଶେଷ ଧ୍ୟାନ ଦେଇଥାଏ।

ପ୍ରଶ୍ନ- ଆଗକୁ ଆପଣଙ୍କର ଲକ୍ଷ୍ୟ କ’ଣ ରହିଛି?
ଉତ୍ତର- ୨୦୨୦ ଟୋକିଓ ପାରା ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିବା ମୋର ଲକ୍ଷ୍ୟ ରହିଛି। ଏହାକୁ ହାସଲ କରିବା ପାଇଁ ମୋତେ ସମ୍ପୂର୍ଣ୍ଣ ରୂପେ ସମର୍ପିତ ହେବାକୁ ପଡ଼ିବ।

ପ୍ରଶ୍ନ: ୨୦୨୦ ଟୋକିଓ ପାରା ଅଲମ୍ପିକ୍ସ ପାଇଁ ଆପଣ ଯୋଗ୍ୟତା ହାସଲ କରିସାରିଲେଣି କି?
ଉତ୍ତର: ୨୦୨୦ ଟୋକିଓ ପାରା ଅଲମ୍ପିକ୍ସ ଯୋଗ୍ୟତା ହାସଲକୁ ନେଇ ଘୋଷଣା କରାଯାଇ ନାହିଁ। ଏ ବର୍ଷ ମୁଁ ଆଉ ଦୁଇଟି ଆନ୍ତର୍ଜାତୀୟ ପ୍ରତିଯୋଗିତା ଖେଳିବି ଏବଂ ଭାବୁଛି ଖୁବ୍ ଶୀଘ୍ର ମୋତେ ପାରା ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ ହୋଇଯିବ।

ପ୍ରଶ୍ନ: ଅର୍ଜୁନ ପୁରସ୍କାର କାହାକୁ ସମର୍ପିତ କରିଛନ୍ତି?
ଉତ୍ତର: ମୁଁ ମୋ ମାଆଙ୍କୁ ଅର୍ଜୁନ ପୁରସ୍କାର ସମର୍ପିତ କରୁଛି। ମାଆ ମୋ ସଂଘର୍ଷ ସମୟରେ ମୋତେ ଯେଉଁଭଳି କ୍ରୀଡ଼ା ପ୍ରତି ପ୍ରୋତ୍ସାହିତ କରିଥିଲେ ଏବଂ ପ୍ରତ୍ୟେକ ସ୍ଥିତିରେ ମୋ ସହିତ ସେ ଚଟାଣ ଭଳି ଠିଆ ହୋଇଛନ୍ତି ତାହା ଭାଷାରେ ବର୍ଣ୍ଣନା କରାଯାଇ ପାରିବ ନାହିଁ। ଅର୍ଜୁନ ପୁରସ୍କାର ପାଇବା ସମୟରେ ମୋ ବାବା ମୋ ସହିତ ନାହାନ୍ତି। ମୋର ସ୍ବର୍ଗତ ବାବାଙ୍କୁ ମୁଁ ମିସ୍ କରୁଛି। ଯିଏ ମୋ ହାତରେ ବ୍ୟାଡ୍‌ମିଣ୍ଟନ ଧରାଇଥିଲେ ସେ ଆଜି ଥିଲେ ନିଶ୍ଚିତ ରୂପେ ଖୁସି ହୋଇଥାନ୍ତେ।

ପ୍ରଶ୍ନ: ଯୁବ ପିଢିଙ୍କୁ କି ବାର୍ତ୍ତା ଦେବେ?
ଉତ୍ତର: ଜୀବନର ଦୁଃଖ, କଷ୍ଟ ଭୁଲି ଯାଇ ବୃତ୍ତି ପ୍ରତି ସମ୍ପୂର୍ଣ୍ଣ ସମର୍ପିତ ହୋଇ ପାରିଲେ ସଫଳତା ଅସମ୍ଭବ ନୁହେଁ।

ସମ୍ବନ୍ଧିତ ଖବର