ବନ୍ଧୁକଚାଳନା ବିଶ୍ବକପ୍‌: ଅଭିଷେକଙ୍କୁ ସ୍ବର୍ଣ୍ଣ, ଚୌଧୁରୀ ଜିତିଲେ କାଂସ୍ୟ

ସଞ୍ଜୀବ ରାଜପୁତଙ୍କୁ ଅଲିମ୍ପିକ୍‌ ଟିକେଟ

ରିଓ ଡି ଜାନେଇରୋ: ବ୍ରାଜିଲ୍‌ର ରିଓ ଡି ଜାନେଇରୋଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ରାଇଫଲ୍‌/ପିସ୍ତଲ ପ୍ରତିଯୋଗିତାରେ ଉଦୀୟମାନ ଭାରତୀୟ ମହିଳା ଇଲାଭେନିଲ୍‌ ଭାଲେରିଭାନ୍‌ ନିଜର ପ୍ରଥମ ବିଶ୍ବକପ୍‌ ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଅନ୍ୟତମ ଭାରତୀୟ ଅଭିଷେକ ବର୍ମା ମଧ୍ୟ ସ୍ବର୍ଣ୍ଣ ପଦକ କରାୟତ କରିଛନ୍ତି। ଈଲାଭେନିଲ୍‌ ମହିଳା ୧୦ ମିଟର ଏୟାର ରାଇଫଲ୍‌ରେ ସ୍ବର୍ଣ୍ଣିମ ସଫଳତା ହାତେଇଥିଲା ବେଳେ ଅଭିଷେକ ପୁରୁଷ ୧୦ ମିଟର ଏୟାର ପିସ୍ତଲ ବର୍ଗରେ ସ୍ବର୍ଣ୍ଣ ଜିତିଛନ୍ତି। ତାଙ୍କ ସହିତ ଏହି ବର୍ଗରେ ସୌରଭ ଚୌଧୁରୀ କାଂସ୍ୟ ପଦକ ହାସଲ କରିଛନ୍ତି। ଯୋଗ୍ୟତାପର୍ଯ୍ୟାୟରେ ଚୌଧୁରୀ (୫୮୪ ପଏଣ୍ଟ୍‌) ଏବଂ ଅଭିଷେକ (୫୮୨ ପଏଣ୍ଟ୍‌) ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନ ସହ ୮ ଜଣିଆ ଫାଇନାଲ୍‌ରେ ପ୍ରବେଶ କରିଥିଲେ। ହେଲେ ଫାଇନାଲ୍‌ରେ ଅଭିଷେକ ୨୪୪.୨ ସଟ୍‌ ମାରି ପ୍ରଥମ ସ୍ଥାନ ପାଇଥିଲା ବେଳେ ଚୌଧୁରୀ ୨୨୧.୯ ସଟ୍‌ ସହ ତୃତୀୟ ସ୍ଥାନ ପାଇଥିଲେ। ଏହି ବର୍ଗରେ ରୌପ୍ୟ ପଦକ ତୁର୍କିର ଇସ୍‌ମାଇଲ୍‌ କେଲେସ୍‌ (୨୪୩.୧)ଙ୍କୁ ମିଳିଥିଲା। ଏହା ପୂର୍ବରୁ ଚଳିତ ବିଶ୍ବକପ୍‌ରେ ସଞ୍ଜୀବ ରାଜପୁତ ୫୦ ମିଟର ରାଇଫଲ୍‌ ଥ୍ରୀ ପୋଜିସନ୍‌ରେ ରୌପ୍ୟ ପଦକ କରାୟତ କରିଥିଲେ। ସେ ଫାଇନାଲ୍‌ରେ ୪୬୨.୦ ପଏଣ୍ଟ୍‌ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। କ୍ରୋଏସିଆର ପେଟାର ଗୋର୍ସା (୪୬୨.୨) ସ୍ବର୍ଣ୍ଣ ପଦକ ଜିତିଥିଲେ। ତଥାପି ରୌପ୍ୟ ପଦକ ହାସଲ କରି ରାଜପୁତ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଟିକେଟ ମଧ୍ୟ କରାୟତ କରିନେଇଛନ୍ତି। ଏଥି ସହିତ ଚଳିତ ବିଶ୍ବକପ୍‌ରୁ ଏପର୍ଯ୍ୟନ୍ତ ଭାରତ ୨ ସ୍ବର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ସହ ପଦକ ତାଲିକାର ଶୀର୍ଷରେ ରହିଛି। ଅନ୍ୟପକ୍ଷରେ ପୂର୍ବରୁ ଉଭୟ ଅଭିଷେକ ଓ ଚୌଧୁରୀ ଯୋଗ୍ୟତାପର୍ଯ୍ୟାୟ ବେଳେ ଅଲିମ୍ପିକ୍‌ ସ୍ଥାନ ପକ୍କା କରିଥିଲା ବେଳେ ଏହି ଇଭେଣ୍ଟ୍‌ରୁ ଭାରତ ସର୍ବାଧିକ ଟିକେଟ ହାସଲ କରି‌ନେଇଛି।

ସମ୍ବନ୍ଧିତ ଖବର