ଏସିଆ କପ୍‌ ହକି: ବଡ଼ ବିଜୟରୁ ଭାରତର ଅଭିଯାନ

ହର୍‌ମନ୍‌ପ୍ରିତ୍‌ଙ୍କ ଯୁଗଳ ଗୋଲ୍‌; ଜାପାନ ୧-୫ରେ ହାରିଲା

ଢାକା: ଦୁଇ ଥର ବିଜେତା ଭାରତ ବଡ଼ ବିଜୟରୁ ହିଁ ତା’ର ଏସିଆ କପ୍‌ ହକି ପ୍ରତିଯୋଗିତାରେ ଅଭିଯାନ ଆରମ୍ଭ କରିଛି। ଏଥି ସହିତ ନୂଆ ପ୍ରଶିକ୍ଷକ ଜୋର୍ଡ୍‌ ମାରିନ୍‌ ତାଙ୍କ ପ୍ରଥମ ପରୀକ୍ଷାରେ ସଫଳ ହୋଇଛନ୍ତି। ବୁଧବାର ଏଠାରେ ଉଦ୍‌ଘାଟିତ ହୋଇଥିବା ଏହି ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍‌ ବିଶ୍ୱ ମାନ୍ୟତାର ଷଷ୍ଠ ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିଲା। ଏହା ଥିଲା ଭାରତୀୟ ପ୍ରଶିକ୍ଷକ ଭାବେ ମାରିନ୍‌ଙ୍କ ପାଇଁ ପ୍ରଥମ ପ୍ରତିଯୋଗିତା। ଆଉ ଏଥିରେ ପେନାଲ୍‌ଟି କର୍ନର ବିଶେଷଜ୍ଞ ହର୍‌ମନପ୍ରିତ୍‌ ସିଂହଙ୍କ ଯୁଗଳ ଗୋଲ୍‌ ବଳରେ ଭାରତ ୫-୧ରେ ଜାପାନକୁ ପରାସ୍ତ କରିଦେଇଛି। ଚମତ୍କାର ଫର୍ମରେ ଥିବା ଏବଂ ଏସିଆ ମହାଦେଶରେ ଶୀର୍ଷ ମାନ୍ୟତା ଦଳ ଭାବେ ନିଜ ସ୍ଥିତିକୁ ଦୃଢ଼ କରିବାର ଲକ୍ଷ୍ୟ ନେଇ ଏହି ପ୍ରତିଯୋଗିତାକୁ ଓହ୍ଲାଇଥିବା ଭାରତୀୟ ଦଳ ପ୍ରଥମାର୍ଧରେ ୨ ଓ ଦ୍ୱିତୀୟାର୍ଧରେ ୩ ଗୋଲ୍‌ ଲଦି ଦେଇଥିଲା। ପୂରା ମ୍ୟାଚ୍‌ରେ ଆଧିପତ୍ୟ ଜମାଇଥିବା ଭାରତ ପକ୍ଷରୁ ଉପଅଧିନାୟକ ଏସ୍‌ଭି ସୁନିଲ ତୃତୀୟ ମିନିଟ୍‌ରେ ପ୍ରଥମ ଗୋଲ୍‌ କରି ଦଳକୁ ଅଗ୍ରଣୀ ଦେଇଥିଲେ। ହେଲେ ଏହାର ଗୋଟିଏ ମିନିଟ୍‌ ପରେ କେନ୍‌ଜି କିଟାଜାଟୋଙ୍କ ଗୋଲ୍‌ ଜାପାନର ସ୍ଥିତି ସମାନ କରିଦେଇଥିଲା। ଅବଶ୍ୟ ଏହି ଏକମାତ୍ର ଗୋଲ୍‌ରେ ହିଁ ଶେଷ ପର୍ଯ୍ୟନ୍ତ ଜାପାନକୁ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା। କାରଣ ଏହାପରେ ଭାରତ ଆକ୍ରାମକ ଆଭିମୁଖ୍ୟ ଆପଣେଇ ୪ଟି ଗୋଲ୍‌ କରିଥିଲା ବେଳେ ପ୍ରତିପକ୍ଷର କୌଣସି ପ୍ରୟାସକୁ ସଫଳ ହେବାକୁ ଦେଇନଥିଲା। ୨୨ତମ ମିନିଟ୍‌ରେ ଲଲିତ୍‌ ଉପାଧ୍ୟାୟ ଏକ ଚମତ୍କାର ଗୋଲ୍‌ କରି ପୁଣି ଥରେ ଭାରତକୁ ଆଗେଇ ନେଇଥିଲେ। ଫଳରେ ପ୍ରଥମାର୍ଧ ଶେଷରେ ଭାରତ ୨-୧ ଗୋଲ୍‌ରେ ଆଗୁଆ ରହିଥିଲା। ଦ୍ୱିତୀୟାର୍ଧରେ ରମଣଦୀପ୍‌ ସିଂହ ଓ ହର୍‌ମନ୍‌ପ୍ରିତ୍‌ ନିଜ ନିଜର ଯାଦୁ ଦେଖାଇଥିଲେ। ୩୩ ମିନିଟ୍‌ରେ ରମଣଦୀପ୍‌ ଗୋଟିଏ ଗୋଲ୍‌ କରି ଭାରତକୁ ୩-୧ରେ ଆଗେଇ ନେବା ପରେ ହର୍‌ମନ୍‌ପ୍ରିତ୍‌ ୩୫ ଓ ୪୮ ମିନିଟରେ ଗୋଟିଏ ଲେଖାଏଁ ଗୋଲ୍‌ କରି ବ୍ୟବଧାନ ୫-୧ରେ ପହଞ୍ଚାଇ ଦେଇଥିଲେ। ଆଉ ହର୍‌ମନ୍‌ପ୍ରିତ୍‌ଙ୍କ ଯୁଗଳ ଗୋଲ୍‌ ହିଁ ଭାତରକୁ ବଡ଼ ବ୍ୟବଧାନରେ ବିଜୟ ଭେଟି ଦେଇଥିଲା। ଅବଶ୍ୟ ମ୍ୟାଚ୍‌ରେ ସୁନିଲଙ୍କ ଦୁଇଟି ଏବଂ ହର୍‌ମନ୍‌ପ୍ରିତ୍‌ଙ୍କ ଏକ ପେନାଲ୍‌ଟି କର୍ନର ସୁଯୋଗ ନିଷ୍ଫଳ ହୋଇଯାଇଥିଲା। ଏପରିକି ପୂରା ମ୍ୟାଚ୍‌ରେ ଭାରତ ୫ ପେନାଲ୍‌ଟି କର୍ନର ପାଇଥିଲା ବେଳେ ସେଥିରୁ ୨ଟିକୁ ଗୋଲ୍‌ରେ ରୂପାନ୍ତରିତ କରିପାରିଥିଲା। ଏହାସତ୍ତ୍ୱେ ଜାପାନ ବିପକ୍ଷରେ ଭାରତ ବିଜୟଧାରା ଜାରି ରଖିଲା। ଏହା ପୂର୍ବରୁ ଚଳିତ ବର୍ଷ ସୁଲ୍‌ତାନ ଆଜ୍‌ଲାନ ଶାହା କପ୍‌ରେ ଭାରତ ୪-୩ ଗୋଲ୍‌ରେ ଜାପାନକୁ ପରାସ୍ତ କରିଥିଲା।
ଚଳିତ ଏସିଆ କପ୍‌ ପୁଲ୍‌-ଏରେ ଭାରତ ତା’ର ପରର୍ବତୀ ମ୍ୟାଚ୍‌ ଆସନ୍ତା ୧୩ ତାରିଖ (ଶୁକ୍ରବାର)ରେ ଆୟୋଜକ ବାଂଲାଦେଶ ସହ ଖେଳିବାକୁ ଥିଲା ବେଳେ ତୃତୀୟ ମ୍ୟାଚ୍‌ ୧୫ ତାରିଖରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହ ଖେଳି ପୁଲ୍‌ ପର୍ଯ୍ୟାୟ ଶେଷ କରିବ। ଦଳର ପ୍ରାରମ୍ଭିକ ପ୍ରଦର୍ଶନରେ ଉଭୟ ଅଧିନାୟକ ମନ୍‌ପ୍ରିତ୍‌ ସିଂହ ଓ ପ୍ରଶିକ୍ଷକ ମାରିନ୍‌ ସନ୍ତୋଷ ପ୍ରକାଶ କରିଛନ୍ତି।
ବୁଧବାର ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚ୍‌ରେ ପାକିସ୍ତାନ ୭-୦ ଗୋଲ୍‌ରେ ଆୟୋଜକ ବାଂଲାଦେଶକୁ ପରାସ୍ତ କରିଦେଇଛି। ପାକିସ୍ତାନ ପକ୍ଷରୁ ଆବୁ ମହମ୍ମଦ ୩ (୧୮, ୪୧, ୫୦ ମିନିଟ୍‌), ଅମଦ୍‌ ବଟ୍‌ (୩୩, ୪୭ ମିନିଟ୍‌) ଓ ଆର୍ସଲାନ୍‌ କାଦିର (୩୩, ୬୦ ମିନିଟ୍‌) ୨ଟି ଲେଖାଏଁ ଗୋଲ୍‌ କରିଥିଲେ।

ସମ୍ବନ୍ଧିତ ଖବର