ଏସିଆଡ୍‌ ଉଦ୍‌ଘାଟନ ଆଜି

ଜାକର୍ତା: ଶନିବାର ଇଣ୍ଡୋନେସିଆର ଜାକର୍ତାସ୍ଥିତ ଗେଲୋରା ବଙ୍ଗ୍‌ କର୍ନୋ ମେନ୍‌ ଷ୍ଟାଡିୟମ୍‌ରେ ୧୮ତମ ଏସୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ ହେବ। ଭାରତୀୟ ସମୟ ସଂଧ୍ୟା ୫.୩୦ରେ ଉଦ୍‌ଘାଟନୀ ଉତ୍ସବ ସୋନି ଟେଲିଭିିଜନ୍‌ରେ ପ୍ରସାରିତ ହେବ। କିନ୍ତୁ ଖେଳାଳିଙ୍କ ପରେଡ୍‌ ସଂଧ୍ୟା ୬.୧୫ରୁ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି। ତାରକା ଖଚିତ ଉଦ୍‌ଘାଟନୀ ଉତ୍ସବରେ ଇଣ୍ଡୋନେସିଆର ଲୋକପ୍ରିୟ କଣ୍ଠଶିଳ୍ପୀ ଆଙ୍ଗନ୍‌, ରାଇସା, ଟୁଲୁସ, ଏଡୋ କୋଣ୍ଡୋଲଜିଟ୍‌, ପୂତ୍ରୀ ଆୟୂ, ଫତିନ୍‌, କାମାସିନ୍‌ ଏବଂ ଭିଆ ଭଲେନ୍‌ ପ୍ରମୁଖ ସାଂସ୍କୃତିକ କାର୍ଯର୍୍ୟକ୍ରମ ପରିବେଷଣ କରିବେ। ଏଥିପାଇଁ ୧୨୦ ମିଟର୍‌ ଲମ୍ବା, ୩୦ ମିଟର୍‌ ଓସାର ଏବଂ ୨୬ ମିଟର୍‌ ଉଚ୍ଚତାର ମଞ୍ଚ ପ୍ରସ୍ତୁତ ଅଛି। ୪,୦୦୦ ନୃତ୍ୟଶିଳ୍ପୀ ମଧ୍ୟ ଉଦ୍‌ଘାଟନୀ ଉତ୍ସବ ପାଇଁ ରିହରସାଲ୍‌ରେ ବ୍ୟସ୍ତ। ଏନର୍ଜି ଅଫ୍‌ ଏସିଆ ସ୍ଲୋଗାନ୍‌ ନେଇ ଏହି ପ୍ରତିଯୋଗିତା ଆୟୋଜିତ ହୋଇଛି। ଦୁଇ ସପ୍ତାହ ବିଶିଷ୍ଟ ଏହି ପ୍ରତିଯୋଗିତା ଲାଗି ଭାରତୀୟ ଅଲିମ୍ପିକ ସଂଘ ୫୭୨ ଜଣିଆ ଦଳ ପଠାଇଛି। ଯେଉଁମାନେ ମୋଟ ୩୬ ଖେଳରେ ଭାଗନେବେ। ମୋଟରେ ୪୫ ଦେଶରୁ ୧୧,୦୦୦ ଖେଳାଳି ୪୭ ଖେଳରେ ଭାଗନେବେ। ପ୍ରାୟ ୪୨୬ ପଦକ ପାଇଁ ହେବ ରବିବାରଠାରୁ ଲଢ଼େଇ। ଭାରତ ଏଥର ଗତ ସଂସ୍କରଣ ପ୍ରଦର୍ଶନକୁ ଟପିବା ଆଶାରେ ରହିଛି। ୨୦୧୪ ମସିହାରେ ଇଞ୍ଜିଅନ୍‌ରେ ଭାରତ ୧୧ ସ୍ୱର୍ଣ୍ଣ ପଦକ ସହିତ ମୋଟ ୫୭ ପଦକ ଜିତିଥିଲା। ଚଳିତ ବର୍ଷ ଅନୁଷ୍ଠିତ ଗୋଲ୍‌ଡକୋଷ୍ଟ୍‍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିଥିବାରୁ ଏହାକୁ ଜାକର୍ତା ଓ ପାଲେମବାଙ୍ଗ୍‌ରେ ଦୋହରାଇବା ନେଇ ଆଶା ରଖିଛି। କିନ୍ତୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାଠାରୁ ଏସିଆଡ୍‌ ପ୍ରତିଦ୍ୱନ୍ଦ୍ୱିତା ସ୍ତର ଉଚ୍ଚମାନର ଥିବାରୁ ଏହା ସେତେଟା ସହଜ ହେବ ନାହିଁ। ଗୋଲ୍‌ଡକୋଷ୍ଟରେ ଭାରତ ୨୬ ସ୍ୱର୍ଣ୍ଣ ସହ ୬୬ ପଦକ ଜିତି ତୃତୀୟ ସ୍ଥାନରେ ରହିଥିଲା।

୭୯ ବର୍ଷୀୟା ଭାରତୀୟ

ନୂଆଦିଲ୍ଲୀ: ଭାରତର ସବୁଠୁ ବୟୋଜ୍ୟେଷ୍ଠା ଖେଳାଳିଭାବେ ଜାକର୍ତା ଯାଇଛନ୍ତି ୭୯ ବର୍ଷୀୟା ରୀତା ଚୋକ୍‌ସି। ଭାରତୀୟ ଖେଳାଳିଙ୍କ ଜେଜେମା’ ଭାବେ ପରିଚିତ ରୀତା ବ୍ରିଜ୍‌ ଖେଳରେ ଭାଗନେବେ। ଏହି ଖେଳରେ ସେ କିନ୍ତୁ ସବୁଠୁ ବୟୋଜ୍ୟେଷ୍ଠା ନୁହଁନ୍ତି। ବ୍ରିଜ୍‌ ପଦାର୍ପଣ କରିବାକୁ ଯାଉଥିବା ବେଳେ ୮୧ ବର୍ଷୀୟ ମାଲେସିଆର ଲି ହଙ୍ଗ୍‌ ଫଙ୍ଗ୍‌ ଏସିଆଡ୍‌ର ବୟୋଜ୍ୟେଷ୍ଠ ଖେଳାଳି ଭାବେ ଅଂଶଗ୍ରହଣ କରିବେ। ଇଣ୍ଡୋନେସିଆର ସବୁଠୁ ଧନି ଟବାଗୋ ବ୍ୟବସାୟୀ ମାଇକେଲ୍‌ ବମ୍ବାଙ୍ଗ୍‌ ହାର୍ତୋନୋ ମଧ୍ୟ ଖେଳିବେ। ଅକ୍ଟୋବରରେ ୮୦ ବର୍ଷରେ ପାଦ ଦେବାକୁ ଯାଉଥିବା ରୀତା ଚୋକସି କହିଛନ୍ତି, ଯୋଗ ଏବଂ ପ୍ରାଣାୟମ ମୋତେ ଶାରୀରିକ ଭାବେ ସକ୍ଷମ ରଖିଛି। ଯୋଗ ବ୍ୟତୀତ ଦୈନିକ ୩ ଘଣ୍ଟା ସେ ଅନ୍‌ଲାଇନ୍‌ରେ ବ୍ରିଜ୍‌ ଖେଳି ନିଜକୁ ଶାଣିତ କରିଥିବା କହିଛନ୍ତି। ଭାରତୀୟ ବ୍ରିଜ୍‌ ଦଳରେ ମଧ୍ୟ ଆଉ ୪ ଜଣ ବୟସ୍କ ଖେଳାଳି ରହିଛନ୍ତି। ଦଳର ହାରାହାରି ବୟସ ୬୦। ବ୍ରିଜ୍‌ ସହିତ ପାରାଗ୍ଲାଇଡିଂ, ଜେଟ୍‌ ସ୍କିଙ୍ଗ୍‌ ମଧ୍ୟ ପଦାର୍ପଣ କରିବ।

ଭୋଜନାଳୟ ଭଲ, ରହଣି କୋଠରୀ ଛୋଟ
ଭାରତୀୟଙ୍କ ସମେତ ଅନ୍ୟାନ୍ୟ ଆଥ୍‌ଲେଟଙ୍କ ପାଇଁ ଉଦ୍ଦିଷ୍ଟ ରହିବା କୋଠରୀ ଭୋଜନାଳୟଠୁ ଛୋଟ। କ୍ରୀଡ଼ା ଗ୍ରାମରେ ଭୋଜନାଳୟର ଆକାର ଏବଂ ପ୍ରଦତ୍ତ ଖାଦ୍ୟପେୟର ମାନ ଓ ସ୍ୱାଦ ନେଇ କିନ୍ତୁ ସନ୍ତୋଷ ପ୍ରକଟ କରିଛନ୍ତି ଭାରତୀୟ ଖେଳାଳି। ରହିବା କୋଠରୀଗୁଡ଼ିକର ଆକାର ଛୋଟ ଥିବାରୁ ଅସୁବିଧା ହେଉଛି, ଏସବୁ ଆଉ ଟିକେ ବଡ଼ ଆକାରର ହୋଇଥିଲେ ଭଲ ହୋଇଥାଆନ୍ତା ବୋଲି କହିଛନ୍ତି। କୋଠରୀଗୁଡ଼ିକ ଛୋଟିଆ। ପୁଣି ପ୍ରତି ରୁମ୍‌ରେ ୩ ଶଯ୍ୟା ରହିଥିଲା ବେଳେ ମାତ୍ର ଗୋଟିଏ ଗାଧୁଆ ଘର ଅଛି। ତଥାପି ସମସ୍ତଙ୍କ ପାଇଁ ଏକାପ୍ରକାର କୋଠରୀ ବ୍ୟବସ୍ଥା ହୋଇଥିବାରୁ ବିଶେଷ କିଛି କହିବାର ନାହିଁ। ସବୁକିଛି ଚଳାଇ ହେବ ବୋଲି ଜଣେ ଭାରତୀୟ ଆଥ୍‌ଲେଟ୍‌ କହିଛନ୍ତି। ବଡ଼ କୋଠରୀରେ ରହିଥିଲେ ଅଧିକ ସୁବିଧା ହୋଇଥାନ୍ତା ବୋଲି ମତ ଦେଇଛନ୍ତି ଜାପାନ ମହିଳା ଟେନିସ୍‌ ଦଳର ଅଧିନାୟିକା ତଥା ପ୍ରଶିକ୍ଷକ ଫୁରୁସୋ ଦାଇଜିରୋ। କୋଠରୀ ବଡ଼ ହୋଇଥିଲେ ଭଲ ହୋଇଥାନ୍ତା। ତଥାପି ଏସୀୟ କ୍ରୀଡ଼ା ଓ ଅଲିମ୍ପିକ୍ସ ଭଳି ବହୁ ଦଳୀୟ ପ୍ରତିଯୋଗିତାରେ ଏଭଳି ହୋଇଥାଏ ବୋଲି ସେ କହିଛନ୍ତି। ଖାଦ୍ୟ ବେଶ୍‌ ରୁଚିକର, ଆମକୁ ଇଣ୍ଡୋନେସିଆ ଓ ବିଶ୍ୱସ୍ତରର ମିଶ୍ରିତ ଖାଦ୍ୟ ମିଳୁଥିବାରୁ ଖୁସୀ ବୋଲି ଦାଇଜିରୋ କହିଛନ୍ତି। ଭାରତୀୟ ଖାଦ୍ୟ ମଧ୍ୟ ପରଶା ଯାଉଥିବାରୁ ସେ ଦେଶର ଆଥ୍‌ଲେଟ୍‌ଙ୍କର କୌଣସି ଅଭିଯୋଗ ନଥିବା ଦାଇଜିରୋ କହିଛନ୍ତି। ଭାରତୀୟ ଆଥ୍‌ଲେଟ୍‌ଙ୍କ ମଧ୍ୟରୁ ବନ୍ଧୁକଚାଳକ, ନୌଚାଳକ ଏବଂ ଟେନିସ୍‌ ଖେଳାଳିମାନେ ପାଲେମ୍‌ବାଙ୍ଗ୍‌ କ୍ରୀଡ଼ା ଗ୍ରାମରେ ରହୁଛନ୍ତି। ହେଲେ ଜାକର୍ତା କ୍ରୀଡ଼ା ଗ୍ରାମ ସବୁଠୁ ବଡ଼ ରହିଛି। ତେବେ ପ୍ରଥମ ଥର ଲାଗି ଏକ ବହୁଦଳୀୟ ପ୍ରତିଯୋଗିତା ଦୁଇଟି ଭିନ୍ନ ଭିନ୍ନ ସହରରେ ଯୁଗ୍ମ ଭାବେ ଆୟୋଜିତ ହେଉଥିବାରୁ ଏହାର ସୁପରିଚାଳନା ଆମ ପାଇଁ ଏକ ଆହ୍ଵାନ ବୋଲି କହିଛନ୍ତି ଇଣ୍ଡୋନେସିଆ ଏସୀୟ କ୍ରୀଡ଼ା ଆୟୋଜନ ସମିତି ମୁଖ୍ୟ ଏରିକ୍‌ ଥୋହିର୍‌।

ଭାରତର ଆଶା
ଜାକର୍ତା: ଏସୀୟ କ୍ରୀଡ଼ା ୬୭ ବର୍ଷ ତଳେ ଭାରତରୁ (୧୯୫୧ ମସିହା) ଆରମ୍ଭ ହୋଇଥିଲା। ଅଲିମ୍ପିକ୍‌ ପରେ ଦ୍ୱିତୀୟ ସର୍ବବୃହତ କ୍ରୀଡ଼ା ମହୋତ୍ସବ ଭାବେ ଏହାକୁ ବିବେଚନା କରାଯାଇଥାଏ। ଏଥର ଭାରତରୁ ୨୬୦ ମହିଳାଙ୍କ ସହ ୫୭୨ ଜଣ ଭାଗ ନେଉଛନ୍ତି। ୨୩୨ ଜଣ ପ୍ରଶିକ୍ଷକ ଓ ସହକାରୀ ମଧ୍ୟ ଜାକର୍ତା ଓ ପାଲେମ୍‌ବାଙ୍ଗ୍‌ ଗସ୍ତରେ ଅଛନ୍ତି। ଉଦ୍‌ଘାଟନୀ ଉତ୍ସବରେ ଜାଭଲିନ୍‌ ଫିଙ୍ଗାଳି ନୀରଜ ଚୋପ୍ରା ଧରିବେ ଦେଶର ଜାତୀୟ ପତାକା। ମୋଟ ୩୬ ଖେଳରେ ଭାରତୀୟ ଭାଗନେବେ। ଏସିଆର ଆଞ୍ଚଳିକ ଅଲିମ୍ପିକ୍ସ ଭାବେ ପରିଚିତ ଏସିଆଡ୍‌ରେ ଭାରତର ଅତୀତ ପ୍ରଦର୍ଶନ ଦେଖିଲେ କିଛି ଖରାପ ନାହିଁ। ପୂର୍ବ ୧୭ ସଂସ୍କରଣ ମଧ୍ୟରୁ ମାତ୍ର ଦୁଇ ଥର ଭାରତ ଶୀର୍ଷ ୮ ବାହାରେ ରହିଛି। ୧୯୯୦ରେ ବେଜିଂରେ ଏକାଦଶ ଏବଂ ୧୯୯୮ରେ ବ୍ୟାଙ୍କକ୍‌ରେ ନବମ ହୋଇଥିଲା। ପଦକ ଦୃଷ୍ଟିରୁ ଦେଖିଲେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ ୬୫ ମିଳିଥିଲା ୨୦୧୦ ଗୁଆଙ୍ଗଜୁରେ। ସେଥର ୧୪ ସ୍ୱର୍ଣ୍ଣ, ୧୭ ରୌପ୍ୟ ଏବଂ ୩୪ କାଂସ୍ୟ ଜିତିଥିଲା ଭାରତ। ସର୍ବାଧିକ ସ୍ୱର୍ଣ୍ଣ ପଦକ ସଫଳତା କିନ୍ତୁ ୧୯୫୧ ପ୍ରଥମ ସଂସ୍କରଣରୁ ରହିଛି। ନୂଆଦିଲ୍ଲୀରେ ସେଥର ଭାରତ ସର୍ବାଧିକ ୧୫ ସ୍ୱର୍ଣ୍ଣ ଜିତିଥିଲା। ସେହି ନୂଆଦିଲ୍ଲୀରେ ଭାରତ ମଧ୍ୟ ଦ୍ୱିତୀୟ ସ୍ଥାନ ଦଖଲ କରିବା ଆଉ କେବେ ସମ୍ଭବ ହୋଇନାହିଁ। ବିଗତ ୪ ସଂସ୍କରଣରେ ଭାରତ ଅନ୍ୟୁନ ୧୦ ଲେଖାଏଁ ସ୍ୱର୍ଣ୍ଣ ପଦକ ଜିତିବା ବଡ଼ କଥା। ଭାରତ ଏ ପର୍ଯ୍ୟନ୍ତ ମୋଟ ୧୩୯ ସ୍ୱର୍ଣ୍ଣ ପଦକ ଜିତିଛି। ଏହା ମଧ୍ୟରୁ ଦୌଡ଼କୁଦ ଦେଇଛି ସର୍ବାଧିକ ୭୨ଟି। କବାଡ଼ି ଏବଂ କୁସ୍ତି ୯ ଲେଖାଏଁ ସ୍ୱର୍ଣ୍ଣ ସହ ପରବର୍ତୀ ଶ୍ରେଷ୍ଠ ରହିଛି। ବ୍ୟାଡ୍‌ମିଣ୍ଟନ୍‌ ଏବଂ ଭାରୋତ୍ତୋଳନରେ ଭାରତ ଉନ୍ନତି କରିଛି ସତ କିନ୍ତୁ ଅଦ୍ୟାବଧି ସ୍ୱର୍ଣ୍ଣ ପଦକ ଜିତିନାହିଁ। ଗତ ଥରର ବିଜେତା ଭାରତ ଯଦି ଏଥର ପୁରୁଷ ହକି ସ୍ୱର୍ଣ୍ଣ ପଦକ ଜିତେ ତେବେ ଏଭଳି ସଫଳତା ପ୍ରଥମ ଥର ହେବ। ଏସିଆଡ୍‌ରେ ମାତ୍ର ୭ଟି ଦେଶ ପ୍ରତି ଥର ଭାଗ ନେଇଛନ୍ତି। ଭାରତ ସେମାନଙ୍କ ମଧ୍ୟରେ ଅନ୍ୟତମ। ଅନ୍ୟ ଦେଶଗୁଡ଼ିକ ହେଲେ ଇଣ୍ଡୋନେସିଆ, ଜାପାନ, ଫିଲିପାଇନ୍‌ସ, ଶ୍ରୀଲଙ୍କା, ସିଙ୍ଗାପୁର ଏବଂ ଥାଇଲାଣ୍ଡ୍‌।

ସମ୍ବନ୍ଧିତ ଖବର