ଇଂଲଣ୍ଡ ୨୫୧ ରନ୍‌ରେ ପରାସ୍ତ, ଅଷ୍ଟ୍ରେଲିଆକୁ ଜିତାଇଲେ ଲାୟନ-କମିନ୍ସ

ବର୍ମିଂହାମ: ବିଶ୍ବକପ୍‌ ବିଜୟର ସ୍ବପ୍ନକୁ ସାକାର କରିବାର ୩ ସପ୍ତାହ ପରେ ଇଂଲଣ୍ଡକୁ ଶକ୍ତ ଝଟକା ଲାଗିଛି। ନିଜ ମାଟିରେ ଆସେସ୍ ଅଭିଯାନକୁ ବଡ଼ ପରାଜୟରୁ ଆରମ୍ଭ କରିବାକୁ ବାଧ୍ୟ ହୋଇଛି। ଅନ୍ୟପକ୍ଷରେ ପ୍ରଥମ ଦିନ ସକାଳେ ୧୨୨/୮ରେ ସଂଘର୍ଷ କରିଥିବା ଅଷ୍ଟ୍ରେଲିଆ ୨୫୧ ରନ୍‌ରେ ବିଜୟୀ ହୋଇ ଟେଷ୍ଟ୍ କ୍ରିକେଟ୍‌ରେ ସବୁ ସମ୍ଭବ ବୋଲି ପ୍ରମାଣିତ କରିଛି। ଇଂଲଣ୍ଡ ସମ୍ମୁଖରେ କଙ୍ଗାରୁ ଦଳ ୩୯୮ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ସୋମବାର ଘରୋଇ ଦଳ କିନ୍ତୁ ୧୪୬ ରନ୍‌ରେ ସମସ୍ତ ୱିକେଟ୍‌ ହରାଇ ଦେଇଥିଲା। ଉଭୟ ପାଳିରେ ଶତକ ହାସଲ କରି ବିରଳ ସଫଳତା ପାଇଥିବା ଷ୍ଟିଭେନ୍ ସ୍ମିଥ୍ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସୋମବାର ଇଂଲଣ୍ଡ ୧୩/୦ରୁ ଖେଳିଥିଲେ ମଧ୍ୟ ଭଲ ଆରମ୍ଭ ପାଇନଥିଲା। ରୋରି ବର୍ନସ (୧୧)ଙ୍କୁ କମିନ୍ସ ପ୍ରଥମ ୱିକେଟ୍ ରୂପରେ ଆଉଟ୍ କରିବା ପରେ ଅଫସ୍ପିନର୍‌ ନାଥନ୍ ଲାୟନ୍ସଙ୍କ କମାଲ ଆଗରେ ଇଂଲଣ୍ଡ ଆତ୍ମସମର୍ପଣ କରିଥିଲା। ଜାସନ୍ ରୟ (୨୮), ଜୋ ରୁଟ୍ (୨୮), ଜୋ ଡେନଲି (୧୧)ଙ୍କୁ ଲାୟନ୍ ମଧ୍ୟାହ୍ନ ଭୋଜନ ପୂର୍ବରୁ ଆଉଟ୍ କରିଦେଇଥିଲେ। ଇଂଲଣ୍ଡ ୮୫/୪ରେ ସଂଘର୍ଷ କରିଥିଲା।‌ ଭୋଜନ ପରେ ଲାୟନ ଏବଂ କମିନ୍ସ ୩-୩ ୱିକେଟ୍‌ ଦଖଲ କରିନେବାରୁ ଇଂଲଣ୍ଡ ପାଳି ଚା’ପାନ ବିରତି ପୂର୍ବରୁ ହିଁ ୧୪୬ ରନ୍‌ରେ ଶେଷ ହୋଇଯାଇଥିଲା। ନାଥନ୍ ଲାୟନ୍ (୬/୪୯) ନିଜ ଖେଳ ଜୀବନର ୧୪ତମ ଥର ପାଇଁ ୫ ୱିକେଟ୍ ସଫଳତା ପାଇଥିଲେ।

ପାଳି ପଛୁଆ, ବଡ଼ ବିଜୟ
ପ୍ରଥମ ପାଳିରେ ୯୦ରୁ ଊର୍ଧ୍ବ ରନ୍ ପଛରେ ରହିବା ପରେ ୨୫୧ ରନ୍ ଜିତିବା ଟେଷ୍ଟ୍ କ୍ରିକେଟରେ ସବୁଠାରୁ ବଡ଼ ବ୍ୟବଧାନ। ପୂର୍ବରୁ ୧୯୬୬-୬୭ରେ ପ୍ରଥମ ପାଳିରେ ଦକ୍ଷିଣ ଆଫ୍ରିକା ୧୨୬ ରନ୍ ପଛରେ ରହିବା ସତ୍ତ୍ବେ ଅଷ୍ଟ୍ରେଲିଆକୁ ୨୩୩ ରନ୍‌ରେ ହରାଇବା ଆଜି ପର୍ଯ୍ୟନ୍ତ ଶୀର୍ଷରେ ଥିଲା। ସେହିଭଳି ଇଂଲଣ୍ଡ ମାଟିରେ ପ୍ରଥମ ପାଳି ପଛୁଆ ରହିବା ପରେ ଅଷ୍ଟ୍ରେଲିଆ ୩୮ ବର୍ଷ ପରେ ବିଜୟ ପାଇଛି। ଶେଷ ଥର ପାଇଁ ୧୯୮୧ରେ ୬ ରନ୍ ପଛରେ ପଡ଼ିଯିବା ପରେ ଟ୍ରେଣ୍ଟ୍ ବ୍ରିଜ୍ ଟେଷ୍ଟ୍‌କୁ କଙ୍ଗାରୁ ଦଳ ଜିତି ନେଇଥିଲା। ଏଜବାଷ୍ଟନ୍‌ରେ କିନ୍ତୁ କୌଣସି ଦଳ ପ୍ରଥମ ପାଳି ପଛୁଆ ରହିବା ପରେ ବିଜୟୀ ହେବା ପ୍ରଥମ ଉଦାହରଣ ହୋଇଛି। ଅନ୍ୟପକ୍ଷରେ ଇଂଲଣ୍ଡ ଏକ ଘରୋଇ ଟେଷ୍ଟ୍‌ରେ ପ୍ରଥମ ପାଳି ଅଗ୍ରଣୀ ନେଇ ହାରିବା ଏହା ଚତୁର୍ଥ ଉଦାହରଣ। ଶେଷ ଥର ପାଇଁ ୨୦୧୪ରେ ଲିଡ୍‌ସରେ ଶ୍ରୀଲଙ୍କାଠାରୁ ୧୦୮ ରନ୍ ଅଗ୍ରଣୀ ନେଇଥିଲେ ମଧ୍ୟ ହାରିଯାଇଥିଲା। ବିଗତ ୧୦୦ ବର୍ଷର ଆସେସ୍ ଇତିହାସରେ ଏକ ଦଳ ୧୨୨ ରନ୍‌ରେ ୮ ୱିକେଟ୍ ହରାଇବା ପରେ ବିଜୟୀ ହେବା ଏହା ତୃତୀୟ ଉଦାହରଣ ହୋଇଛି। ୧୯୫୪-୫୫ (୯୯/୮) ଏବଂ ୧୯୭୮-୭୯ (୯୮/୮)ରେ ଇଂଲଣ୍ଡ ସଂଘର୍ଷ କରିଥିଲେ ମଧ୍ୟ ବିଜୟୀ ହୋଇଥିଲା। ଏଜବାଷ୍ଟନ୍‌ରେ କିନ୍ତୁ ୨୫୧ ରନ୍‌ କୌଣସି ଦଳ ପାଇଁ ଦ୍ବିତୀୟ ବଡ଼ ବିଜୟ। ୨୦୦୪ରେ ୱେଷ୍ଟଇଣ୍ଡିଜ୍‌କୁ ଇଂଲଣ୍ଡ ୨୫୬ ରନ୍‌ରେ ହରାଇଥିଲା।

ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ପ୍ରଥମ ପାଳି-୨୮୪ (ଷ୍ଟିଭେନ୍ ସ୍ମିଥ୍-୧୪୪, ଷ୍ଟୁଆର୍ଟ ବ୍ରଡ୍‌-୫/୮୬)। ଇଂଲଣ୍ଡ ପ୍ରଥମ ପାଳି-୩୭୪ (ରୋରି ବର୍ନସ-୧୩୩, ପ୍ୟାଟ୍ କମିନ୍ସ-୩/୮୪, ନାଥନ୍ ଲାୟନ-୩/୧୧୨)। ଅଷ୍ଟ୍ରେଲିଆ ଦ୍ବିତୀୟ ପାଳି-୪୮୭/୭, ଘୋଷଣା (ଷ୍ଟିଭେନ୍ ସ୍ମିଥ୍‌-୧୪୨, ମାଥ୍ୟୁ ୱାଦେ-୧୧୦, ଜେମ୍ସ ପାଟିନସନ୍‌-୪୭*, ପ୍ୟାଟ୍ କମିନ୍ସ-୨୬*, ବେନ୍ ‌ଷ୍ଟୋକ୍ସ-୩/୮୫, ମୋଇନ୍ ଅଲୀ-୨/୧୩୦, କ୍ରିସ୍ ୱକ୍ସ-୧/୪୬, ଷ୍ଟୁଆର୍ଟ ବ୍ରଡ୍‌-୧/୯୧)। ଇଂଲଣ୍ଡ ଦ୍ବିତୀୟ ପାଳି-୫୨.୨ ଓଭରରେ ୧୪୬ (କ୍ରିସ୍ ୱକ୍ସ-୩୭, ନାଥନ୍ ଲାୟନ-୬/୪୯, ପ୍ୟାଟ୍ କମିନ୍ସ-୪/୩୨)।

ସମ୍ବନ୍ଧିତ ଖବର