ଅଷ୍ଟ୍ରେଲିଆ ବାତିଲ କଲା ବିମାନ ସେବା: ମୁମ୍ବାଇରେ ଫସିଲେ ଜାମ୍ପା, ରିଚାର୍ଡସନ୍

ମୁମ୍ବାଇ: ଭାରତରେ କରୋନାର ଦ୍ବିତୀୟ ଲହର ଊଗ୍ର ରୂପ ଧାରଣ କରିବା ପରେ ଆଇପିଏଲ୍‌ରୁ ଓହରି ଯାଇଥିବା ଦୁଇ ଅଷ୍ଟ୍ରେଲୀୟ କ୍ରିକେଟର୍‌ ଆଦାମ ଜାମ୍ପା ଓ କେନ୍ ରିଚାର୍ଡସନ୍ ଏବେ ଅଧା ନଈରେ ଅଟକି ଗଲା ଭଳି ପରିସ୍ଥିତିରେ ରହିଛନ୍ତି। ଭାରତରୁ ନିଜ ଦେଶକୁ ସିଧା ଆସୁଥିବା ସମସ୍ତ ବିମାନ ସେବାକୁ ଅଷ୍ଟ୍ରେଲିଆ ସରକାର ବାତିଲ କରିବା ପରେ ଏମାନେ ମୁମ୍ବାଇରେ ଫସି ରହିଛନ୍ତି। ଘରକୁ ଫେରିବା ଲାଗି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଦଳର ଜୈବ ବଳୟ ଛାଡ଼ି ଦେଇଥିଲା ବେଳେ ବିମାନ ସେବା ବାତିଲ ହେବା ପରେ ଅଷ୍ଟ୍ରେଲିଆ ଯାଇ ନପାରି ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଇପିଏଲ୍ ଛାଡ଼ିବାକୁ ନିଷ୍ପତ୍ତି ନେବା ପରେ ଉଭୟ ଜାମ୍ପା ଓ ରିଚାର୍ଡସନ୍ ଆର୍‌ସିବି ଜୈବ ବଳୟ ଛାଡ଼ି ମୁମ୍ବାଇ ବିମାନ ବନ୍ଦର ନିକଟରେ ଥିବା ହୋଟେଲକୁ ଚାଲି ଯାଇଥିଲେ। ଏବେ ସେହି ହୋଟେଲରେ ଅଟକି ରହିଛନ୍ତି। ନା ଅଷ୍ଟ୍ରେଲିଆ ଯାଇ ପାରୁଛନ୍ତି, ନା ଆର୍‌ସିବି ଜୈବ ବଳୟକୁ ଫେରି ପାରୁଛନ୍ତି। ଅଷ୍ଟ୍ରେଲିଆ ସରକାର ମେ’ ୧୫ ତାରିଖ ପର୍ଯ୍ୟନ୍ତ ଭାରତରୁ ଯାଉଥିବା ସମସ୍ତ ବିମାନ ଉପରେ ରୋକ୍ ଲଗାଇଥିଲା ବେଳେ ମୁମ୍ବାଇରେ ମଧ୍ୟ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ୁଛି। ଏଣୁ ଉଭୟ ଏବେ ଘୋର ମାନସିକ ଚାପରେ ରହିଛନ୍ତି। ଏହି ବିଷୟ କ୍ରିକେଟ୍ ଅଷ୍ଟ୍ରେଲିଆ ସେଠାକାର କ୍ରିକେଟର ସଂଘ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଜଣାଇ ସହାୟତା ପାଇଁ ଅନୁରୋଧ କରିଛି। ଭାରତରୁ ଅଷ୍ଟ୍ରେଲିଆ ସିଧା ନଯାଇ ଆଣ୍ଡ୍ର୍ୟୁ ଟାଏ ଦିନକ ପୂର୍ବରୁ ଯେଉଁ ବାଟ ଦେଇ ଅଷ୍ଟ୍ରେଲିଆ ଫେରିଛନ୍ତି ସେହି ବାଟରେ ସ୍ବଦେଶ ଫେରିବାକୁ ଜାମ୍ପା ଓ ରିଚାର୍ଡସନ୍‌ଙ୍କୁ ପରାମର୍ଶ ଦେଇଛି।

ନିଜ କଥା ନିଜେ ବୁଝ: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ
ଜାମ୍ପା ଓ ରିଚାର୍ଡସନ୍‌ଙ୍କ ସହ ଭାରତରୁ ଅଷ୍ଟ୍ରେଲିଆ ଫେରିବାକୁ ଚାହୁଥିବା କ୍ରିକେଟରଙ୍କୁ ସହଯୋଗର ହାତ ବଢ଼ାଇବାକୁ କ୍ରିକେଟ୍ ଅଷ୍ଟ୍ରେଲିଆ ନିଜ ସରକାରଙ୍କୁ ଅନୁରୋଧ କରିଥିଲେ ମଧ୍ୟ ଏହି ମାମଲାରେ କୌଣସି ପ୍ରକାର ସହାୟତା ଦେବାକୁ ସେଠାକାର ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସ୍ ରୋକ୍‌ଠୋକ୍ ଭାବେ ମନା କରି ଦେଇଛନ୍ତି। ନିଜ କଥା ନିଜେ ବୁଝି ବୋଲି କହି ଏହି ଅନୁରୋଧକୁ ସ୍ପଷ୍ଟ ଭାବେ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି ସେ। ମୋରିସ୍ ବୁଧବାର ଦେଇଥିବା ସାକ୍ଷାତକାର ଅବସରରେ କହିଛନ୍ତି ଯେ ସେମାନଙ୍କୁ (ଆଇପିଏଲ୍ ଖେଳୁଥିବା ଅଷ୍ଟ୍ରେଲୀୟ ଖେଳାଳିଙ୍କୁ) ନିଜ ବ୍ୟବସ୍ଥା ନିଜେ କରିବାକୁ ହେବ। ଏହା ଅଷ୍ଟ୍ରେଲିଆ ଜାତୀୟ ଦଳର ଗସ୍ତ ନୁହେଁ। ସେମାନେ ନିଜ ପାଇଁ ରୋଜଗାର କରିବାକୁ ଯାଇଥିଲେ। ଏଣୁ ନିଜ ଖର୍ଚ୍ଚରେ ଘରକୁ ଫେରିବାକୁ ହେବ। ସୂଚନାଯୋଗ୍ୟ, ଆଇପିଏଲ୍‌ରୁ ୩ ଜଣ ଅଷ୍ଟ୍ରେଲୀୟ ଖେଳାଳି ଜାମ୍ପା, ରିଚାର୍ଡସନ୍ ଓ ଟାଏ ଓହରି ସାରିଥିଲା ବେଳେ ଏବେବି ବିଭିନ୍ନ ଦଳ ପକ୍ଷରୁ ୧୪ ଜଣ ଖେଳୁଛନ୍ତି। ସେହିଭଳି ଏକାଧିକ ଅଷ୍ଟ୍ରେଲୀୟ କ୍ରିକେଟ୍ ବିଶେଷଜ୍ଞ ଆଇପିଏଲ୍‌ରେ ଭାଷ୍ୟକାର ଏବଂ ଅନ୍ୟାନ୍ୟ ଦାୟିତ୍ବ ତୁଲାଉଛନ୍ତି।

କ୍ରିକେଟ୍ ଅଷ୍ଟ୍ରେଲିଆର ତୀକ୍ଷ୍ଣ ନଜର
ଅଷ୍ଟ୍ରେଲିଆ ସରକାରଙ୍କଠାରୁ ନାସ୍ତିବାଣୀ ଶୁଣିବା ପରେ କ୍ରିକେଟ୍ ଅଷ୍ଟ୍ରେଲିଆ ନିଜ ଖେଳାଳିଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ ସହ ଭାରତର କରୋନା ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି। ବିସିସିଆଇ ଏବଂ ନିଜ ଖେଳାଳି, ଅମ୍ପାୟାର, ମ୍ୟାଚ୍ ଅଧିକାରୀ ତଥା ଅନ୍ୟାନ୍ୟ କର୍ମଚାରୀଙ୍କ ସଂପର୍କରେ ଅଛି। ବୁଧବାର ପ୍ରକାଶ କରିଥିବା ପ୍ରେସ୍ ବିଜ୍ଞପ୍ତିରେ କ୍ରିକେଟ୍ ଅଷ୍ଟ୍ରେଲିଆ କହିଛି ଯେ ଭାରତରୁ ଆସୁଥିବା ସିଧା ବିମାନ ସେବା ବାତିଲ ହେବା ପରେ ଆମେ ଏହି ବିଷୟରେ ଅଷ୍ଟ୍ରେଲିଆ ସରକାରଙ୍କ ଯୋଗାଯୋଗରେ ଅଛୁ। ଆଜିଠାରୁ ମେ’ ୩୦ (ଆଇପିଏଲ୍ ଶେଷ ହେବା ପର୍ଯ୍ୟନ୍ତ) ପର୍ଯ୍ୟନ୍ତ ଆମେ ପରିସ୍ଥିତି ଉପରେ ନଜର ରଖିବୁ। ଜୈବ ବଳୟ ଭିତରେ ଥିବା ସମସ୍ତ ଖେଳାଳି ସଂପୂର୍ଣ୍ଣ ସୁସ୍ଥ ଓ ସୁରକ୍ଷିତ ଥିବାରୁ ବିସିସିଆଇକୁ ଧନ୍ୟବାଦ ଦେଉଛୁ।

ବ୍ୟସ୍ତ ହୁଅନି, ଘରେ ପହଞ୍ଚାଇବା ଦାୟିତ୍ବ ଆମର: ବିସିସିଆଇ
କ୍ରିକେଟ୍ ଅଷ୍ଟ୍ରେଲିଆ ଓ ଆଇପିଏଲ୍ ଖେଳୁଥିବା ସମସ୍ତ ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ଆଦୌ ବ୍ୟସ୍ତ ନହେବାକୁ ବିସିସିଆଇ କହିଛି। ବ୍ୟସ୍ତ ନହୋଇ କ୍ରିକେଟ୍ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେବା ସହ ଘରେ ପହଞ୍ଚାଇବାର ସଂପୂର୍ଣ୍ଣ ଦାୟିତ୍ବ ନେବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଛି। ବିସିସିଆଇ ମୁଖ୍ୟ ପରିଚାଳନା ଅଧିକାରୀ ହେମାଙ୍ଗ ଅମିନ ଖେଳାଳିଙ୍କୁ ପତ୍ର ଲେଖି ମନରେ ଥିବା ସମସ୍ତ ଭୟ ଓ ସଂଶୟ ଦୂର କରିବାକୁ ଆହ୍ବାନ କରିଛନ୍ତି। ନିଜ ପତ୍ରରେ ଶ୍ରୀ ଅମିନ ଲେଖିଛନ୍ତି ଯେ ଆଇପିଏଲ୍‌ ଶେଷ ହେବା ପରେ ଆପଣମାନେ କେମିତି ନିଜ ଘରକୁ ଫେରିବେ ସେ ନେଇ ଦ୍ବନ୍ଦ୍ବ, ସଂଶୟ ଓ ଭୟ ଭିତରେ ଅଛନ୍ତି। ଆମେ ଅପଣମାନଙ୍କୁ ଦୃଢ଼ତାର ସହ କହିବାକୁ ଚାହୁଛୁ ଯେ ଭୟ କରିବାର କୌଣସି ଆବଶ୍ୟକତା ନାହିଁ। ଆପଣମାନେ ଯେମିତି ବିନା ଅସୁବିଧାରେ ଘରେ ପହଞ୍ଚିବେ ତା’ର ସବୁ ବ୍ୟବସ୍ଥା ବିସିସିଆଇ କରିବ। ବିସିସିଆଇ ଘଟଣା ଉପରେ ନଜର ରଖିଛି। ଆଇପିଏଲ୍ ସରିବା ପରେ ଆପଣମାନେ ଯେମିତି ସୁରୁଖୁରୁରେ ଘରେ ପହଞ୍ଚିଯିବେ ସେଥିଲାଗି ସରକାରୀ ସଂସ୍ଥାଗୁଡ଼ିକ ସହ ଯୋଗଯୋଗ ରଖିଛି। ଆପଣମାନେ ଆଶ୍ବସ୍ତ ରୁହନ୍ତୁ ଯେ ଆପଣମାନେ ଭଲରେ ଭଲରେ ଘରେ ନ ପହଞ୍ଚିବା ପର୍ଯ୍ୟନ୍ତ ବିସିସିଆଇ ପାଇଁ ଏହି ପ୍ରତିଯୋଗିତା ଶେଷ ହେବନି।

ଖେଳାଳି ଅତ୍ୟନ୍ତ କଠିନ ସମୟ ଦେଇ ଗତି କରୁଛନ୍ତି: ପଣ୍ଟିଂ
ଆଇପିଏଲ୍ ଜୈବ ବଳୟ ବାହାରେ ଯାହା ଘଟୁଛି, ତାହା ଅତ୍ୟନ୍ତ ଚିନ୍ତାଜନକ। ପଡ଼ିଆ ଭିତର ଅପେକ୍ଷା ବାହାରେ ଘଟୁଥିବା ଘଟଣା ନେଇ ଏଥର ଅଧିକ ଆଲୋଚନା ହେଉଛି। ଦେଶ ଭିତରେ (ଭାରତରେ) ଆମେ ହୁଏତ ସବୁଠାରୁ ସୁରକ୍ଷିତ ସ୍ଥାନରେ ଅଛୁ। ତଥାପି ମୁଁ ଖେଳାଳିମାନଙ୍କୁ ଆହ୍ବାନ କରୁଛି ଯେ ସେମାନେ ଏହି ବିଷୟ ସାଥୀ ଖେଳାଳିଙ୍କ ସହ ଚର୍ଚ୍ଚା କରନ୍ତୁ। ଏହାହେଲେ ସେମାନେ କିଛିଟା ଚାପମୁକ୍ତ ହୋଇ ପାରିବେ। ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ ପ୍ରଶିକ୍ଷକ ତଥା ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ରିକି ପଣ୍ଟିଂ ବୁଧବାର ଏକ ଭିଡିଓ ବାର୍ତ୍ତାରେ ଏହା କହିଛନ୍ତି। ସେହିଭଳି ବାହାରର ପରିସ୍ଥିତି ପାଇଁ ଖେଳାଳିମାନେ ଏବେ ଘୋର ଚାପରେ ରହିବା ସହ କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି ବୋଲି ସ୍ବୀକାର କରିଛନ୍ତି ସେ। ପଣ୍ଟିଂ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଳିମାନଙ୍କୁ ଏକାଠି ରହିବାକୁ ଆହ୍ବାନ କରିଛନ୍ତି। ଦଳକୁ ଏକ ପରିବାର ଭାବେ ନେଇ ନିଜ ସୁଖ ଦୁଃଖ ସାଥୀ ଖେଳାଳିଙ୍କ ସହ ବାଣ୍ଟିବାକୁ ପରାମର୍ଶ ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ ଆମେ ଆଶା କରୁଛୁ ବାହାରର ଲୋକମାନେ ସୁରକ୍ଷିତ ଥିବେ। ଏହା ମୋ ପାଇଁ ସବୁଠାରୁ ବଡ଼ କଥା। ପରିବାରବର୍ଗ ବାହାରେ ଥିଲେ ସେମାନଙ୍କର ଯେତିକି ଯତ୍ନ ନେଇ ପାରନ୍ତେ, ଜୈବ ବଳୟ ଭିତରେ ରହି ତାଠାରୁ ଯଥେଷ୍ଟ ଭଲ ଯତ୍ନ ନେଇ ପାରୁଛନ୍ତି ଆମ ଖେଳାଳି । କୋଲକାତା ନାଇଟ୍ ରାଇଡର୍ସ ଦଳର ମାର୍ଗଦର୍ଶକ ଥିବା ଅଷ୍ଟ୍ରେଲିଆର ଅନ୍ୟତମ ପୂର୍ବତନ ଖେଳାଳି ମାଇକ୍ ହସି ମଧ୍ୟ ପଣ୍ଟିଂଙ୍କ ସହ ଏକମତ ହୋଇଛନ୍ତି। ଅଷ୍ଟ୍ରେଲୀୟ ଖେଳାଳିମାନେ କରୋନା ସ୍ଥିତିକୁ ନେଇ ପୂରା ଭୟଭିତ ଥିବା ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର