ଅଷ୍ଟ୍ରେଲିଆ ୨୪୨ ରନ୍‌ରେ ପରାସ୍ତ:ଦିନିକିଆ ବିଶ୍ୱ କୀର୍ତିମାନ

ଇଂଲଣ୍ଡ ଜିତିଲା ଶୃଙ୍ଖଳା

ନଟିଂହାମ୍‌: ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବିଶ୍ୱ କୀର୍ତିମାନ ପ୍ରତିଷ୍ଠା ହୋଇଛି। ମଙ୍ଗଳବାର ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ଘରୋଇ ଇଂଲଣ୍ଡ ନିର୍ଧାରିତ ୫୦ ଓଭରରେ ୬ ଓ୍ଵିକେଟ୍‌ ବିନିମୟରେ ୪୮୧ ରନ୍‌ କରି ନିଜ ନାମରେ ଥିବା ପୂର୍ବ କୀର୍ତିମାନ (୪୪୪ ବନାମ ପାକିସ୍ତାନ, ନଟିଂହାମ୍‌, ୨୦୧୬)କୁ ପଛରେ ପକାଇ ଦେଇଛି। ଏଥି ସହିତ ଦିନିକିଆ କ୍ରିକେଟ୍‌ ଇତିହାସର ୪୦୧୧ତମ ମ୍ୟାଚ୍‌ରେ ଇଂଲଣ୍ଡ ପ୍ରଥମ ଦେଶ ଭାବେ ୪୫୦ ରନ୍‌ ଅତିକ୍ରମ କରିଛି। ଲିଷ୍ଟ-ଏ ଇତିହାସ ଦେଖିଲେ କିନ୍ତୁ ଏହାଠାରୁ ଏକମାତ୍ର ସର୍ବାଧିକ ସ୍କୋର୍‌ ସରେ (୪୯୬ ବନାମ ଗ୍ଲସେଷ୍ଟରସାୟାର, ୨୦୦୭) ନାମରେ ରହିଛି। ଏହି କୀର୍ତିମାନ ସହିତ ଇଂଲଣ୍ଡ ମଧ୍ୟ ମଙ୍ଗଳବାର ୫ ମ୍ୟାଚ୍‌ ଶୃଙ୍ଖଳାକୁ ୩-୦ରେ ଆଗୁଆ ଜିତି ନେଇଛି।
ପ୍ରଥମ ଦୁଇ ଦିନିକିଆରେ ବିଜୟୀ ଇଂଲଣ୍ଡ ବୁଧବାର ଟ୍ରେଣ୍ଟ୍‌ ବ୍ରିଜ୍‌ରେ ମଧ୍ୟ ପ୍ରାଧାନ୍ୟ ବିସ୍ତାର କରିଥିଲା। ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ଇଂଲଣ୍ଡ ପାଇଁ ଜାସନ୍‌ ରୟ (୮୨, ୬୧ ବଲ, ୭ ଚୌକା, ୪ ଛକା) ଏବଂ ଜନି ବେୟାର୍‌ଷ୍ଟୋ (୧୩୯, ୯୨ ବଲ୍‌, ୧୫ ଚୌକା, ୫ ଛକା) ପ୍ରଥମ ଓ୍ଵିକେଟ୍‌ରେ ମାତ୍ର ୧୯.୩ ଓଭରରେ ୧୫୯ ରନ୍‌ ଉଠାଇଥିଲେ। ଏହା ପରେ ଆଲେକ୍ସ ହେଲ୍‌ସ (୧୪୭*, ୯୨ ବଲ୍‌, ୧୬ ଚୌକା, ୫ ଛକା) ମଧ୍ୟ ରନ୍‌ ଝଡ଼ ସୃଷ୍ଟି କରିଥିଲେ। ଶେଷକୁ ହେଲ୍‌ସଙ୍କୁ ସାଥୀ କରି ଅଧିନାୟକ ଇଅନ୍‌ ମୋର୍ଗାନ୍‌ (୬୭, ୩୦ ବଲ୍‌, ୩ ଚୌକା, ୬ ଛକା) ଆଉ ଏକ ଶତକୀୟ ଭାଗୀଦାରି ପ୍ରତିଷ୍ଠା କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଝାଏ ରିଚାର୍ଡସନ୍‌ (୧୦-୧-୯୨-୩) ସଫଳ ବୋଲର ଥିଲେ। ଇଂଲଣ୍ଡ ପାଳିରେ ମୋଟ ୪୧ ଚୌକା ଏବଂ ୨୧ ଛକା ଦେଖିବାକୁ ମିଳିଥିଲା। ଫଳରେ ମୋଟ ୨୯୦ ରନ୍‌ ବାଉଣ୍ଡରିରୁ ଆସିଥିଲା।
ଜବାବରେ ଅଷ୍ଟ୍ରେଲିଆ ମାତ୍ର ୨୩୯ ରନ୍‌ରେ ଆଉଟ୍‌ ହୋଇ ୨୪୨ ରନ୍‌ର ବଡ଼ ବ୍ୟବଧାନରେ ମ୍ୟାଚ୍‌ ସହିତ ଶୃଙ୍ଖଳା ହାରିଯାଇଥିଲା। ୫ ମ୍ୟାଚ୍‌ ଶୃଙ୍ଖଳାରେ ଇଂଲଣ୍ଡ ୩-୦ରେ ଆଗୁଆ ହୋଇଛି। ବିସ୍ଫୋରକ ଶତକ ପାଇଁ ଆଲେକ୍ସ ହେଲ୍‌ସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।
ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ୫୦ ଓଭରରେ ୪୮୧/୬ (ଆଲେକ୍ସ ହେଲ୍‌ସ-୧୪୭, ଜନି ବେୟାରଷ୍ଟୋ-୧୩୯, ଜାସନ୍‌ ରୟ-୮୧, ଇଅନ୍‌ ମୋର୍ଗାନ୍‌-୫୭,
ଝାଏ ରଚାର୍ଡସନ୍‌-୩/୯୨, ଆଷ୍ଟନ୍‌ ଆଗର୍‌-୧/୭୦, ଆଣ୍ଡ୍ରିଉ ଟାଇ-୦/୧୦୦)। ଅଷ୍ଟ୍ରେଲିଆ ୩୭ ଓଭରରେ ୨୩୯ (ଟ୍ରାଭିସ୍‌ ହେଡ୍‌-୫୧, ମାର୍କସ ଷ୍ଟୋଇନିସ୍‌-୪୪, ଆଦିଲ୍‌ ରସିଦ୍‌-୪/୪୭, ମୋଇନ୍‌ ଅଲୀ-୩/୨୮, ଡେଭିଡ୍‌ ଓ୍ଵିଲି-୨/୫୬)।

ସମ୍ବନ୍ଧିତ ଖବର