ଆଜି ଅଷ୍ଟ୍ରେଲିଆ-ଇଣ୍ଡିଜ୍ ଲଢ଼େଇ

ନଟିଂହାମ: ଗୁରୁବାର ବିଶ୍ବକପ୍‌ରେ ଆଉ ଏକ ବଡ଼ ମ୍ୟାଚ୍‌ ଖେଳାଯିବ। ୫ ଥର ବିଜେତା ଅଷ୍ଟ୍ରେଲିଆ ସହିତ ଖେଳିବ ୨ ଥର ବିଜେତା ୱେଷ୍ଟଇଣ୍ଡିଜ୍। ଉଭୟ ଦଳ ନିଜ ନିଜ ପ୍ରଥମ ମ୍ୟାଚ୍‌ ଖେଳି ସାରିଛନ୍ତି ଏବଂ ସମାନ ୭ ୱିକେଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଅଷ୍ଟ୍ରେଲିଆ ପ୍ରତିପକ୍ଷ ଆଫଗାନିସ୍ତାନକୁ ଏବଂ ୱେଷ୍ଟଇଣ୍ଡିଜ୍ ଏସୀୟ ଦଳ ପାକିସ୍ତାନକୁ ପରାସ୍ତ କରିଥିଲା। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍ ଏକାଧିକ ସର୍ଟ ପିଚ୍‌ ବଲ୍ ବୋଲିଂ କରି ସଫଳତା ପାଇଥିବାରୁ ଗୁରୁବାର ମ୍ୟାଚ୍‌ରେ ଏଭଳି ଆଶଙ୍କା କରିଛନ୍ତି ପ୍ରତିପକ୍ଷ ଅଷ୍ଟ୍ରେଲିଆ ଅଧିନାୟକ ଅରୋନ୍‌ ଫିଞ୍ଚ୍। ‘ଏହା ନିଶ୍ଚିତ ଏକ ଆକ୍ରମଣାତ୍ମକ ମ୍ୟାଚ୍‌ ହେବ’ ବୋଲି କହିଛନ୍ତି ଫିଞ୍ଚ୍‌। ୱେଷ୍ଟଇଣ୍ଡିଜ୍‌ ମନୋରଂଜନଧର୍ମୀ କ୍ରିକେଟ୍‌ ଖେଳୁଛି ଏବଂ ଆମେ ମଧ୍ୟ ଅନୁଭବ କରୁଛୁ ସମାନ ଭଳି ଖେଳୁଛୁ। ବ୍ୟାଟିଂରେ ମଧ୍ୟ ସେମାନେ ଭଲ କରିବେ ଯେଭଳି କରି ଆସିଥାନ୍ତି। ପ୍ରଥମରୁ ପଛକୁ‌ ଠେଲିଦେବାକୁ ଚାହିଁବେ। ଆମେ କିନ୍ତୁ ଠିକଣା ଯାଗାରେ ବୋଲିଂ କରିପାରିଲେ ପ୍ରଥମରୁ ୱିକେଟ୍‌ ନେଇ ପାରିବୁ। ମ୍ୟାଚ୍‌ ପୂର୍ବରୁ ଆମେ ଅଧିକ କିଛି ଚିନ୍ତା ନ କରି ପରିସ୍ଥିତି ଅନୁସାରେ‌ ଖେଳିବୁ ବୋଲି କହିଛନ୍ତି ଫିଞ୍ଚ୍‌।
ବିଶ୍ବକପ୍‌ ପୂର୍ବରୁ ସାଉଥମ୍ପଟନ୍‌ରେ ଖେଳାଯାଇଥିବା ୱାର୍ମ ଅପ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ମଧ୍ୟ ୭ ୱିକେଟ୍‌ ବ୍ୟବଧାନରେ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରିଥିଲା। ୨୨୯ ରନ୍ ବିଜୟ ଲକ୍ଷ୍ୟକୁ ୩୯ତମ ଓଭରରେ ହାସଲ କରି ନେଇଥିଲା। ଆମେ ଭଲ ଅଭ୍ୟାସ କରିଛୁ ଏବଂ ସନ୍ତୁଳିତ ଦଳ ରଖିଛୁ ବୋଲି ଫିଞ୍ଚ୍ କହିଛନ୍ତି। ବିଶ୍ବକପ୍‌ ପୂର୍ବରୁ ଆମେ ପେସ୍‌ ଅପେକ୍ଷା ସ୍ପିନ୍ ବୋଲିଂକୁ ଅଧିକ ସମ୍ମୁଖୀନ ହୋଇ ନିଜକୁ ପ୍ରସ୍ତୁତ କରିଛୁ ବୋଲି କହିଛନ୍ତି ପ୍ରଶିକ୍ଷକ ଜଷ୍ଟିନ୍ ଲାଙ୍ଗର। ୨୦୧୫ ବିଶ୍ବକପ୍‌ଠାରୁ ଏ ବିଶ୍ବକପ୍‌ ମଧ୍ୟରେ ମାତ୍ର ୨ଟି ଦିନିକିଆ ‌‌ଖେଳିଥିବା ଆନ୍ଦ୍ରେ ରସେଲ ପାକିସ୍ତାନ ବିପକ୍ଷରେ ଦେଖାଇଥିବା ୩ ଓଭର ବୋଲିଂ ବିସ୍ଫୋରଣକୁ ମଧ୍ୟ ଫିଞ୍ଚ୍‌ ନଜରରେ ରଖିଛନ୍ତି। ରସେଲ ଏବଂ ହୋଲଡର ସମାନ ଢଙ୍ଗରେ ବୋଲିଂ କରନ୍ତି ବୋଲି ଫିଞ୍ଚ୍ କହିଛନ୍ତି। କିନ୍ତୁ ଆଇପିଏଲ୍ ଏବଂ ବିଗ୍ ବାସ୍ ଲିଗ୍ ଅଭିଜ୍ଞତାକୁ ଉପଯୋଗ କରି ଆମେ ଦ୍ରୁତ‌ ବୋଲିଂ ଜରିଆରେ କ୍ରିସ୍ ଗେଲଙ୍କୁ ରୋକିବାକୁ ଚାହିଁବୁ। ଏଥି ପାଇଁ ଶୃଙ୍ଖଳିତ ବୋଲିଂର ଆବଶ୍ୟକତା ରହିଛି। ଆମକୁ କେବଳ ସକାରାତ୍ମକ ଏବଂ ଆକ୍ରାମକ ଆଭିମୁଖ୍ୟ ରଖି ୱିକେଟ୍ ନେବା ବିକଳ୍ପ ଦେଖିବାକୁ ହେବ ବୋଲି ଫିଞ୍ଚ୍ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର