ଅଷ୍ଟ୍ରେଲିଆ ୩୨୨ ରନ୍‌ରେ ହାରିଗଲା

କେପ୍‌ ଟାଉନ୍‌: ବଲ୍‌ ବିକୃତ ବିବାଦ ଛାଇଯିବା ପରେ ପ୍ରବଳ ମାନସିକ ଚାପରେ ପଡ଼ିଥିବା ଅଷ୍ଟ୍ରେଲିଆ ଦଳ କେପ୍‌ଟାଉନ୍‌ ଟେଷ୍ଟ୍‍କୁ ଚତୁର୍ଥ ଦିନରେ ହିଁ ହାରିଯାଇଛି। ୩୨୨ ରନ୍‌ର ବଡ଼ ବ୍ୟବଧାନ ବିଜୟ ସହିତ ଘରୋଇ ଦକ୍ଷିଣ ଆଫ୍ରିକା ୪ ମ୍ୟାଚ୍‌ ଶୃଙ୍ଖଳାରେ ୨-୧ରେ ଆଗୁଆ ମଧ୍ୟ ହୋଇଯାଇଛି। ଭ୍ରମଣକାରୀ ଦଳ ସମ୍ମୁଖରେ ୪୩୦ ରନର ବିଜୟ ଲଧ୍ୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ କଙ୍ଗାରୁ ଦଳ ୩୯.୪ ଓଭର ଭିତରେ ସମସ୍ତ ଓ୍ଵିକେଟ୍‌ ହରାଇ ମାତ୍ର ୧୦୭ ରନ୍‌ କରି ଆତ୍ମସମର୍ପଣ କରିଥିଲା। ମର୍ନି ମର୍କେଲ୍‌ (୯.୪-୩-୨୩-୫) ସଫଳତମ ବୋଲର ରହିଥିଲେ। ମ୍ୟାଚ୍‌ରେ ମୋଟ ୯ ଓ୍ଵିକେଟ୍‌ ନେଇ ଟେଷ୍ଟ୍‍ରେ ତୃତୀୟ ଥର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ପାଇଥିଲେ। ୪୮ ବର୍ଷ ପରେ ଦକ୍ଷିଣ ଆଫ୍ରିକାକୁ ଅଷ୍ଟ୍ରେଲିଆ ବିପକ୍ଷରେ ମିଳିଛି ସବୁଠୁ ବୃହତମ ବିଜୟ। ଶେଷ ଥର ପାଇଁ ୧୯୭୦ ମସିହାରେ ଦକ୍ଷିଣ ଆଫ୍ରିକା ୩୨୩ ରନ୍‌ରେ ପୋର୍ଟ ଏଲିଜାବେଥ୍‌ ଟେଷ୍ଟ୍‍ରେ ଅଷ୍ଟ୍ରେଲିଆକୁ ହରାଇଥିଲା। ପ୍ରଥମ ଓ୍ଵିକେଟ୍‌ରେ ୫୦ରୁ ଊର୍ଧ୍ୱ ରନ୍‌ ମିଳିବା ପରେ ୧୦୭ ରନ୍‌ ଥିଲା ଟେଷ୍ଟ୍‍ କ୍ରିକେଟ୍‌ରେ ଚତୁର୍ଥ ସର୍ବନିମ୍ନ ସ୍କୋର୍‌।
ସଂକ୍ଷିପ୍ତ ସ୍କୋର୍‌: ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି: ୩୧୧। ଅଷ୍ଟ୍ରେଲିଆ ପ୍ରଥମ ପାଳି: ୨୫୫। ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ପାଳି: ୩୭୩ (ମର୍କରାମ-୮୪, ଡି’ଭିଲିୟର୍ସ-୬୩, କ୍ୱିଣ୍ଟନ୍‌ ଡି’କକ୍‌-୬୫, କମିନ୍‌ସ-୩/୬୭, ହାଜେଲ୍‌ଉଡ୍‌-୩/୬୯, ଲିଅନ୍‌-୩/୧୦୨)। ଅଷ୍ଟ୍ରେଲିଆ ଦ୍ୱିତୀୟ ପାଳି: ୧୦୭ (ଓ୍ଵାର୍ନର-୩୨, ମର୍କେଲ୍‌-୫/୨୩, ମହାରାଜ-୨/୩୨, ରବାଦା-୧/୩୧)।

ସମ୍ବନ୍ଧିତ ଖବର