ଏମିତି ଚାଲିଛି ବ୍ୟାଡ୍‌ମିଣ୍ଟନ୍ ବିକାଶ: ଓଡ଼ିଶା ଖେଳାଳି ଶୋଷିତ

ଭୁବନେଶ୍ବର: ଭାରତକୁ ଲଗାତାର ଭାବେ ବ୍ୟାଡମିଣ୍ଟନ୍‌ରୁ ଅଲିମ୍ପିକ୍ସ ପଦକ ମିଳିବା ପରେ ଦେଶସାରା ଏହି ଖେଳର ପ୍ରଚାର ଓ ପ୍ରସ‌ାର ବଢ଼ିଛି। ଓଡ଼ିଶାରେ ବି ଏହି ଖେଳର ଲୋକପ୍ରିୟତା ଓ ଚାହିଦା ଉପରମୁହାଁ ହୋଇଛି। ଏହାକୁ ନଜରରେ ରଖି ସରକାର ଓ କ୍ରୀଡ଼ା ପ୍ରଶାସକମାନେ ଏହାକୁ ପ୍ରୋତ୍ସାହିତ କରିବା ଦୂରର କଥା ନିରୁତ୍ସାହିତ କରିବାକୁ ଯୋଜନାବଦ୍ଧ କାର୍ଯ୍ୟକ୍ରମ କରୁଥିବାର ଅଭିଯୋଗମାନ ଆସିବାରେ ଲାଗିଲାଣି। ରାଜ୍ୟରେ ଓଡ଼ିଶା ଓପନ୍ ଭଳି ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଦ ଥାପିଛି ସତ କିନ୍ତୁ ରାଜ୍ୟର ତୃଣମୂଳସ୍ତରରୁ ଖେଳାଳିଙ୍କୁ ସମର୍ଥନ ଦେବାର କାଣିଚାଏ ଉଦାହରଣ ଦେଖିବାକୁ ମିଳିନାହୁଁ। ଗୋଟିଏ ସଦ୍ୟତମ ସରକାରୀ ନିଷ୍ପତ୍ତିରୁ ଏହା ସହଜରେ ଅନୁମେୟ ହୋଇଯିବ। ରାଜଧାନୀର କେନ୍ଦ୍ରସ୍ଥଳରେ ଥିବା ୟୁନିଟ୍-୧ ଇନ୍‌ଡୋର୍‌ ହଲ୍‌ ଓ ଜିମ୍ନାସିୟମ୍‌ରେ ବ୍ୟାଡମିଣ୍ଟନ୍ ତାଲିମ ପାଇଁ ଧାର୍ଯ୍ୟ ରାଶିକୁ କମାଇବା ପରିବର୍ତେ ବଢ଼ାଇ ଦିଆଯାଇଛି। ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ‌କେବଳ ପ୍ରତିଯୋଗିତାମାନ ଆୟୋଜନ କରୁଥିବା ବେଳେ ପ୍ରତିଭାବାନ ଖେଳାଳିଙ୍କ ଆଗମନର ମୂଳ ଉତ୍ସକୁ ଆକ୍ରମଣ କରିବାକୁ ବିଭିନ୍ନ ମହଲରୁ ନାପସନ୍ଦ କରାଯାଇଛି। ଏହି ୩୩ ବର୍ଷର ପୁରୁଣା ଇନ୍‌ଡୋର୍‌ ହଲରେ ତାଲିମ ନେବା ଲାଗି ପୂର୍ବରୁ ଜଣଙ୍କ ପିଛା ଘଣ୍ଟାକୁ ମାସିକ‌ ଦେୟ ୩୦୦ ଟଙ୍କା ଥିଲା,ଏବେ ତାହାକୁ ୮୦୦ ଟଙ୍କା କରିଦିଆଯାଇଛି। ଫଳରେ ଏଠାକୁ ଆସୁଥିବା ଗରିବ ଶ୍ରେଣୀର ପିଲାଙ୍କ ପାଇଁ ଖେଳ ଛାଡ଼ିବା ଶେଷ ବିକଳ୍ପ ଭାବେ ଉଭା ହେଲାଣି।

ଏଠାରେ ଖେଳିବାକୁ ହେଲେ ବାର୍ଷିକ ପଞ୍ଜୀକରଣ ଲାଗି ଥରେ ୧୦୦୦ ଟଙ୍କା ବାଦ ମାସିକ ବ୍ୟାଡ୍‌ମିଣ୍ଟନ୍‌ ଦେୟକୁ ୮୦୦ ଟଙ୍କା ଓ ଟେବୁଲ୍ ଟେନିସ୍‌ ଲାଗି ମାସିକ ୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ବିଡ଼ମ୍ବନାର ବିଷୟ ହେଉଛି ଏଠାରେ ପ୍ରଶିକ୍ଷଣ ଦେବା ଲାଗି ସରକାର ପ୍ରଶିକ୍ଷକ ନିଯୁକ୍ତ କରିନାହାନ୍ତି। କେବଳ ଭିତ୍ତିଭୂମି ଯୋଗାଇବା ଲାଗି ସରକାର ପାଉଣା ମାଗିବା ପୂର୍ବତନ ଖେଳାଳିମାନଙ୍କୁ ବିସ୍ମିତ କରିଛି। ଏ ସମ୍ପର୍କରେ କିନ୍ତୁ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି ଇନ୍‌‌ଡୋର୍ ହଲ୍ ଭାରପ୍ରାପ୍ତ ଅଧିକାରୀ ତଥା କ୍ରୀଡ଼ାମନ୍ତ୍ରୀଙ୍କ ସଚିବ କୈଳାସ ଦାସ। ‘‘ଇନ୍‌ଡୋର୍‌ ହଲ୍‌ ପାଉଣା ଥିଲା ୧୦ ବର୍ଷ ତଳର। ଆଲୋକୀକିରଣ, ସୁରକ୍ଷାକର୍ମୀ ଓ ଅନ୍ୟ ସୁବିଧାସୁଯୋଗ ବଢ଼ାଯାଇଥିବାରୁ ଦେୟ ବୃଦ୍ଧି କରାଯାଇଛି। ସରକାର ପ୍ରଶିକ୍ଷକ ନିଯୁକ୍ତ କରିବା ପରେ ଭବିଷ୍ୟତରେ ଏହା ବନ୍ଦ କରାଯିବ’’ ବୋଲି ଶ୍ରୀ ଦାସ ‘ସମ୍ବାଦ’ ସହ କଥା ହେବା ବେଳେ ପ୍ରକାଶ କରିଥିଲେ। ତେବେ ସରକାରଙ୍କ ଏହି ‘ପେ ଆଣ୍ଡ୍ ପ୍ଲେ’ ବ୍ୟବସ୍ଥାକୁ କ୍ରୀଡ଼ାବିତ୍‌ ମାନେ ବିରୋଧ କରି ଆସିଛନ୍ତି।

 

ସମ୍ବନ୍ଧିତ ଖବର