ହ୍ୟାଣ୍ଡବଲ୍‌ ଖେଳର ଏନ୍ତୁଡ଼ିଶାଳ ରୁଗ୍‌ଣ

ଭିତ୍ତିଭୂମି ନାହିଁ, ପ୍ରଶିକ୍ଷକ ନାହାନ୍ତି, ବାହାର ରାଜ୍ୟରେ ଖେଳୁଛନ୍ତି ଖେଳାଳି

ବୈରୀ : ହ୍ୟାଣ୍ଡବଲ୍‌ ଖେଳର ଏନ୍ତୁଡ଼ିଶାଳ ଆଜି ରୁଗ୍‌ଣ। ଭିତ୍ତିଭୂମି ନାହିଁ, ପ୍ରଶିକ୍ଷକ ବି ନାହାନ୍ତି। ଭିତ୍ତିଭୂମି ଅଭାବରୁ ଆଗେଇ ପାରୁନି ହ୍ୟାଣ୍ଡବଲ୍‌ ଖେଳ। ଆବଶ୍ୟକ ବିଦ୍ୟାଳୟଟିଏ ନାହିଁ କିମ୍ବା ପ୍ରଶିକ୍ଷଣ ଦେବା ପାଇଁ ପ୍ରଶିକ୍ଷକ ନଥିବାରୁ ଯାଜପୁର ଜିଲ୍ଲାର ଖେଳାଳି ଏବେ ବାହାର ରାଜ୍ୟ ପକ୍ଷରୁ ଖେଳୁଛନ୍ତି।

ଦୀର୍ଘ ୨୫ ବର୍ଷ ଧରି ଏହି ମାଟିରୁ ବହୁ ଖେଳାଳି ବାହାରିଛନ୍ତି। ଅଦ୍ୟାବଧି ୪୦୦ରୁ ଅଧିକ ଖେଳାଳି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କୃତିତ୍ବ ଅର୍ଜନ କରିପାରିଛନ୍ତି। ଏହି ଅଞ୍ଚଳର ବିପ୍ଳବ ବିଶ୍ୱାଳ ବର୍ତ୍ତମାନ ଦିଲ୍ଲୀ ସାଇ ତରଫରୁ ଖେଳୁଛନ୍ତି। ମାଟିର ପୁଅ ବିପ୍ଳବ ଜାତୀୟ ଓ ଅନ୍ତର୍ଜାତୀୟ ଖେଳରେ ଭାଗନେଇ ଭାରତ ପାଇଁ ଗୌରବ ଆଣିଛନ୍ତି। କେବଳ ଦେଶ ଭିତରେ ନୁହେଁ, ଭାରତ ବାହାରେ ଜୋଡ଼ାନ, ଜର୍ମାନି, ଥାଇଲାଣ୍ଡ ଆଦି ଦେଶରେ ଖେଳିବା ସହ ଏସୀୟ କ୍ରୀଡ଼ାରେ ଭାଗ ନେଇଛନ୍ତି। ମହାରାଷ୍ଟ୍ର ପାଇଁ ରାଜା କତ୍ରାଳ, ମନୋଜ ବିଶ୍ୱାଳ ଖେଳୁଛନ୍ତି। ରାଜେଶ ନାଥ ଭାରତୀୟ ନୌସେନା ପାଇଁ ଖେଳୁଥିବା ବେଳେ ରାକେଶ ନାଥ ସିଆଇଏସ୍ଏଫ ପାଇଁ ଖେଳୁଛନ୍ତି। ପୂର୍ବରୁ ଭାରତ ସରକାରଙ୍କ ତରଫରୁ ଓଡ଼ିଶା ପାଇଁ ୩ ଜଣ ପ୍ରଶିକ୍ଷକ ନିଯୁକ୍ତି ପାଇଥିଲେ। ପର୍ଯ୍ୟାୟ କ୍ରମେ ସେମାନଙ୍କୁ ଓଡ଼ିଶାରୁ ଅପସାରଣ କରାଯାଇଛି।

ଯାଜପୁର ଜିଲ୍ଲାର ଛତିଆ ହେଉଛି ହ୍ୟାଣ୍ଡବଲ୍‌ ଖେଳର ଏନ୍ତୁଡ଼ିଶାଳ। ୧୯୯୪ ମସିହାରେ ଯାଜପୁର ଜିଲ୍ଲା ହ୍ୟାଣ୍ଡବଲ୍‌ ସଂଘ ସରକାରଙ୍କ ଦ୍ୱାରା ପଞ୍ଜୀକୃତ ହୋଇଛି। ସେମାନେ ପଞ୍ଜୀକରଣ କରିବା ପରେ ନିଜସ୍ୱ ଉଦ୍ୟମରେ ଘର ତିଆରି କରିବା, ଅଫିସ୍ ଆଦି କରି ସୁନାମ ବଜାୟ ରଖିଛନ୍ତି। କେବଳ ରାଜ୍ୟ ନୁହେଁ, ବାହାରେ ଛତିଶଗଡ଼, ମହାରାଷ୍ଟ୍ର, ପଞ୍ଜାବ, ମଧ୍ୟପ୍ରଦେଶ, ଗୁଜୁରାଟ, ଦିଲ୍ଲୀ, ଉତ୍ତରପ୍ରଦେଶ ଆଦି ରାଜ୍ୟରେ ଖେଳି ସୁନାମ ଅର୍ଜନ କରିଛନ୍ତି। ଏମାନଙ୍କ ମଧ୍ୟରୁ ୧୦୦ରୁ ଅଧିକ ଖେଳାଳି ସିଆରପିଏଫ, ବିଏସ୍‌ଏଫ, ରାଜ୍ୟ ପୁଲିସ୍ ସହ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଖେଳ ଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି। ଛତିଆଠାରେ ଥିବା ଜିଲ୍ଲା ହ୍ୟାଣ୍ଡବଲ୍‌ ସଂଘ ତରଫରୁ ଉପକନିଷ୍ଠ, କନିଷ୍ଠ, ବରିଷ୍ଠ ଆଦି ବିଭାଗରେ ଖେଳାଳି ଖେଳିଥିଲା ବେଳେ ପୁରୁଷ ଓ ମହିଳା ଉଭୟ ବର୍ଗର ଖେଳାଳି ରାଜ୍ୟ ତଥା ରାଜ୍ୟ ବାହାରେ କୃତିତ୍ୱ ହାସଲ କରି ପୁରସ୍କୃତ ହୋଇଛନ୍ତି।

୧୯୯୩ ମସିହାରୁ ଏଠାରୁ ଏହି ଖେଳ ଆରମ୍ଭ ହୋଇଥିଲା। ଏହା ମଧ୍ୟରେ ୨୫ ବର୍ଷ ଅତିକ୍ରାନ୍ତ କରିଥିଲେ ମଧ୍ୟ ଷ୍ଟାଡିୟମ ନିର୍ମାଣ ହୋଇପାରିନାହିଁ। ବଡ଼ଚଣା ବ୍ଲକସ୍ତରୀୟ ଏକ ମିନି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଦୀର୍ଘ ୭ ବର୍ଷ ବିତିଯାଇଥିଲେ ହେଁ କାମ ସରିପାରୁନାହିଁ। ଆସନ୍ତା ଅକ୍ଟୋବର ମାସରେ ରୌପ୍ୟ ଜୟନ୍ତୀ ପାଳନ କରିବା ପାଇଁ ସ୍ଥିର ହୋଇଛି। ରାଜ୍ୟ ସରକାର କି କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ଆର୍ଥକ ସହଯୋଗ ମିଳିପାରିନାହିଁ। ଏଠାରେ ଜଣେ ପ୍ରଶିକ୍ଷକଙ୍କୁ ନିଯୁକ୍ତି ଦେବା ସହିତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇପାରିଲେ ହ୍ୟାଣ୍ଡବଲ୍‌ ଖେଳ ଆହୁରି ଆଗକୁ ଯାଇପାରିବ। ଛତିଆରୁ ଅଧିକରୁ ଅଧିକ ଖେଳାଳି ରାଜ୍ୟ ଓ ଦେଶ ପାଇଁ ସୁନାମ ଆଣିପାରିବେ ବୋଲି ଯାଜପୁର ହ୍ୟାଣ୍ଡବଲ୍‌ ସଂଘର ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ପୃଷ୍ଟି ପ୍ରକାଶ କରିଛନ୍ତି। ବିନା ପ୍ରଶିକ୍ଷଣ ଓ ସହଯୋଗରେ ଯାଜପୁରର ପିଲାମାନେ ବହୁତ ଭଲ ଖେଳିଥାନ୍ତି ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ଫକୀର ମୋହନ ଟୁଡୁ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର