କୋହଲିଙ୍କଠୁ ବ୍ୟାଟସମ୍ୟାନ୍‌ ଶିଖିବା ଉଚିତ୍

ଭିଭିଏସ୍ ଲକ୍ଷ୍ମଣ

ଆଫଗାନିସ୍ତାନ ଏବଂ ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ୍‌ରେ ଭାରତ ନିଜ ଦକ୍ଷତାର ୭୦ ପ୍ରତିଶତ ଉପଯୋଗ କରିଥିଲା। ପ୍ରଥମଟି କଷ୍ଟେମଷ୍ଟେ ଏବଂ ଦ୍ବିତୀୟଟିକୁ ସହଜରେ ଜିତିଥିଲା। ଏହା କେବଳ ସମ୍ଭବ ହୋଇଛି ବିରାଟ କୋହଲିଙ୍କ ଦଳର ବୋଲିଂ ଆକ୍ରମଣ ଭଲ ଥିବାରୁ। ନିଜ ପାଖରେ ୪ ଜଣ ୱିକେଟ ଦଖଲକାରୀ ବୋଲର ପାଇଥିବାରୁ ସେ ଭାଗ୍ୟବାନ। ପଞ୍ଚମ ବୋଲର ଭାବେ ହାର୍ଦିକ ପାଣ୍ଡ୍ୟା ବି ପ୍ରଷ୍ଫୁଟିତ ହେବାରେ ଲାଗିଛନ୍ତି।‌ ଗୋଟିଏ ଦୁଇଟି ୱିକେଟ୍‌ ନେଉଥିଲେ ବି ସେଭଳି ଅଧିକ ରନ୍ ଦେଉନାହାନ୍ତି। ସାଇ ହୋପ୍‌ଙ୍କ ୱିକେଟକୁ ମହମ୍ମଦ ସାମି ଯେଉଁ ବଲ୍‌ରେ ଆଉଟ୍ କଲେ ତାହାକୁ ‘ବଲ୍ ଅଫ୍‌ ଦି ମ୍ୟାଚ୍‌’ କୁହାଯାଇପାରିବ। ପିଚ୍‌ରୁ କିଛି ମିଳୁନଥିବା ବେଳେ ସାମି ଯେଉଁ ଲୟ ଏବଂ ବିଶ୍ବାସର ସହ ବୋଲିଂ କରିଥିଲେ ତାହା ସିମ୍ ଗତିର ଉଲ୍ଲେଖନୀୟ ଦିଗ ଥିଲା। ଶିଖର ଧାୱନଙ୍କ ଅନୁପସ୍ଥିତି ସତ୍ତ୍ବେ ଭାରତର ବ୍ୟାଟିଂ ଗ୍ରୁପ୍ ଅତୁଟ ରହିଛି। ତଥାପି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଉପରେ ଦଳ ଅଧିକ ନିର୍ଭରଶୀଳ। ଗତ ୩ ମ୍ୟାଚ୍‌ରେ ଲୋକେଶ ରାହୁଲ ଯେଭଳି ଆରମ୍ଭ ପାଉଛନ୍ତି ଏବଂ ନିଜକୁ ଆଉଟ୍ କରି ଦେଉଛନ୍ତି ଏଥି ପାଇଁ ସେ ନିଜେ ଦାୟୀ। ଆଫଗାନିସ୍ତାନ ବିପକ୍ଷରେ ଅର୍ଧଶତକ ହାସଲ କରିଥିଲେ। କେଦାର ଯାଦବ କିନ୍ତୁ ଖରାପ ଖେଳୁଛନ୍ତି ଏବଂ ସଂଘର୍ଷ କରୁଛନ୍ତି। ବିଜୟ ଶଙ୍କର ଦୁଇଟି ଗୌରବମୟ ସୁଯୋଗକୁ ହାତଛଡ଼ା କରିଛନ୍ତି। ଏଭଳି କିଛି ଦିଗ ରହିଛି ଯେଉଁଠି ଭାରତକୁ କାମ କରିବାକୁ ପଡ଼ିବ। ଧୋନି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଶେଷ ଆଡକୁ ନିଜ ଷ୍ଟ୍ରାଇକ୍ ରେଟ୍ ବଢ଼ାଇଥିଲେ, କିନ୍ତୁ ନିଜେ ମାନିବେ ନିଜ ପାଳିର ପ୍ରଥମାର୍ଧରେ ବହୁ ବଲ୍ ଖେଳିଥିଲେ। ପାଣ୍ଡ୍ୟାଙ୍କଠାରୁ ବିସ୍ଫୋରକ ପାଳି ମିଳିନଥିଲେ ଭାରତ ସମ୍ଭବତଃ ବିପଦରେ ପଡ଼ିଥାନ୍ତା। କୋହଲିଙ୍କଠାରୁ ବ୍ୟାଟସମ୍ୟାନ୍‌ମାନେ ଶିଖିବା ଉଚିତ୍। ଏହି ଅଧିନାୟକ ସର୍ବଦା ସକାରାତ୍ମକ ମନୋଭାବରେ ରହିବା ହିଁ ତାଙ୍କ ପଦ ଚାଳନାରେ ପ୍ରତିଫଳିତ ହୋଇଛି। ଆଫଗାନିସ୍ତାନ ବିପକ୍ଷରେ ଭଲ ବ୍ୟାଟିଂ କରିବା ସହିତ ପଡିଆ ସଜାଇବା ଏବଂ ବୋଲରଙ୍କୁ ଠିକଣା ଭାବେ ରୋଟେଟ୍ କରିବା ତାଙ୍କ ନେତୃତ୍ବର ପରିପକ୍ବତାକୁ ପ୍ରମାଣିତ କରିଛି।

ଇଂଲଣ୍ଡକୁ ପୁଣି ତଳମୁହାଁ କରିବା ଲାଗି ଭାରତ ନିକଟରେ ସୁଯୋଗ ଆସିଛି। ଇଂଲଣ୍ଡ ଗତ ଦୁଇ ମ୍ୟାଚ୍‌ ହାରିଥିବାରୁ ପ୍ରବଳ ଚାପରେ ରହିଛି। ସ୍ବଭାବିକ ଆକ୍ରମଣାତ୍ମକ ବ୍ୟାଟିଂ ଦେଖାଇବା ସହିତ ମନ୍ଥର ଟ୍ରାକ୍‌ରେ ଦଳର ଷ୍ଟ୍ରୋକ୍‌ ଖେଳ ଉପରେ ଏବେ ପ୍ରଶ୍ନବାଚୀ ଲାଗିଯାଇଛି। ଭାରତକୁ ଏହି ଦଳ ମଧ୍ୟ ଏକ ନମ୍ବର ମାନ୍ୟତା ସମର୍ପି ଦେଇଛି। ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିଆ ନିକଟରୁ ପରାଜୟ ବେଳେ ଦଳର ଦୁର୍ବଳତା ପଦାରେ ପଡ଼ିଛି। ଆତ୍ମବିଶ୍ବାସ ବଢ଼ାଇବା ଲାଗି ଦଳକୁ ଭାରତ ବିପକ୍ଷରେ ବି ଭଲ କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର