ବିସିସିଆଇ ଆର୍‌ଟିଆଇ ପରିସରଭୁକ୍ତ

ନୂଆଦିଲ୍ଲୀ: ‌ଦୀର୍ଘଦିନର ବାଦ ବିବାଦ ଓ ଟଣା ଓଟରା ପରେ ଶେଷରେ ବିସିସିଆଇ (ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ) ସୋମବାର ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ପରିସରଭୁକ୍ତ ହୋଇଛି। କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି) ଏକ ଐତିହାସିକ ରାୟରେ ବିସିସିଆଇକୁ ଆଜି ଆର୍‌ଟିଆଇ ଅଧୀନକୁ ଆଣିଛନ୍ତି। ଫଳରେ ଏଣିକି ସାଧାରଣ ଜନତା ବିସିସିଆଇର ଆର୍ଥିକ ଏବଂ ପରିଚାଳନାଗତ ମାମଲା ବିଷୟରେ ଯେ କୌଣସି କଥା ଜାଣିବାକୁ ଚାହିଁଲେ ଆର୍‌ଟିଆଇ ନିୟମ ବଳରେ ଏଥିନେଇ ଆବେଦନ କରି ପାରିବେ। ସିଆଇସିଙ୍କ ଏହି ରାୟକୁ ସମାଜର ବିଭିନ୍ନ ବର୍ଗରୁ ସ୍ବାଗତ କରାଯାଇଛି। ଉଚ୍ଚତମ ନ୍ୟାୟାଳୟ ବିିସିସିଆଇ ଏକ ମଞ୍ଜୁରିପ୍ରାପ୍ତ ଜାତୀୟସ୍ତରୀୟ କ୍ରୀଡ଼ା ସଂଗଠନ ବୋଲି ରାୟ ଦେବା ପରେ ସିଆଇସି ଏଭଳି ପଦକ୍ଷେପ ନେଇଥିବା ଜଣା ପଡ଼ିଛି। ରାୟ ଶୁଣାଇଲା ବେଳେ ସିଆଇସି କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟର ମତ, ଆଇନ ଆୟୋଗ ରିପୋର୍ଟ ଏବଂ ବିସିସିଆଇର ପରିଚାଳନାଗତ ଢାଞ୍ଚାକୁ ବିଚାରକୁ ନେଇଥିଲେ। ତା’ ସହ ସିଆଇସି ସଭାପତି, ସଂପାଦକ ଓ ପ୍ରଶାସନିକ ସମିତି (ସିଓଏ)କୁ ତୁରନ୍ତ ବିଭିନ୍ନ ସ୍ତରୀୟ ସୂଚନା ଅଧିକାରୀ ନିଯୁକ୍ତ କରିବାକୁ ନିର୍ଦେଶ ଦେଇଛନ୍ତି। ୧୫ ଦିନ ଭିତରେ ଆର୍‌ଟିଆଇ ଆବେଦନ ଗ୍ରହଣ କରିବାକୁ ଅଫ୍ ଲାଇନ୍ ଏବଂ ଅନଲାଇନ୍ ବ୍ୟବସ୍ଥା କରିବାକୁ ମଧ୍ୟ ସିଆଇସିସି କଡ଼ା ନିର୍ଦେଶ ଦେଇଛନ୍ତି। ଗୀତା ରାଣୀ ନାମକ ଜଣେ ସୂଚନା ଅଧିକାରୀ କର୍ମକର୍ତା କରିଥିବା ଆବେଦନର ଶୁଣାଣି କରି ସିଆଇସି ଏଭଳି ନିଦେର୍ଶ ଦେଇଛନ୍ତି। କେଉଁ ନିୟମାବାଳୀ ଏବଂ ଧାରା ଅଧୀନରେ ବିସିସିଆଇ ଭାରତକୁ ପ୍ରତିନିଧିତ୍ବ କରୁଛି ଏବଂ ଜାତୀୟ ଦଳ ପାଇଁ ଖେଳାଳି ବାଛୁଛି ବୋଲି ଗୀତା ଜାଣିବାକୁ ଚାହିଁଥିଲେ। ସେ ମଧ୍ୟ ଆନୁଷ୍ଠାନିକ ଆବେଦନ କରିଥିଲେ। କ୍ରୀଡ଼ା ମନ୍ତ୍ରଣାଳୟ ଏଥିନେଇ କୌଣସି ସନ୍ତୋଷଜନକ ଉତ୍ତର ନଦେବା ପରେ ଗୀତା ସିଆଇସିର ଦ୍ବାରସ୍ଥ ହୋଇଥିଲେ। ବିସିସିଆଇ ଏଥିନେଇ ଅଧିକ ସମୟ ମାଗିଥିଲେ ମଧ୍ୟ ସିଆଇସି ଏହାକୁ ଅଗ୍ରାହ୍ୟ କରି ଦେଇଥିଲେ। ୧୦ ଦିନ ଭିତରେ ଗୀତାଙ୍କ ୧୨ ପ୍ରଶ୍ନ ବିଶିଷ୍ଟ ଆବେଦନର ଉତ୍ତର ଦେବାକୁ ସିଆଇସି ସୋମବାର ଭାରତୀୟ କ୍ରି‌େକଟର ସର୍ବୋଚ୍ଚ ସଂସ୍ଥାକୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର