ଜେଟ୍‌ଲିଙ୍କ ପ୍ରତିମୂର୍ତ୍ତିକୁ ବିରୋଧ କରି ଡିଡିସିଏ ଛାଡ଼ିଲେ ବେଦୀ

ନୂଆଦିଲ୍ଲୀ: ଐତିହାସିକ ଫିରୋଜ ଶାହ କୋଟ୍‌ଲା ଷ୍ଟାଡିୟମ୍‌ରେ ପୂର୍ବତନ ସଭାପତି ତଥା ଦିବଂଗତ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍ ସଂଘ (ଡିଡିସିଏ) ନିଷ୍ପତ୍ତି ନେବା ପରେ ଏହାକୁ ତୀବ୍ର ବିରୋଧ କରି କିଂବଦନ୍ତି ସ୍ପିନର ବିଶନ ସିଂହ ବେଦୀ ନିଜ ସଦସ୍ୟତା ପରିତ୍ୟାଗ କରିଛନ୍ତି। ଡିଡିସିଏର ଏହି ନିଷ୍ପତ୍ତିକୁ ତୀବ୍ର ସମାଲୋଚନା କରିଛନ୍ତି ବେଦୀ। ସେହିଭଳି ଦର୍ଶକ ଷ୍ଟାଣ୍ଡ୍‌ରୁ ତାଙ୍କ ନାମ ତୁରନ୍ତ ହଟାଇବାକୁ ମଧ୍ୟ ଡିଡିସିଏକୁ ଆହ୍ବାନ କରିଛନ୍ତି ସେ। ଫିରୋଜ୍‌ ଶାହ କୋଟ୍‌ଲା ଷ୍ଟାଡିୟମ୍‌ର ଏକ ଦର୍ଶକ ଷ୍ଟାଣ୍ଡକୁ ଡିଡିସିଏ ୨୦୧୭ ମସିହାରେ ବେଦୀଙ୍କ ନାମରେ ନାମିତ କରିଥିଲା। ବେଦୀ କିନ୍ତୁ ଡିଡିସିଏକୁ ତା’ ନିଷ୍ପତ୍ତି ପାଇଁ ଖୋଲା ସମାଲୋଚନା କରିବା ସହ ସଂଘ ପରିବାରବାଦକୁ ପ୍ରଚାର କରୁଥିବା ଏବଂ ପ୍ରଶାସକଙ୍କୁ କ୍ରିକେଟରଙ୍କ ଆଗରେ ରଖୁଥିବା ଅଭିଯୋଗ କରିଛନ୍ତି।

ଏଥିନେଇ ଡିଡିସିଏ ସଭାପତି ତଥା ଅରୁଣ ଜେଟ୍‌ଲିଙ୍କ ପୁଅ ରୋହନ ଜେଟ୍‌ଲିଙ୍କୁ କଡ଼ା ଭାଷାରେ ପତ୍ର ଲେଖି ସଦସ୍ୟତା ଛାଡ଼ିବା କଥା ଜଣାଇ ଦେଇଛନ୍ତି ବେଦୀ। ଏହି ପତ୍ରରେ ସେ ଲେଖିଛନ୍ତି ଯେ ମୁଁ ଜଣେ ସହନଶୀଳ ଏବଂ ଧୈର୍ଯ୍ୟବାନ ବ୍ୟକ୍ତି। ହେଲେ ମୁଁ ଆଉ ଧୈର୍ଯ୍ୟ ଧରି ପାରିବି ନାହିଁ। ଡିଡିସିଏ ମୋତେ ବାରମ୍ବାର ପରୀକ୍ଷା କରିବା ସହ ଏଭଳି ଏକ ପଦକ୍ଷେପ ନେବାକୁ ବାଧ୍ୟ କରିଛି। ସଭାପତି ଆଜ୍ଞା‌, ମୁଁ ଆପଣଙ୍କୁ ବିନମ୍ର ଅନୁରୋଧ କରୁଛି ଯେ ମୋ ନାଁ ଫିରୋଜ ଶାହ କୋଟ୍‌ଲା ଦର୍ଶକ ଷ୍ଟାଣ୍ଡ୍‌ରୁ ହଟାଇ ଦିଅନ୍ତୁ। ମୁଁ ମଧ୍ୟ ଆଜିଠୁ ମୋ ସଦସ୍ୟତା ପରିତ୍ୟାଗ କରୁଛି। ଦିଲ୍ଲୀ କ୍ରିକେଟ୍‌ର ପରିଚାଳନା ଲାଗି ଜେଟ୍‌ଲି ବାଛିଥିବା ‌ଲୋକଙ୍କୁ ମୁଁ ପସନ୍ଦ କରୁ ନଥିଲି ବୋଲି ଆପଣ ଜାଣିଛନ୍ତି। ମୋର ମନେ ପଡ଼ୁଛି ଏକ ବୈଠକରେ ଜଣେ ଉଗ୍ର ସ୍ବଭାବର ପ୍ରଶାସକଙ୍କ ଖରାପ ଭାଷା ପ୍ରୟୋଗକୁ ସେ ରୋକି ନପାରିବା ପରେ ମୁଁ ବୈଠକ ଅଧାରୁ ଉଠି ଚାଲି ଆସିଥିଲି। ମୁଁ ଏବେ ଜାଣିବାକୁ ପାଉଛି ଯେ କୋଟ୍‌ଲାରେ ଅରୁଣ ଜେଟ୍‌ଲିଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପିତ ହେବାକୁ ଯାଉଛି। ଏହାକୁ ମୁଁ ଗ୍ରହଣ କରିପାରିବିନାହିଁ। ମୋ ମତରେ କ୍ରୀଡ଼ା‌ ଭିତ୍ତିଭୂମିରେ କ୍ରୀଡ଼ା ଆଦର୍ଶଙ୍କୁ ରଖିବା ଉଚିତ। କ୍ରୀଡ଼ା ପ୍ରଶାସକଙ୍କ ସ୍ଥାନ କାଚ କେବିନ ଭିତରେ ରହିଲେ ଭଲ। ବିଶ୍ବ କ୍ରିକେଟ୍ ସଂସ୍କୃତିକୁ ବୁଝିନଥିବାରୁ ଡିଡିସିଏକୁ ‌ସେ ଏକ ଅପାରଗ ଓ ସୁପ୍ତ ସଂଘ ଭାବେ ବର୍ଣ୍ଣନା କରିଛନ୍ତି।

ସମ୍ବନ୍ଧିତ ଖବର