ଭୁବନେଶ୍ବର: ଚଳିତ ଓଡ଼ିଶା ପୁରୁଷ ହକି ବିଶ୍ବକପ୍ରେ ଅନେକ ବିଦେଶୀ ଗ୍ୟାଲେରିରୁ ମ୍ୟାଚ୍ ଦେଖିବା ନଜରକୁ ଆସୁଛନ୍ତି। ଅଧିକାଂଶ ବୟସ୍କ ଦମ୍ପତିଙ୍କ ଉତ୍ସାହ ବିଶ୍ବାସ ବାହାରେ। ପରିଣତ ବୟସରେ ବି ସେମାନେ ସାତ ଦରିଆ ତେର ନଈ ପାର ହେବାକୁ ପଛାଇ ନାହାନ୍ତି। କଳିଙ୍ଗ ଷ୍ଟାଡିୟମ୍ ପ୍ରଶଂସକ ଗାଁ ବାହାରେ କିନ୍ତୁ ଏଭଳି ଦମ୍ପତ୍ତିଙ୍କ ସହ ଏ ପ୍ରତିନିଧିଙ୍କ ଭେଟ ହୋଇଥିଲା ଯିଏ ଥିଲେ ନିଆରା। କଥା ଛଳରେ ଜଣାପଡ଼ିଥିଲା ସେ ବେଲ୍ଜିୟମ୍ରୁ ଆସିଛନ୍ତି ତାଙ୍କ ଦେଶକୁ ଉତ୍ସାହିତ କରିବାକୁ। ସେମାନେ ହେଲେ ଭେସ୍ ଚାର୍ଲିୟର (୫୮) ଏବଂ ପତ୍ନୀ କ୍ଲାଉଜିଆ ଜେସାଲି (୫୫ ବର୍ଷ)। ବେଲ୍ଜିୟମ୍ ବାଦ ଏମାନେ ବି ଫ୍ରାନ୍ସକୁ ସମର୍ଥନ କରିଥିଲେ କଳିଙ୍ଗ ଷ୍ଟାଡିୟମରେ। ଗତ ଗୁରୁବାର ଚଳିତ ବିଶ୍ବକପ୍ର ସବୁଠୁ ନିମ୍ନ ମାନ୍ୟତାପ୍ରାପ୍ତ ଫ୍ରାନ୍ସ (୨୦ ନମ୍ବର) ଅଲିମ୍ପିକ୍ ବିଜେତା ଆର୍ଜେଣ୍ଟିନାକୁ ୫-୩ରେ ହରାଇ ଦେଇଥିଲା। ଏହି ଦମ୍ପତ୍ତି ବିଭୋର ହୋଇପଡ଼ିବାର କାରଣ ଥିଲା। ଫ୍ରାନ୍ସ ଦଳରୁ ଖେଳିଥିଲେ ସେମାନଙ୍କ ପୁଅ ନିକୋଲାସ୍ ଗୁମଣ୍ଟ୍। ୨୬ ବର୍ଷୀୟ ଏହି ମିଡ୍ଫିଲଡର୍ ଦଳର ବଦଳ ଖେଳାଳି ଭାବେ ପଡ଼ିଆକୁ ଆସି ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ। ମୁଁ ବେଲ୍ଜିଆନ୍ କିନ୍ତୁ ପତ୍ନୀ କ୍ଲାଉଜିଆ ଫ୍ରାନ୍ସର ହୋଇଥିବାରୁ ପୁଅ ସେଠାରୁ ଖେଳୁଛି ବୋଲି ‘ସମ୍ବାଦ’ ସହିତ କଥା ହେବାବେଳେ ପ୍ରକାଶ କରିଥିଲେ ଚାର୍ଲିୟର। ମୁଁ ବିଦ୍ୟାଳୟ ସ୍ତରରେ ହକି ଖେଳିଥିଲି। ନିକୋଲାସ୍ ଏହାକୁ ଆଗକୁ ନେଇଛି, ଅନ୍ୟ ପୁଅଟି ଡାକ୍ତର ବୋଲି ଗର୍ବର ସହ କହିଥିଲେ ଚାର୍ଲିୟର। ଭାରତ ବିପକ୍ଷ ମ୍ୟାଚ୍କୁ ବେଲ୍ଜିୟମ୍ ଜିତିବାର ଥିଲା ବୋଲି ମଧ୍ୟ ମତ ଦେଇଥିଲେ। ବେଲ୍ଜିୟମ୍ ଯୋଗ୍ୟତା ଅର୍ଜନ କରିଥିଲେ ବି ଆମେ ଆଜି ରାତିରେ ସ୍ବଦେଶ ଫେରିଯାଉଛୁ। ପ୍ରତିଯୋଗିତା ଆହୁରି ବାକି ରହିଛି। ଇତିମଧ୍ୟରେ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳ-ପୁରୀ, କୋଣାର୍କ ଏବଂ ଚିଲିକା ବୁଲିଛୁ ବୋଲି କହିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଚାଇନିଜ୍ ‘ଗଧିଆ’
କଳିଙ୍ଗ ଷ୍ଟାଡିୟମ୍ ପ୍ରଶଂସକ ଗାଁରେ ଶନିବାର ଚୀନ୍ ଓ ଇଂଲଣ୍ଡ ଦଳ ଧୂମ୍ ମଚାଇଥିଲେ। ପ୍ରଥମେ ଚୀନ୍ ଆସିବା ପରେ ଇଂଲଣ୍ଡ ଆସି ମଞ୍ଚରେ ହାଜର ହୋଇଥିଲା। ହକି ଷ୍ଟିକ୍ରେ ବଲ୍ ଜଗଲ, ପ୍ରଶଂସକ ଓ ମାସ୍କଟ୍ ସହିତ ସେଲଫି, ହିନ୍ଦୀ ସଂଗୀତ ସହିତ ନୃତ୍ୟ, ଚାଇନିଜ୍ ସଂଗୀତ ଏବଂ ଗୋଲ୍ ଉତ୍ସବ ଢଙ୍ଗ ଆଦିରେ ମସ୍ତି କରିଥିଲେ ଚାଇନିଜ୍ ଖେଳାଳିମାନେ। ଭୁବନେଶ୍ବର ଆସି ଆମେ ବିଶ୍ବକପ୍ ପଦାର୍ପଣ କରିବା ଚିର ସ୍ମରଣୀୟ ରହିଛି। ଏଠାକାର ଆତିଥେୟତା, ଅଭ୍ୟର୍ଥନା, ଖାଦ୍ୟ ପାନୀୟ ସବୁ କିଛି ଉତ୍ସାହଜନକ ବୋଲି ଖେଳାଳିମାନେ ପ୍ରକାଶ କରିଥିଲେ। ନିଜକୁ କିନ୍ତୁ ଗଧିଆ ସହିତ ତୁଳନା କରିଥିଲେ ଚାଇନିଜ୍ ଖେଳାଳି। ଗଧିଆ ଏକା କିଛି କରିପାରିବ ନାହିଁ, କିନ୍ତୁ ଦଳବଦ୍ଧ ଭାବେ ସଫଳତା ଅର୍ଜନ କରିବାର କ୍ଷମତା ରଖିଥିବାରୁ ଏଭଳି ନାମକରଣ କରୁଥିବା ଚୀନ୍ ଦଳ ସହିତ ଆସିଥିବା ଜଣେ ମହିଳା ଅନୁବାଦକ ପ୍ରକାଶ କରିଥିଲେ।
ଚିଲ ଚରିଗଲେ କୀଟ
କଳିଙ୍ଗ ଷ୍ଟାଡିୟମ୍ ହକି କଂପ୍ଲେକ୍ସରେ ଶନିବାର ପ୍ରଥମ ମ୍ୟାଚ୍ (ବେଲଜିୟମ-ଦକ୍ଷିଣ ଆଫ୍ରିକା) ବେଳେ ହଠାତ୍ ଏକ ଅପ୍ରତ୍ୟାଶିତ ଦୃଶ୍ୟ ଦେଖିଥିଲେ ପ୍ରଶଂସକ। ଆଗରୁ କାଁ ଭାଁ ଚିଲ ଉଡୁଥିଲେ କୀଟ ଖାଇବାକୁ କିନ୍ତୁ ଶନିବାର କିନ୍ତୁ ଦଳବଦ୍ଧ ଭାବେ ଆସିଥିଲେ ୪୦ରୁ ଊର୍ଧ୍ବ ଚିଲଜାତୀୟ ଏହି ପକ୍ଷୀ। ପୂର୍ବରୁ ହଜାର ହଜାର ସଂଖ୍ୟକ କୀଟ ପ୍ରଶଂସକ ଏବଂ ଖେଳାଳିଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଥିବାରୁ ପ୍ରତିଦିନ ମ୍ୟାଚ୍ ପରେ ଧୂଆଁ ସ୍ପ୍ରେ କରାଯାଉଥିଲା। ଏପରିକି କୀଟଙ୍କୁ ଅନ୍ୟତ୍ର ଆକର୍ଷିତ କରିବା ଲାଗି ମଧ୍ୟ ପ୍ରାୟ ଅଧାକିଲୋମିଟର୍ ଦୂରରେ ଥିବା ମୁଖ୍ୟ ଷ୍ଟାଡିୟମ୍ ଆଲୋକକୁ ରାତିସାରା ଜଳାଯାଉଥିଲା। କିନ୍ତୁ ବିଗତ ଦୁଇ ଦିନ ହେବ ଏହା ବନ୍ଦ ରହିଥିବାରୁ ଶନିବାର ଏହାର ପ୍ରାଦୁର୍ଭାବ ପରିଲକ୍ଷିତ ହୋଇଥିଲା।