ଭୁବନେଶ୍ବର: ଓଡ଼ିଶାର ରଂଜନ ସୋରେନ୍ ୧୫ ବର୍ଷରୁ କମ୍ ଭାରତୀୟ ଫୁଟବଲ୍ ଦଳରେ ସ୍ଥାନ ପାଇଛନ୍ତି। ଭୁବନେଶ୍ବରର ସାଲିଆ ସାହିରେ ରହୁଥିବା ୧୪ ବର୍ଷୀୟ ରଂଜନଙ୍କୁ ଯେତେବେଳେ ୫ ବର୍ଷ ବୟସ ହୋଇଥିଲା ସେ ଫୁଟ୍ବଲ୍ ଖେଳ ଆରମ୍ଭ କରିଥିଲେ। ତାଙ୍କର ଜାତୀୟ ଦଳ ପକ୍ଷରୁ ଖେଳିବା ସ୍ବପ୍ନ ସାକାର ହେବାକୁ ଯାଉଛି। ଚଳିତ ମାସ ୨୫ରୁ ମେ ୫ ତାରିଖ ପର୍ଯ୍ୟନ୍ତ ଇଟାଲିରେ ହେବାକୁଥିବା ଆମନ୍ତ୍ରିତ ଫୁଟ୍ବଲ୍ ପ୍ରତିଯୋଗିତା ଲାଗି ଘୋଷିତ ଭାରତୀୟ ଦଳରେ ରାଇଟ ଫୁଲ୍ ବ୍ୟାକ୍ ଖେଳୁଥିବା ଏହି ଓଡ଼ିଆ ଖେଳାଳିଙ୍କୁ ସ୍ଥାନ ମିଳିଛି। ସଂପ୍ରତି ରଂଜନ ଗୋଆରେ ଚାଲିଥିବା ଅଭ୍ୟାସ ଶିବିରରେ ପ୍ରଶିକ୍ଷଣ ନେଉଛନ୍ତି। ପ୍ରଶିକ୍ଷକ ବିବିଆନୋ ଫର୍ନାଡିଜ୍ ଏବଂ ପ୍ରବନ୍ଧକ ବୈଭବ ଜୋଷୀଙ୍କ ତତ୍ବାବଧାନରେ ଭାରତୀୟ ଦଳ ଗୁରୁବାର ଇଟାଲି ଗସ୍ତ କରିବ।