ଭୁବି ସନ୍‌ରାଇଜର୍ସର ଉପଅଧିନାୟକ

ମିଲ୍‌ନେ ଆଇପିଏଲ୍‌ରୁ ଓହରିଲେ; ମାଲିଙ୍ଗା ପ୍ରଥମ ୬ ମ୍ୟାଚ୍‌ ଖେଳିବେନି

ହାଇଦ୍ରାବାଦ: ୨୦୧୭ ପର୍ଯ୍ୟନ୍ତ ଅଧିନାୟକ ଦାୟିତ୍ବ ତୁଲାଇଥିବା ଡେଭିଡ୍‌ ୱର୍ନରଙ୍କ ଅନୁପସ୍ଥିତିରେ ସନ୍‌ ରାଇଜର୍ସ ହାଇଦ୍ରାବାଦ ଚଳିତ ଆଇପିଏଲ୍‌ ମଧ୍ୟ କେନ୍‌ ୱିଲିୟମ୍‌ସନ୍‌ଙ୍କ ନେତୃତ୍ବରେ ଖେଳିବ। ହେଲେ ଏହି ନ୍ୟୁଜିଲାଣ୍ଡ୍‌ ଅଧିନାୟକଙ୍କ ସହଯୋଗୀ ଭାବେ ସନ୍‌ ରାଇଜର୍ସ ଏଥର ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ବର କୁମାରଙ୍କୁ ଉପଅଧିନାୟକ ଭାବେ ଘୋଷଣା କରିଛି। ଫଳ‌ରେ ୱିଲୟମ୍‌ସନ୍‌ଙ୍କ ଅନୁପସ୍ଥିତିରେ ଭୁବନେଶ୍ବର କୁମାର ଦଳର ‌ନେତୃତ୍ବ ‌ନେବେ ବୋଲି ଫ୍ରାଞ୍ଚାଇଜ୍‌ ପକ୍ଷରୁ କୁହାଯାଇଛି। ଏପରିକି ଚେନ୍ନାଇରେ ଶୁକ୍ରବାର ଅନୁଷ୍ଠିତ ଆଇପିଏଲ୍‌ ଅଧିନାୟକଙ୍କ ବୈଠକରେ ଭୁବି ଉପସ୍ଥିତ ଥିଲେ। ୱିଲିୟମ୍‌ସନ୍‌ଙ୍କ ଅସ୍ତ୍ରୋପଚାର ହୋଇଥିବ‌ାରୁ ସମ୍ଭବତଃ ସେ ଆରମ୍ଭରୁ କିଛିଟା ମ୍ୟାଚ୍‌ ଖେଳିନପାରନ୍ତି ବୋଲି ଜଣାପଡ଼ିଛି। ସନ୍‌ ରାଇଜର୍ସ ହାଇଦ୍ରାବାଦ ଦଳ ତା’ର ପ୍ରଥମ ମ୍ୟାଚ୍‌ ରବିବାର ଐତିହାସିକ ଇଡେନ୍‌ ଗାର୍ଡେନ୍‌ରେ କୋଲ୍‌କାତା ନାଇଟ୍‌ ରାଇଡର୍ସ ସହ ଖେଳି ଅଭିଯାନ ଆରମ୍ଭ କରିବ। ଏଥିରେ ଭୁବନେଶ୍ବର କୁମାର ନେତୃତ୍ବ ପଦାର୍ପଣ କରିବେ।
ମୁମ୍ବାଇ, ୨୩|୩: ମୁମ୍ବାଇ ଇଣ୍ଡିଆନ୍‌ସର ନ୍ୟୁଜିଲାଣ୍ଡ୍‌ ଦ୍ରୁତ ବୋଲର ଆଦାମ୍‌ ମିଲ୍‌ନେ ଚଳିତ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ଆହତ ଯୋଗୁଁ ସେ ଓହରିଯାଇଥିବା କହିଛନ୍ତି। ଏହା ପୂର୍ବରୁ ମୁମ୍ବାଇର ସିଂହଳୀ ଦ୍ରୁତ ବୋଲର ଲସିଥ୍‌ ମାଲିଙ୍ଗା ପ୍ରଥମ ୬ ମ୍ୟାଚ୍‌ ଖେଳିବାରୁ ବଞ୍ଚିତ ହେବେ ବୋଲି ସ୍ପଷ୍ଟ କରିଛନ୍ତି। ସିଂହଳୀ ଦଳର ବିଶ୍ବକପ୍‌ ପ୍ରସ୍ତୁତି ପାଇଁ ମାଲିଙ୍ଗା ଆଇପିଏଲ୍‌ରୁ ସାମୟିକ ଓହରିଯାଇଛନ୍ତି। ଫଳରେ ମାଲିଙ୍ଗାଙ୍କ ପରେ ଦ୍ବିତୀୟ ଦ୍ରୁତ ବୋଲର ଭାବେ ମିଲ୍‌ନେଙ୍କ ସେବାରୁ ମୁମ୍ବାଇ ବଞ୍ଚିତ ହେବ। ଏବେ ମିଲ୍‌ନେଙ୍କ ବଦଳ ଖେଳାଳି ଭାବେ ମୁମ୍ବାଇ ୱେଷ୍ଟଇଣ୍ଡିଜ୍‌ ଦ୍ରୁତ ବୋଲର ଆଲ୍‌ଜେରି ଜୋସେଫ୍‌ଙ୍କ ଉପରେ ନଜର ପକାଇଛି। ତେବେ ମିଲ୍‌ନେଙ୍କ ନିଲାମି ମୂଲ୍ୟ ୭୫ ଲକ୍ଷ୍ୟ ଥିବାରୁ ଆପିଏଲ୍‌ ନିୟମ ଅନୁଯାୟୀ ତାଙ୍କର କୌଣସି ବି ବଦଳ ଖେଳାଳିଙ୍କ ମୂଲ୍ୟ ୭୫ ଲକ୍ଷରୁ ଅଧିକ ହେବନାହିଁ। ମୁମ୍ବାଇ ଇଣ୍ଡିଆନ୍‌ସ ରବିବାର ନିଜ ଘରୋଇ ମାଟଇରେ ଦିଲ୍ଲୀ କ୍ୟାପିଟାଲ୍‌ସ ‌ସହ ଖେଳି ଆଇପିଏଲ୍‌ ଅଭିଯାନ ଆରମ୍ଭ କରିବ।

ସମ୍ବନ୍ଧିତ ଖବର