ଭାଗ୍ୟଧର ଟ୍ରଫି: ସେମିରେ କ୍ରୀଡ଼ା ଛାତ୍ରାବାସ

ଭୁବନେଶ୍ବର: ସିଟି କ୍ଲବ୍‌ ଓ ଏସ୍‌ଜିଓ ନୟାପଲ୍ଲୀର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଇନ୍ଦିରା ମଇଦାନରେ ଚାଲିଥିବା ଚତୁର୍ଥ ଭାଗ୍ୟଧର ଟ୍ରଫି ଫୁଟ୍‌ବଲ୍‌ ପ୍ରତିଯୋଗିତାର ‌ସେମିଫାଇନାଲ୍‌ରେ କଟକର କ୍ରୀଡ଼ା ଛାତ୍ରାବାସ ଦଳ ପ୍ରବେଶ କରିଛି। ବୁଧବାର ମ୍ୟାଚ୍‌ରେ କଟକ ଦଳ ୪-୨ (୧-୧) ଟ୍ରାଇବ୍ରେକରରେ ଭୁବନେଶ୍ବରର କ୍ଲବ୍‌-୭୩କୁ ପରାସ୍ତ କରିଥିଲା। ଦେବରାଜ ସାହ (୭ ମିନିଟ୍‌)ଙ୍କ ଗୋଲ୍‌ରେ କଟକ ଦଳ ଆରମ୍ଭରୁ ଅଗ୍ରଣୀ ନେଇଥିଲା। ହେଲେ ୩୫ତମ ମିନିଟ୍‌ରେ ଭୁବନେଶ୍ବର ଦଳର ରେଣ୍ଟା ମୁର୍ମୁ ଏହାକୁ ଶୁଝି ସ୍ଥିତି ସମାନ କରି ଦେଇଥିଲେ। ନିର୍ଧାରିତ ସମୟରେ ମ୍ୟାଚ୍‌ ୧-୧ ରହିବ‌ାରୁ ଫଳାଫଳ ପାଇଁ ଟ୍ରାଇବ୍ରେକରର ସହଯୋଗ ନିଆଯାଇଥିଲା। ଏଥିରେ ଛାତ୍ରାବାସ ଦଳ ବାଜି ମାରିଥିଲା। ବିଜୟୀ ଦଳର‌ ଗୋଲ୍‌ରକ୍ଷକ ଫଗୁ ବାସ୍କେଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମୁଖ୍ୟ ଅତିଥି ହରେକୃ‌ଷ୍ଣ ଖୁଣ୍ଟିଆ ପ୍ରଦାନ କରିଥିଲେ। ମ୍ୟାଚ୍‌କୁ ଟି ମୋହନ ରାଓ, ସୁଜିତ କୁମାର ପାତ୍ର, ମିର୍ଜାସି ରାଜୁଦ୍ଦିନ୍‌ ବେଗ୍‌ ଓ ଶୁଶାନ୍ତ କୁମାର ମିଶ୍ର (ଚତୁର୍ଥ ରେଫରି) ପରିଚାଳନା କରିଥିଲେ। ଗୁରୁବାର ପ୍ରଥମ ‌ସେମିଫାଇନାଲ୍‌ରେ ଦୁଇ ଭୁବନେଶ୍ବର ଦଳ କିଶୋର କ୍ଲବ୍‌ ଓ ୟୁନାଇଟେଡ୍‌ କ୍ଲବ୍‌ ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର