ବିଜୟ ହଜାରେ ଟ୍ରଫିରୁ ନୂଆ ଋତୁ!:ରଣଜୀ ଟ୍ରଫିରେ ପ୍ରି କ୍ୱାର୍ଟରଫାଇନାଲ୍‌

କୋଲ୍‌କାତା: ଭାରତର ନୂଆ ଘରୋଇ କ୍ରିକେଟ୍‌ ଋତୁ (୨୦୧୮-୧୯) ଜାତୀୟ ଏକଦିବସୀୟ ବିଜୟ ହଜାରେ ଟ୍ରଫିରୁ ଆରମ୍ଭ ହେବାକୁ ପ୍ରସ୍ତାବ ଆସିଛି। ସେହିଭଳି ରଣଜୀ ଟ୍ରଫିରେ ଅତିରିକ୍ତ ଏକ ରାଉଣ୍ଡ୍‌ ସଂଯୋଗ କରି ପ୍ରି-କ୍ୱାର୍ଟରଫାଇନାଲ୍‌ରୁ ନକ୍‌ ଆଉଟ୍‌ ପର୍ଯ୍ୟାୟ ଆରମ୍ଭ କରିବା ଲାଗି ଯୋଜନା ରହିଛି। ସୋମବାର କୋଲ୍‌କାତାରେ ଅଢ଼େଇ ଘଣ୍ଟା ଧରି ବସିଥିବା ବିସିସିଆଇର ବୈଷୟିକ ସମିତି ବୈଠକରେ ଏଭଳି ମତ ଆସିଛି। ରଣଜୀ ଟ୍ରଫିର ଲିଗ୍‌ ଶେଷରେ ୧୬ ଦଳୀୟ ପ୍ରି-କ୍ୱାର୍ଟରଫାଇନାଲ୍‌ ବ୍ୟବସ୍ଥା ପ୍ରଣୟନ ଲାଗି ଗତ ମୁମ୍ବାଇ କର୍ମଶାଳାରେ ଅଧିନାୟକ ଓ ପ୍ରଶିକ୍ଷକ ମାନେ ମତ ଦେଇଥିଲେ। ସେହିଭଳି ଦେଶର ପଶ୍ଚିମାଞ୍ଚଳରେ ମରୁଡ଼ି ଓ ପୂର୍ବ ଭାରତରେ ଅକ୍ଟୋବର ପର୍ଯ୍ୟନ୍ତ ବର୍ଷା ଲାଗି ରହୁଥିବାରୁ ବିଜୟ ହଜାରେ ଟ୍ରଫିକୁ ନୂଆ ଋତୁ ଆରମ୍ଭ କରି ରଣଜୀ ଟ୍ରଫିକୁ ବିଳମ୍ବରେ କରାଯିବାକୁ ଆଲୋଚନା ହୋଇଛି।

ବିଜୟ ହଜାରେ ଟ୍ରଫି ପରେ ଜାତୀୟ ଟେ୍ଵଣ୍ଟି-୨୦କୁ ମଧ୍ୟ ରଣଜୀ ଟ୍ରଫି ପୂର୍ବରୁ କରାଇବା ଯୋଜନା କରୁଛି ବିସିସିଆଇ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ମଧ୍ୟରେ ରଣଜୀ ଟ୍ରଫିରେ ବର୍ତମାନ ବ୍ୟବହୃତ ଏସ୍‌ଜି ଟେଷ୍ଟ୍‍ ବଲ୍‌ ପରିବର୍ତେ ଲାଲ କୁକାବୁରା ବଲ୍‌ ପ୍ରଣୟନ କରାଯିବା କଥା ଉଠିଛି। କିନ୍ତୁ ଚୂଡାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ବିସିସିଆଇ କାର୍ଯର୍୍ୟକାରୀ ସମ୍ପାଦକ ଅମିତାଭ ଚୌଧୁରୀ ପ୍ରକାଶ କରିଛନ୍ତି। ଦଲୀପ ଟ୍ରଫି ପୁଣି ଥରେ ଗୋଲାପୀ ବଲ୍‌ରେ ଦିବାରାତ୍ର କରାଯିବା ଏବଂ ମହିଳା କ୍ରିକେଟ୍‌ ପାଇଁ ଟେଷ୍ଟ୍‍ ମ୍ୟାଚ୍‌ ବଢ଼ାଇବା କଥା ଆଲୋଚନାକୁ ଆସିଛି।

ସମ୍ବନ୍ଧିତ ଖବର