ବିଳାସ ରାଉତରାୟ ସ୍ମାରକୀ ଫୁଟ୍‌ବଲ୍‌: ଆର୍‌ବିଆଇ ବିଜେତା, ସଡନ୍‌ ଡେଥ୍‌ରେ ହାରିଲା ଜଗା ୟୁନାଇଟେଡ୍‌

ଭୁବନେଶ୍ବର: ବିଳାସ ରାଉତରାୟ ପ୍ରତିଷ୍ଠାନ ଆନୁକୁଲ୍ୟରେ ସ୍ଥାନୀୟ ପୋଖରୀପୁଟ ଖେଳ ପଡ଼ିଆରେ ଚାଲିଥିବା ଚତୁର୍ଥ ବିଳାସ ରାଉତରାୟ ସ୍ମାରକୀ ଫୁଟ୍‌ବଲ୍ ପ୍ରତିଯୋଗିତା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲ୍‌ରେ ଆର୍‌ବିଆଇ ଦଳ ସଡନ୍‌ ଡେଥ୍‌ ୭-୬ ଗୋଲ୍‌ରେ ଭୁବନେଶ୍ବରର ଜଗା ୟୁନାଇଟେଡ୍‌କୁ ପରାସ୍ତ କରି ବି‌ଜେତା ଆଖ୍ୟା ହାତେଇଛି। ଉଭୟ ଦଳର ଆକ୍ରମଣ ଓ ପ୍ରତିଆକ୍ରମଣ ମଧ୍ୟରେ ଫାଇନାଲ୍‌ ମ୍ୟାଚ୍‌ର ନିର୍ଧାରିତ ସମୟ ୧-୧ ଗୋଲ୍‌ରେ ଅମୀମାଂସିତ ରହିଥିଲା। ଏହାପରେ ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ଉଭୟ ଦଳ ୫-୫ ଗୋଲ୍‌ କରିବାରୁ ପୁଣି ୬-୬ରେ ସ୍ଥିତି ବରାବର ରହିଥିଲା। କେହି କାହାରିକୁ ବାଟ ଛାଡୁନଥିଲା ବେଳେ ସଡନ୍‌ ଡେଥ୍‌ରେ ହିଁ ଫଳାଫଳ ମିଳିଥିଲା। ଏଥିରେ ଆର୍‌ବିଆଇ ଦଳ ଗୋଟିଏ ଗୋଲ୍‌ କରି ୭-୬ରେ ମୁକାବିଲା ଜିତି ନେଇଥିଲା। ଅନ୍ତର୍ଯ୍ୟାମୀ ନାୟକଙ୍କୁ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଏସ୍‌କେ ଖାନ୍‌, ରବି ମହାରଣା, ରାଜୁ ବାରିକ ଓ ବାପି ଦାଶ ମ୍ୟାଚ୍‌ ପରିଚାଳନା କରିଥିଲେ। ଅମୀୟ ଦାସ, ମିହିର ମହାନ୍ତି, ଚିତ୍ତ ବିଶ୍ବାଳ, ସୁଶାନ୍ତ ବିଶ୍ବାଳ, କୃଷ୍ଣଚନ୍ଦ୍ର ସାମନ୍ତରାୟ, ନିଳାଦ୍ରୀ ସ୍ବାଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଟ୍ରଫି ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର