ଆଘାତରୁ ମୁକୁଳିବା ପରେ ପ୍ରଶିକ୍ଷଣ ଆରମ୍ଭ କଲେ ବୁମ୍‌ରା

ମୁମ୍ବାଇ: ଆଘାତରୁ ମୁକୁଳିବା ପରେ ଭାରତୀୟ ଦ୍ରୁତ ବୋଲର ଯଶ୍‌ପ୍ରୀତ୍‌ ବୁମ୍‌ରା ଅଭ୍ୟାସ ଆରମ୍ଭ କରିଛନ୍ତି। ସେ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ଦିଲ୍ଲୀ କ୍ୟାପିଟାଲ୍‌ସ ଟ୍ରେନର୍‌ ରଜନୀକାନ୍ତ ଶିବାଗ୍‌ନାନମ୍‌ଙ୍କ ତାଦାରଖରେ ମୁ୍ମ୍ବାଇ କ୍ରିକେଟ୍‌ ସଂଘଠାରେ ପ୍ରଶିକ୍ଷଣ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ଗତ ସେପ୍ଟେମ୍ବର ମାସରୁ ଆହତ ହୋଇଥିବା ଏହି ତାରକା ଦ୍ରୁତ ବୋଲର ଭାରତ ପକ୍ଷରୁ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ଘରୋଇ ବିପକ୍ଷ ଶୃଙ୍ଖଳା ଖେଳିପାରିନଥିଲେ। ସେ ମଧ୍ୟ ଆସନ୍ତା ୬ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ସୀମିତ ଓଭର ଶୃଙ୍ଖଳାରୁ ବଞ୍ଚିତ ହୋଇଛନ୍ତି। ଫଳରେ ଦଳକୁ ଫେରିବା ପାଇଁ ବୁମ୍‌ରା ଏବେ ବ୍ୟକ୍ତିଗତ ବ୍ୟବସ୍ଥାରେ ମୁମ୍ବାଇରେ ପ୍ରଶିକ୍ଷଣ ନେଉଛନ୍ତି ବୋଲି ଜଣାପଡ଼ିଛି। ରଜନୀକାନ୍ତ ଯଦିଓ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ରେ ନିଯୁକ୍ତ ପାଇଛନ୍ତି, ତଥାପି ସେ ସ୍ବାଧୀନ ଭାବେ ଖେଳାଳିଙ୍କ ସହ କାର୍ଯ୍ୟ କରିପାରିବେ ବୋଲି କହିଛନ୍ତି। ବୁମ୍‌ରା ମଧ୍ୟ ସୋମବାର ରଜନୀକାନ୍ତଙ୍କ ସହ ଜିମ୍‌ରେ ପ୍ରଶିକ୍ଷକ ନେଉଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି।

ଏହି ୨୫ ବର୍ଷ ବୟସ୍କ ଦ୍ରୁତ ବୋଲର ଆସନ୍ତାବର୍ଷ ନ୍ୟୁଜିଲାଣ୍ଡ୍‌ ଗସ୍ତ ପାଇଁ ଦଳକୁ ଫେରିବାର ଆଶା ରଖିଛନ୍ତି। ଜାନୁଆରି ୨୪ ତାରିଖରୁ ନ୍ୟୁଜିଲାଣ୍ଡ୍‌ରେ ଭାରତ ୫ ଟ୍ବେଣ୍ଟି-୨୦, ୩ ଦିନିକିଆ ଏବଂ ୨ ଟେଷ୍ଟ୍‌ ବିଶିଷ୍ଟ ପୂର୍ଣ୍ଣାଙ୍ଗ ଶୃଙ୍ଖଳା ଖେଳିବ।

ସମ୍ବନ୍ଧିତ ଖବର