ଆଇପିଏଲ୍‌ ମଝିରେ ୧୦ ଥର ଅଧିନାୟକ ବଦଳ

ମୁମ୍ବାଇ: ଧନୀ କ୍ରିକେଟ୍‌ ଲିଗ୍‌ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ବାଦଶ ସଂସ୍କରଣ ସଂପ୍ରତି ଜାରି ରହିଛି। ଏହି ୧୨ ବର୍ଷ ମଧ୍ୟରେ ପ୍ରତିଯୋଗିତାର ମଧ୍ୟଭାଗରେ ଫ୍ରାଞ୍ଜାଇଜ୍‌ଗୁଡ଼ିକ ୧୦ ଥର ଅଧିନାୟକ ପରିବର୍ତନ କରିଛନ୍ତି। ଗତ ସପ୍ତାହରେ ରାଜସ୍ଥାନ ରୟାଲ୍ସ ଅଜିଙ୍କ୍ୟ ରାହାଣେ ସ୍ଥାନରେ ଏହି ଦାୟିତ୍ବ ପୂର୍ବ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ଦେଇଥିଲା। ଫଳରେ ରାଜସ୍ଥାନ ଏହି କ୍ରମରେ ମଧ୍ୟଭାଗରେ ନେତୃତ୍ବ ବଦଳାଇବାରେ ଦଶମ ଦଳ ହୋଇଥିଲା। ଏହା ପୂର୍ବରୁ ଆଇପିଏଲ୍‌ ବିଭିନ୍ନ ଫ୍ରାଞ୍ଚାଇଜ୍‌ଗୁଡ଼ିକର ମଧ୍ୟଭାଗ ଅଧିନାୟକ ଅଦଳବଦଳକୁ‌ ନେଇ ବିଶେଷ ଉପସ୍ଥାପନା।
।୨୦୦୮: ଲକ୍ଷ୍ମଣ ବାହାର, ଗିଲିଙ୍କୁ ଦାୟିତ୍ବ
୨୦୦୮ ଉଦ୍‌ଘାଟନୀ ସଂସ୍କରଣରେ ଡେକାନ ଚାର୍ଜସ ଅଧିନାୟକ ଭିଭିଏସ୍‌ ଲକ୍ଷ୍ମଣଙ୍କୁ ହଟାଇ ଆଦାମ ଗିଲକ୍ରିଷ୍ଟ୍‌ (ଗିଲି)ଙ୍କୁ ଦାୟିତ୍ବ ଦେଇଥିଲା। ଲକ୍ଷ୍ମଣ ୬ ମ୍ୟାଚ୍‌ରୁ ୩୧ ହାରରେ ମାତ୍ର ୧୫୫ ରନ୍‌ କରିବା ସହ ଆହତ ହୋଇ ଦଳରୁ ବାଦ୍‌ ପଡ଼ିଥିଲେ। ଫଳରେ ଡେକାନ ଅଧିନାୟକ ବଦଳାଇବାକୁ ବାଧ୍ୟ ହୋଇଥିଲା।
।୨୦୦୯: ପିଟରସନ୍‌ଙ୍କ ସ୍ଥାନରେ କୁମ୍ବଲେ
ଦକ୍ଷିଣ ଆଫ୍ରିକାରେ ଆୟୋଜିତ ୨୦୦୯ ଆଇପିଏଲ୍‌ରେ ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଇଂଲଣ୍ଡ ତାରକା କେଭିନ ପିଟରସନ୍‌ଙ୍କୁ ଅଧିନାୟକ ଦାୟିତ୍ବ ଦେଇଥିଲା। ସେ ମାତ୍ର ୬ ମ୍ୟାଚ୍‌ ଖେଳି ୯୩ ରନ୍‌ ସଂଗ୍ରହ କରିବାକୁ ସକ୍ଷମ ହେବା ସହ ତାଙ୍କ ଦଳ ପଏଣ୍ଟ୍‌ ତାଲିକାର ‌ଶେଷ ସ୍ଥାନରେ ରହିଥିଲା। ମଧ୍ୟଭାଗରେ ତାଙ୍କୁ ବଦଳାଇ ଦଳ ଅନିଲ କୁମ୍ବଲେଙ୍କୁ ଦାୟିତ୍ବ ଦେଇଥିଲା। କୁମ୍ବଲେଙ୍କ ନେତୃତ୍ବରେ ସେହି ବର୍ଷ ଆରସିବି ଫାଇନାଲ୍‌ରେ ପ୍ରବେଶ କରିଥିଲା।
।୨୦୧୨: ସାଙ୍ଗକାରା ଗଲେ, ହ୍ବାଇଟ୍‌ ଆସିଲେ
ଡେକାନ ଚାର୍ଜର୍ସ ପକ୍ଷରୁ ଖେଳୁଥିବା ସିଂହଳୀ ତାରକା କୁମାର ସାଙ୍ଗକାରା (୧୨ ମ୍ୟାଚ୍‌, ୨୦୦ ରନ୍‌, ୧୮.୧୮ ହାର) ଖରାପ ପ୍ରଦର୍ଶନ ପାଇଁ ନିଜ ପକ୍ଷରୁ ଶେଷ ଏକାଦଶରେ ରହିନଥିଲେ। ଫଳରେ ତାଙ୍କ ସ୍ଥାନରେ ଅଷ୍ଟ୍ରେଲିଆର କାମେରୁନ ହ୍ବାଇଟ୍‌ ଅଧିନାୟକ ନିଯୁକ୍ତ ହୋଇଥିଲେ।
।୨୦୧୨: ଭିଟୋରିଙ୍କ ବଦଳରେ କୋହଲି
ଖରାପ ପ୍ରଦର୍ଶନ ପାଇଁ ଆର୍‌ସିବି ଅଧିନାୟକ ଡାନିଏଲ୍‌ ଭିଟୋରି (୯ ମ୍ୟାଚ୍‌, ୫ ୱିକେଟ୍‌) ନିଜେ ଓହରି ସିଂହଳୀ ଅଫ୍‌ସ୍ପିନର ମୁଥିଆ ମୁରଲୀଧରନଙ୍କୁ ଖେଳିବାକୁ ସୁଯୋଗ ଦେଇଥିଲେ। ସେ ଓହରିବା ପରେ ବିରାଟ କୋହଲି ଦଳର ନେତୃତ୍ବ ନେଇଥିଲେ। ସେହିଠାରୁ କୋହଲି ଅଧିନାୟକ ରହି ଆସିଛନ୍ତି।
।୨୦୧୩: ପଣ୍ଟିଂଙ୍କୁ ହଟାଇ ରୋହିତଙ୍କୁ ଦାୟିତ୍ବ
ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂଙ୍କୁ ୨୦୧୩ରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରଖିଥିଲା। ହେଲେ ୬ ମ୍ୟାଚ୍‌, ୫୨ ରନ୍‌, ୧୦.୪୦ ହାର ବ୍ୟାଟିଂ ବିଫଳତା ପାଇଁ ମୁମ୍ବାଇ ତାଙ୍କୁ ହଟାଇ ରୋହିତ ଶର୍ମାଙ୍କୁ ନେତୃତ୍ବ ଦାୟିତ୍ବ ଦେଇଥିଲା।
।୨୦୧୪: ଧାୱନ୍‌ଙ୍କ ସ୍ଥାନ ନେଲେ ସାମି
ଅଧିନାୟକ ଶିଖର ଧାୱନ୍‌ (୧୦ ମ୍ୟାଚ୍‌, ୨୧୫ ରନ୍‌)ଙ୍କ ବ୍ୟାଟିଂ ବିଫଳତା ଯୋଗୁଁ ତାଙ୍କୁ ବଦଳାଇଥିଲା ସନ୍‌ରାଇଜର୍ସ ହାଇଦ୍ରାବାଦ। ତାଙ୍କ ସ୍ଥାନରେ ୱେଷ୍ଟ୍‌ଇଣ୍ଡିଜ୍‌ ଅଲ୍‌ରାଉଣ୍ଡର ଡ‌ାରେନ୍‌ ସାମିଙ୍କୁ ଏହି ଦାୟିତ୍ବ ଦେଇଥି‌ଲେ ମଧ୍ୟ ଦଳ‌ ପ୍ଲେ ଅଫ୍‌ରେ ପହଞ୍ଚି ପାରିନଥିଲା।
।୨୦୧୫: ସ୍ମିଥ୍‌ଙ୍କଠୁ ଦାୟିତ୍ବ ଦେଲେ ୱାଟ୍‌ସନ୍‌
ସେନ୍‌ ୱାଟ୍‌ସନ୍‌ଙ୍କ ଆହତ ଯୋଗୁଁ ୨୦୧୫ରେ ଷ୍ଟିଭେନ୍‌ ସ୍ମିଥ୍‌ ରାଜସ୍ଥାନ ରୟାଲ୍ସର ନେତୃତ୍ବ ନେଇଥିଲେ। ସ୍ମିଥ୍‌ ଭଲ କରିବାରୁ ତାଙ୍କୁ ଦାୟିତ୍ବ ଦେଇ ୱାଟ୍‌ସନ୍‌ ନିଜ ପଦରୁ ଓହରି ଯାଇଥିଲେ।
।୨୦୧୬: ମିଲରଙ୍କ ସ୍ଥାନରେ ବିଜୟ
୬ ମ୍ୟାଚ୍‌ରୁ ୫ ପରାଜୟ ସାଙ୍ଗକୁ ଅଧିନାୟକ ଡେଭିଡ୍‌ ମିଲର (୭୬ ରନ୍‌)ଙ୍କ ଖରାପ ପ୍ରଦର୍ଶନ ପାଇଁ କିଙ୍ଗ୍ସ ଇଲେଭେନ୍‌ ତାଙ୍କୁ ବଦଳାଇ ଦେଇଥିଲା। ମିଲରଙ୍କ ସ୍ଥାନରେ ଦଳ ମୁରଲୀ ବିଜୟଙ୍କୁ ଅଧିନାୟକ ନିଯୁକ୍ତ କରିଥିଲା। ହେଲେ ଦଳକୁ କୌଣସି ସୁଫଳ ମିଳିନଥିଲା। ପଏଣ୍ଟ୍‌ ତାଲିକାର ଶେଷ ସ୍ଥାନରେ ରହି ଅଭିଯାନ ‌ଶେଷ କରିଥିଲା।
।୨୦୧୮: ଗମ୍ଭୀର ଗଲେ, ଆୟର ଆଗମନ
ଗୌତମ ଗମ୍ଭୀରଙ୍କ ନେତୃତ୍ବରେ କୋଲ୍‌କାତା ନାଇଟ୍‌ ରାଇଡର୍ସ ୨୦୧୨, ୨୦୧୪ରେ ଆଇପିଏଲ୍‌ ବିଜେତା ହୋଇଥିଲା। ଫଳରେ ୨୦୧୮ରେ ଡେୟାର ଡେଭିଲ୍ସ ୩୬ ବର୍ଷୀୟ ଗମ୍ଭୀରଙ୍କୁ ଦଳର ନେତୃତ୍ବ ଦେଇଥିଲା। କିନ୍ତୁ ସେ ବ୍ୟାଟିଂ କି ଅଧିନାୟକ ଭାବେ ଦଳକୁ ସଫଳତା ଦେଇପାରିଲେନି। ତାଙ୍କ ନେତୃତ୍ବରେ ଦଳ ୬ ମ୍ୟାଚ୍‌ ଖେଳି ୫ ହାରି ପଏଣ୍ଟ୍‌ ତାଲିକାରେ ଶେଷରେ ରହିଥିଲା। ଏଥି ସହ ‌ବ୍ୟାଟିଂରେ ସେ ୧୭ ହାରରେ ମାତ୍ର ୮୫ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ଏଭଳି ପ୍ରଦର୍ଶନ ପାଇଁ ଗମ୍ଭୀର ଓହରିବାକୁ ନିଷ୍ପତ୍ତି ନେବା ସହ ଯୁବ ତାରକା ଶ୍ରେୟସ ଆୟରଙ୍କୁ ସୁଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର