ଧରା ପଡ଼ିଲା କଙ୍ଗାରୁଙ୍କ କାରନାମା

କେପ୍‌ଟାଉନ୍‌ରେ କ୍ରିକେଟ୍‌ ଲଜ୍ଜା

କେପ୍‌ଟାଉନ: ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଟେଷ୍ଟ୍‌ ଶୃଙ୍ଖଳା ପୁଣି ଥରେ ବିବାଦ ଘେରକୁ ଆସିଛି। ଦକ୍ଷିଣ ଆଫ୍ରିକା ବୋଲର କାଗିସୋ ରବାଦାଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଥମିବାର ଠିକ୍‌ ପରେ ପରେ ଅଷ୍ଟ୍ରେଲିଆ ଖେଳାଳିଙ୍କ କଳା କାରନାମା ପାଇଁ ଭଦ୍ରଲୋକଙ୍କ ଖେଳ ଭାବେ ପରିଚିତ କ୍ରିକେଟ୍‌ ଲଜ୍ଜିତ ହୋଇଛି। କେପ୍‌ଟାଉନରେ ଖେଳା ଯାଉଥିବା ତୃତୀୟ ଟେଷ୍ଟ୍‌ର ତୃତୀୟ ଦିନରେ କଙ୍ଗାରୁ ଖେଳାଳିମାନେ ଯୋଜନାବଦ୍ଧ ଭାବେ ବଲ୍‌ର ଆକାର ବଦଳାଇବାକୁ ଚେଷ୍ଟା କରି ଧରା ପଡ଼ିବା ସମଗ୍ର କ୍ରିକେଟ୍‌ ଜଗତରେ ଆଲୋଡ଼ନ ସୃଷ୍ଟି କରିଛି। ଅଷ୍ଟ୍ରେଲିଆ ଦଳୀୟ ପରିଚାଳକଙ୍କ ସହ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌, ପ୍ରଶିକ୍ଷକ ଡାରେନ୍‌ ଲିମ୍ୟାନ୍‌ ଏବଂ ବିବାଦର ମୁଖ୍ୟ କାର୍ପଟଦାର କାମେରୁନ୍‌ ବନକ୍ରଫ୍ଟ ଏଥିନେଇ ଚାରିଆଡ଼ୁ ସମାଲୋଚିତ ହେଉଛନ୍ତି। ଏପରିକି ତାଙ୍କ ନିଜ ଦେଶର କିମ୍ବଦନ୍ତୀ ସ୍ପିନର ସେନ୍‌ ଓ୍ଵାର୍ନ ସମସ୍ତଙ୍କୁ କଡ଼ା ଶବ୍ଦରେ ଭର୍ତ୍ସନା କରିଛନ୍ତି। ଶନିବାର ଏହି ଘଟଣା ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ପାଳିର ୪୩ତମ ଓଭରରେ ଘଟିଥିଲା। ବନକ୍ରଫ୍ଟ ବଦଳ ଖେଳାଳି ପିଟର ହ୍ୟାଣ୍ଡ୍ସକମ୍ବଙ୍କ ସହ କଥା ହେବା ପରେ ନିଜ ହାତରେ କୌଣସି ହଳଦିଆ ରଙ୍ଗର ଜିନିଷ ଧରି ବଲ୍‌ର ଗୋଟିଏ ପଟକୁ ରଗଡ଼ି ଚାଲିଥିଲେ। ହ୍ୟାଣ୍ଡ୍ସକମ୍ବ ପ୍ରଶିକ୍ଷକ ଡାରେନ୍‌ ଲିମ୍ୟାନଙ୍କ ସହ ଓ୍ଵାକି ଟକିରେ କଥା ହୋଇ ପଡ଼ିଆ ଭିତରକୁ ଯିବା ପରେ ପରେ ହିଁ ବନକ୍ରଫ୍ଟ ଏଭଳି ଅଶୋଭନୀୟ ଏବଂ ନିନ୍ଦନୀୟ କାର୍ଯ୍ୟ କରିବା ଆରମ୍ଭ କରିଥିଲେ। ହେଲେ ସେ ଲୁଚାଇ ଧରିଥିବା ଜିନିଷଟି କ୍ୟାମେରା ଲେନ୍ସରେ ଧରା ପଡ଼ି ଯାଇଥିଲା। ଏହା ପରେ ଅମ୍ପାୟାର ନାଇଜଲ ଲଙ୍ଗ ଏବଂ ରିଚାର୍ଡ ଇଲିଙ୍ଗଓ୍ଵର୍ଥ ତାଙ୍କ ପାଖକୁ ଯାଇ ଏହି ବିଷୟରେ ପଚରା ପଚାରି କରିଥିଲେ। ହେଲେ ବନକ୍ରଫ୍ଟ ଚତୁରତାର ସହ ନିଜ ପକେଟରୁ ଏକ ଚଷମା ଖୋଳ ବାହାର କରି ଉଭୟଙ୍କୁ ଭଣ୍ଡେଇ ଦେଇଥିଲେ। ଫଳରେ ଦୁଇ ଅମ୍ପାୟାର ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ। ହେଲେ ଏହି ଭିଡିଓକୁ ଯେତେବେଳେ ବଡ଼ ପରଦାରେ ଦେଖା ଯାଇଥିଲା ବନକ୍ରଫ୍ଟଙ୍କ କାରନାମା ଧରା ପଡ଼ିଯାଇଥିଲା। ଷ୍ଟାଡିୟମରେ ଥିବା ଦର୍ଶକ ଏହାକୁ ଦେଖି ଖୁବ୍‌ଜୋରରେ ହୋ ହଲ୍ଲା କରିଥିଲେ। ମାମଲା ଯାଇ ଆଇସିସି ନିକଟରେ ପହଞ୍ଚିଥିଲା। ଆଇସିସି ଏହାକୁ ଗମ୍ଭୀରତାର ସହ ନେଇ ବନକ୍ରଫ୍ଟଙ୍କ ବିରୋଧରେ ବଲ୍‌ର ଆକାର ବଦଳାଇବାର ପ୍ରୟାସ କରିବା ଧାରା ଲଗାଇ ତଦନ୍ତ ନିର୍ଦେଶ ଦେଇଥିଲା। ବିବାଦ ଅଧିକ ଘନେଇବାରୁ ବାଧ୍ୟହୋଇ ସମସ୍ତେ ଜାଣିଶୁଣି ଏବଂ ଯୋଜନାବଦ୍ଧ ଭାବେ ଏଭଳି କରିଥିବା ଅଷ୍ଟ୍ରେଲିଆ ଅଧିନାୟକ ସ୍ମିଥ୍‌ ସ୍ୱୀକାର କରିଥିଲେ। ବନକ୍ରଫ୍ଟ ମଧ୍ୟ ନୂଆ ବଲ୍‌ ନେବା ପାଇଁ ବଲ୍‌କୁ ଖଣ୍ଡିଆ ଖାବରା କରିବା ଲାଗି ପକେଟରେ ଏକ ବାଲି କାଗଜ ଭଳି ଜିନିଷ ରଖିଥିବା ମାନି ଯାଇଥିଲେ। ଲଜ୍ଜାହୀନ ଭାବେ ସ୍ମିଥ୍‌ କିନ୍ତୁ ତାଙ୍କ ପଦ ଛାଡ଼ିବାକୁ ଚିନ୍ତା କରୁ ନଥିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ। ଆଜି ଆମେ ଏକ ମସ୍ତବଡ଼ ଭୁଲ କଲୁ। ଯାହାକୁ ନେଇ ମୁଁ ଆଦୌ ଗର୍ବିତ ନୁହେଁ। ଏକଥା ଆମେ ସମସ୍ତେ ମିଳିମିଶି କରିଛୁୁ। ମୁଁ ଏଥିନେଇ ଘୋର ଲଜ୍ଜିତ। ଏଥିରୁ ଅନେକ କିଛି ଶିଖି ଆମେ ସଫଳ ପ୍ରତ୍ୟାବର୍ତନ କରିବୁ ବୋଲି ସ୍ମିଥ୍‌ ମଧ୍ୟ ମ୍ୟାଚ୍‌ ପରବର୍ତୀ ସାମ୍ବାଦିକ ସମ୍ମିଳନୀରେ କହିଥିଲେ।

ମ୍ୟାଚ୍‌ ଜିତିବା ଲାଗି ଅଷ୍ଟ୍ରେଲିଆ ଖେଳାଳିମାନେ ଏତେ ତଳକୁ ଖସିଯିବା କିନ୍ତୁ ସମସ୍ତଙ୍କୁ ବିସ୍ମିତ କରିଛି। ଏହା ଏକ ଖରାପ ପରମ୍ପରା ମଧ୍ୟ ସୃଷ୍ଟି କରିଛି। ଦୋଷୀ ସାବ୍ୟସ୍ତ ହେଲେ ବନକ୍ରଫ୍ଟଙ୍କ ସହ ସମଗ୍ର ଅଷ୍ଟ୍ରେଲିଆ ଦଳ ଦଣ୍ଡିତ ହେବାର ଆଶଙ୍କା ରହିଛି। ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ଡେଲ୍‌ ଷ୍ଟେନ୍‌ ଏହି ଭିଡିଓକୁ  ଟ୍ଵିଟ୍‌ କରି କଙ୍ଗାରୁ ଖେଳାଳିଙ୍କୁ କଟାକ୍ଷ କରିଛନ୍ତି। ସେପଟେ ଷ୍ଟାଡିୟମ୍‌ ଦର୍ଶକ ସେମାନଙ୍କୁ ଗାଳି ଗୁଲଜ କରିବା ସହ ଅପମାନିତ କରୁଥିବା ଶୁକ୍ରବାର ଅଷ୍ଟ୍ରେଲୀୟ ଖେଳାଳିମାନେ ଅଭିଯୋଗ କରିଥିଲେ। ଏଣୁ କେପଟାଉନ୍‌ ଟେଷ୍ଟ୍‌ ସହ ସମଗ୍ର ଶୃଙ୍ଖଳାରେ ଏବେ କ୍ରିକେଟ୍‌ ଉପରକୁ ସମସ୍ତଙ୍କ ନଜର ହଟି ଯାଇଛି। ସବୁ ଧ୍ୟାନ ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଦେଖା ଦେଇଥିବା ବିବାଦ ଉପରେ ରହିଛି।

ବଲ୍‌ର ଆକାର ବଦଳାଇବା ଷଡ଼ଯନ୍ତ୍ରକୁ ମାନିଲେ ସ୍ମିଥ୍‌-ବନକ୍ରଫ୍ଟ

ଦକ୍ଷିଣ ଆଫ୍ରିକା ଦୃଢ଼

କେପ୍‌ ଟାଉନ୍‌୍‌, ୨୪|୩: କେପ୍‌ ଟାଉନ୍‌ ଟେଷ୍ଟ୍‍ରେ ଦକ୍ଷିଣ ଆଫ୍ରିକା ନିଜ ସ୍ଥିତି ଦୃଢ଼ କରି ନେଇଛି। ପ୍ରଥମ ପାଳିରେ ୫୬ ରନର ମହତ୍ୱପୂର୍ଣ୍ଣ ଅଗ୍ରଣୀ ନେଇଥିବା ଘରୋଇ ଦଳ ଶନିବାର ତୃତୀୟ ଦିନ ଶେଷ ସୁଦ୍ଧା ୫ ଓ୍ଵିକେଟ୍‌ରେ ୨୩୮ ରନ୍‌ ସଂଗ୍ରହ କରିଥିବାରୁ ମୋଟ ଉପରେ ୨୯୪ ରନରେ ଆଗୁଆ ହୋଇସାରିଛି। ଦ୍ୱିତୀୟ ପାଳିରେ ଐଦେନ ମର୍କରାମ (୮୪, ୧୪୫ ବଲ୍‌, ୧୦ ଚୌକା, ୨ ଛକା) ଏବଂ ଏବି ଡି’ଭିଲିୟର୍ସ (୫୧*, ୧୦୩ ବଲ୍‌, ୬ ଚୌକା, ୧ ଛକା)ଙ୍କ ଲଢ଼ୁଆ ଅର୍ଧଶତକ ବଳରେ ଘରୋଇ ଦଳ ବଡ଼ ଅଗ୍ରଣୀ ପାଇଁ ବାଟ ଖୋଲିଛି। ଡି’ଭିଲିୟର୍ସ ଆହତ ସମସ୍ୟାରୁ ଫେରିବା ପରେ ୭ ଟେଷ୍ଟ୍‍ରୁ ୭ ଥର ୫୦ରୁ ଊର୍ଧ୍ୱ ରନ୍‌ ସଂଗ୍ରହ କରି ତାଙ୍କ ଅଭିଯାନ ଜାରି ରଖିଛନ୍ତି।

ସଂକ୍ଷିପ୍ତ ସ୍କୋର୍‌: ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି: ୩୧୧ (ଏଲଗାର-୧୪୧*, ଏବି ଡି’ଭିଲିୟର୍ସ-୬୪, କମିନ୍‌ସ-୪/୭୮, ଲିଅନ୍‌-୨/୪୩, ହାଜେଲ୍‌ଉଡ୍‌-୨/୫୯)। ଅଷ୍ଟ୍ରେଲିଆ ପ୍ରଥମ ପାଳି: ୨୫୫ (କାମେରନ୍‌ ବନ୍‌କ୍ରଫଟ୍‌-୭୭, ନାଥନ୍‌ ଲିଅନ-୪୭, ଟିମ୍‌ ପାଇନ୍‌-୩୪*, ମର୍ନି ମର୍କେଲ୍‌-୪/୮୭, କାଗିସୋ ରବାଦା-୪/୯୧, ଭର୍ନାନ୍‌ ଫିଲାଣ୍ଡର୍‌-୨/୨୬)। ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ପାଳି: ୭୨ ଓଭରରେ ୨୩୮/୫ (ଐଦେନ ମର୍କରାମ-୮୪, ଏବି ଡି’ଭିଲିୟର୍ସ-୫୧*, ହାସିମ୍‌ ଆମଲା-୩୧, କ୍ୱିଣ୍ଟନ୍‌ ଡି’କକ୍‌-୨୯*, ପ୍ୟାଟ୍‌ କମିନ୍‌ସ-୨/୪୭, ଜୋସ ହାଜେଲ୍‌ଉଡ୍‌-୧/୪୬, ମିଚେଲ୍‌ ଷ୍ଟାର୍କ-୧/୪୮, ନାଥନ୍‌ ଲିଅନ୍‌-୧/୬୯)।

ସମ୍ବନ୍ଧିତ ଖବର