ଚେନ୍ନାଇକୁ ରାଜସ୍ଥାନ ଝଟ୍‌କା, ସାମସନ୍-ଆର୍ଚରଙ୍କ ଛକା ବର୍ଷା, ପ୍ରଥମ ୨୦୦

ସାରଜା: ଚଳିତ ଆଇପିଏଲ୍‌ର ଚତୁର୍ଥ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ମଙ୍ଗଳବାର ୧୬ ରନ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ପରାସ୍ତ କରିଛି। ରାଜସ୍ଥାନ ଆଜି ତା’ର ପ୍ରଥମ ମ୍ୟାଚ୍ ଜିତି ବିଜୟରୁ ଅଭିଯାନ ଆରମ୍ଭ କରିଥିଲା ବେଳେ ନିଜ ପ୍ରଥମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଥିବା ଚେନ୍ନାଇ ସୁପରକିଙ୍ଗ୍ସ ପ୍ରଥମ ପରାଜୟ ବରଣ କରିଛି।। ୨୦୦୮ ପ୍ରଥମ ସଂସ୍କରଣ ବିଜେତା ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରି ୨୧୭ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲା। ଏହାର ଜବାବରେ ଚେନ୍ନାଇ ସୁପରକିଙ୍ଗ୍ସ ୨୦ ଓଭରରେ ୬ ୱିକେଟ୍ ବିନିମୟରେ ୨୦୦ ରନ୍ କରି ହାରିଥିଲା।

ବଡ଼ ବିଜୟ ଲକ୍ଷ୍ୟ ହୋଇଥିଲେ ମଧ୍ୟ ଚେନ୍ନାଇ ଧୈର୍ଯ୍ୟର ସହ ପଶ୍ଚାତଧାବନ ଆରମ୍ଭ କରିଥିଲା। ମୁରଲୀ ବିଜୟ (୨୧) ଓ ସେନ୍ ୱାଟସନ୍ (୩୩) ପ୍ରଥମ ୱିକେଟ୍‌ରେ ୫୬ ରନ୍ ଯୋଡ଼ି ଦୃଢ଼ ମୂଳଦୁଆ ପକାଇବାକୁ ଚେଷ୍ଟା କରିଥିଲେ। ହେଲେ ଉଭୟ ମାତ୍ର ୨ ରନ୍ ଭିତରେ ନିଜ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ଏହା ପରେ ମଧ୍ୟ ଚେନ୍ନାଇର ୱିକେଟ୍ ପତନ ଧାରା ଜାରି ରହିଥିଲା। ଦକ୍ଷିଣ ଆଫ୍ରିକୀୟ ଫାଫ୍ ଡୁ ପ୍ଲେସିସ୍ (୭୨ ରନ୍, ୩୭ ବଲ୍, ୧ ଚୌକା, ୭ ଛକା) ସାହସିକ ଅର୍ଧଶତକ ଅର୍ଜନ କରିଥ‌ିଲେ। ହେଲେ ଅନ୍ୟ କେହି ତାଙ୍କୁ ଆବଶ୍ୟକ ସମର୍ଥନ ଦେଇ ନଥିଲେ। ଶେଷ ଓଭରରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୨୯*, ୧୭ ବଲ୍, ୩ ଛକା) ତିନିଟି ଛକା ମାରି ବଲ୍‌କୁ ପ୍ରତିଥର ଷ୍ଟାଡିୟମ୍ ବାହାରେ ପକାଇବା ତାଙ୍କ ପ୍ରଶଂସକଙ୍କୁ ଅବଶ୍ୟ ପ୍ରତୀକ୍ଷିତ ଖୁସୀ ଦେଇଥିଲା।
ସାମସନ୍-ଆର୍ଚରଙ୍କ ଛକା ବର୍ଷା, ପ୍ରଥମ ୨୦୦ ରାଜସ୍ଥାନ ରୟାଲ୍ସ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ସଞ୍ଜୁ ସାମସନ୍ (୭୪ ରନ୍, ୩୨ ବଲ୍, ୧ ଚୌକା, ୯ ଛକା) ଓ ‌ଶେଷ ଆଡ଼କୁ ‌ଅଲରାଉଣ୍ଡର ଜୋଫ୍ରା ଆର୍ଚର (୨୭* ରନ୍, ୮ ବଲ୍, ୪ ଚୌକା) ଛକା ବର୍ଷା କରିଥିଲେ। ଫଳରେ ରାଜସ୍ଥାନ ପ୍ରଥମ ଦଳ ଭାବେ ଚଳିତ ଋତୁରେ ୨୦୦ରୁ ଅଧିକ ରନ୍ କରି ନେଇଥିଲା। ସାମସନ୍ ଓ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ (୬୯ ରନ୍, ୪୭ ବଲ୍, ୪ ଚୌକା, ୪ ଛକା) ଦ୍ବିତୀୟ ୱିକେଟ୍‌ରେ ଦ୍ରୁତ ୧୨୧ ରନ୍ ଯୋଡ଼ି ଥିଲେ। ସାମସନଙ୍କୁ ଆଉଟ୍ କରି ଲୁଙ୍ଗି ଏନ୍‌ଗିଡ଼ି ଯୋଡ଼ି ଭାଙ୍ଗିବା ପରେ ରାଜସ୍ଥାନ ମଧ୍ୟ ନାଟକୀୟ ଭାବେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୩୫ ରନ୍‌ରେ ୪ ୱିକେଟ୍‌ ହରାଇଥିଲା। ତେବେ ସେହି ଏନ୍‌ଗିଡ଼ିଙ୍କ ଶେଷ ଓଭରରୁ ଆର୍ଚର ୩୦ ରନ୍ ଅମଳ କରିନେଇଥିଲେ। ଏହି ଘଟଣା ବହୁଳ ଓଭରର ପ୍ରଥମ ଦୁଇ ବଲ୍‌କୁ ଛକା ମାରିବା ପରେ ପରବର୍ତ୍ତି ଦୁଇଟି ନୋ’ବଲ୍‌ ଫ୍ରିହିଟ୍‌କୁ ମଧ୍ୟ ଛକାରେ ରୂପାନ୍ତର କରିଥିଲେ ସେ।

ସମ୍ବନ୍ଧିତ ଖବର