ଚେନ୍ନାଇ ସୁପର୍‌ କିଙ୍ଗ୍ସ ୯୧ ରନ୍‌ରେ ଜିତିଲା

ମୁମ୍ବାଇ: ଏକତରଫା ମ୍ୟାଚ୍‌ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ୯୧ ରନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଦେଇଛି। ଏଥି ସହିତ ସିଏସ୍‌କେ ଏକାଦଶ ମ୍ୟାଚ୍‌ରୁ ଚତୁର୍ଥ ବିଜୟ ସହ ପଏଣ୍ଟ ଟେବୁଲ୍‌ରେ ନବମରୁ ଅଷ୍ଟମ ସ୍ଥାନକୁ ଉଠିଛି। ଅସ୍ଥିର ପ୍ରଦର୍ଶନ ଜାରି ରଖି ଦିଲ୍ଲୀ କ୍ୟାପିଟାଲ୍ସ ଏକାଦଶ ମ୍ୟାଚ୍‌ରୁ ଷଷ୍ଠ ପରାଜୟ ସହ ପଞ୍ଚମରେ ସଂଘର୍ଷ କରୁଛି। ଡେଭନ୍‌ କନୱେ, ଋତୁରାଜ ଗାଏକ୍ବାଡ, ଶିବମ ଦୁବେ ଓ ମହେନ୍ଦ୍ର ସିଂହ ଧୋନିଙ୍କ ବଢ଼ିଆ ବ୍ୟାଟିଂ କାରଣରୁ ଚେନ୍ନାଇ ୨୦୮ ରନ୍‌ କରିଥିଲା। ଦିଲ୍ଲୀ କିନ୍ତୁ ୧୭.୪ ଓଭରରେ ୧୧୭ ରନ୍‌ କରି ସମସ୍ତ ୱିକେଟ୍ ହରାଇ ଦେଇଥିଲା। କନୱେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

କନୱେ-ଗାଏକ୍ବାଡଙ୍କ ଆଉ ଏକ ଶତକୀୟ ଭାଗୀଦାରି

ଋତୁରାଜ ଗାଏକ୍ବାଡ ଏବଂ ଡେଭନ୍ କନୱେଙ୍କ ଆଉ ଏକ ଶତକୀୟ ଭାଗୀଦାରି କାରଣରୁ ଚେନ୍ନାଇ ସୁପର୍‌ କିଙ୍ଗ୍ସ ୨୦୮ ରନ୍‌ର ବଡ଼ ସ୍କୋର୍‌ ଛିଡ଼ା କରିଥିଲା। ଗତ ସପ୍ତାହରେ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପ୍ରଥମ ୱିକେଟ୍ ପାଇଁ ୧୮୨ ରନ୍‌ ଯୋଡ଼ିଥିବା ଏହି ପ୍ରାରମ୍ଭିକ ବ୍ୟାଟର୍‌ ରବିବାର ରାତିରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୧୧ ଓଭରରେ ୧୧୦ ରନ୍‌ କରି ଦୃଢ଼ ମୂଳଦୁଆ ପକାଇଥିଲେ। ଗାଏକ୍ବାଡ (୩୩ ବଲ୍‌ରୁ ୪୧ ରନ୍‌)ଙ୍କୁ ଅନରିକ୍‌ ନର୍ଖିୟା ଆଉଟ୍ କରି ଏହି ଭାଗୀଦାରିକୁ ଅଲଗା କରିଥିଲେ ମଧ୍ୟ ଚେନ୍ନାଇ ସୁପର୍‌ କିଙ୍ଗ୍ସ ରନ୍‌ ଗତିକୁ ଶେଷ ଓଭର ପର୍ଯ୍ୟନ୍ତ ଜାରି ରଖିଥିଲା। କନୱେ ୨୭ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ୪୯ ବଲ୍‌ରୁ ୮୭ ରନ୍‌ କରି ଖଲିଲ୍ ଅହମ୍ମଦଙ୍କ ଶିକାର ହୋଇ ଶତକ ଆଡକୁ ଅଗ୍ରସର ହୋଇପାରିନଥିଲେ। ଶିବମ ଦୁବେ (୧୯ ବଲ୍‌ରୁ ୩୨ ରନ୍‌) ଏବଂ ମହେନ୍ଦ୍ର ସିଂ ଧୋନି (୮ ବଲ୍‌ରୁ ୨୧* ରନ୍‌) ଦ୍ରୁତ ରନ୍ ସଂଗ୍ରହ କରି ଦଳର ସ୍କୋର୍‌କୁ ୨୦୦ ଅତିକ୍ରମ କରାଇଥିଲେ। ଦିଲ୍ଲୀ ପକ୍ଷରୁ ଦୁଇ ଦ୍ରୁତ ବୋଲର୍‌ ଅନରିକ୍‌ ନର୍ଖିୟା (୪-୦-୪୨-୩) ଏବଂ ଖଲିଲ୍ ଅହମ୍ମଦ (୪-୦-୨୮-୨) ସଫଳ ରହିଥିଲେ।

ଦିଲ୍ଲୀ ଶିବିରରେ କୋଭିଡ୍‌: ପୃଥ୍ବୀ ହସ୍ପିଟାଲ୍‌ରେ

ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଦଳ ଶିବିରରେ ଚଳିତ ଋତୁରେ ଦ୍ବିତୀୟ ଥର ପାଇଁ କୋଭିଡ୍‌ ଆତଙ୍କ ଖେଳିଯାଇଛି। ରବିବାର ଚେନ୍ନାଇ ସୁପର୍‌ କିଙ୍ଗ୍ସ ମ୍ୟାଚ୍‌ ପୂର୍ବରୁ ସକାଳେ ହୋଇଥିବା କୋଭିଡ୍‌ ପରୀକ୍ଷାରେ ଜଣେ ନେଟ୍ ବୋଲର୍‌ ପଜିଟିଭ୍ ଆସିବାରୁ ତାଙ୍କ ସହିତ ଦଳର ସମସ୍ତ ସଦସ୍ୟଙ୍କୁ ହୋଟେଲ୍ ରୁମ୍‌ରେ ଗୃହାବଦ୍ଧ ରଖାଯାଇଥିଲା। ସମସ୍ତ ଖେଳାଳିମାନେ କୋଭିଡ୍‌ ନେଗେଟିଭ୍‌ ଆସିବା ପରେ ରାତି ମ୍ୟାଚ୍‌ ଯଥାରୀତି ଖେଳାଯାଇଛି। ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ୩ ‌ଖେଳାଳିଙ୍କ ସହ ୬ ଜଣ ସଂକ୍ରମିତ ହେବା ପରେ ପୁଣେରେ ଖେଳାଯିବାକୁ ଥିବା ପଞ୍ଜାବ କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍‌ସ ବିପକ୍ଷ ମ୍ୟାଚ୍‌କୁ ମୁମ୍ବାଇ ସ୍ଥାନାନ୍ତର କରାଯାଇଥିଲା। ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍‌ସର ଯୁବ ପ୍ରାରମ୍ଭିକ ବ୍ୟାଟର୍‌ ପୃଥ୍ବୀ ସ’ ଜ୍ବରରେ ପୀଡ଼ିତ ହୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ ମଧ୍ୟ ସୁସ୍ଥ ହୋଇଥିବାରୁ ଖୁବ୍ ଶୀଘ୍ର ଫେରିବେ ବୋଲି ଟ୍ବିଟ୍‌ କରିଛନ୍ତି।

ସମ୍ବନ୍ଧିତ ଖବର