ସିଲି ପଏଣ୍ଟ୍‌: ଖେଳାଳିଙ୍କ ବିବାହ ଦିନ

ଭୁବନେଶ୍ୱର/ ରାଉରକେଲା: ଓଡ଼ିଶା ରଣଜୀ ଦଳର ଅଧିନାୟକ ଗୋବିନ୍ଦ ପୋଦ୍ଦାର ରବିବାର ବିବାହ ବଂଧନରେ ଆବଦ୍ଧ ହୋଇଛନ୍ତି। ପିଲାଦିନର ବାଧଂବୀ ବନ୍ଦିତା ସାହୁଙ୍କ ହାତ ଧରିଛନ୍ତି ଏହି ଅଲରାଉଣ୍ଡର୍‌। ରାଉରକେଲାରେ ନିଜର ବିଦ୍ୟାଳୟ ଓ ମହାବିଦ୍ୟାଳୟ ଏବଂ ଭୁବନେଶ୍ୱରରେ ବିଶ୍ୱବିଦ୍ୟାଳୟରେ ଏକାଠି ପଢ଼ିଥିଲେ ଗୋବିନ୍ଦ ଓ ବନ୍ଦିତା। ଗୋବିନ୍ଦ ଏବେ ଓଡ଼ିଶା ଏଜିରେ ନିଯୁକ୍ତ ଥିବାବେଳେ ବନ୍ଦିତା ଚାଟାର୍ଡ ଅକାଉଣ୍ଟାଣ୍ଟ୍‌ ଭାବେ କାମ କରୁଛନ୍ତି। ରାଉରକେଲା ବାସନ୍ତୀ କଲୋନିର ବନ୍ଦିତା ପୂର୍ବରୁ ବାଙ୍ଗାଲୋରସ୍ଥିତ ବୈଦେଶିକ ମୁଦ୍ରା ବିନିମୟ (ଫୋରେକ୍ସ) ସଂସ୍ଥାରେ ମଧ୍ୟ କାର୍ଯ୍ୟ କରିଥିଲେ। ରବିବାର ରାଉରକେଲାରେ ସେମାନଙ୍କ ବିବାହ ଉତ୍ସବରେ ରାଜ୍ୟ କ୍ରିକେଟ୍‌ ଦୁନିଆ ସହିତ ତାଙ୍କର ବହୁ ରଣଜୀ ସାଥୀ ଭାଗ ନେଇଥିଲେ।

ଅନ୍ୟପକ୍ଷରେ ବିଶ୍ୱକପ୍‌ ବିଜୟିନୀ କବାଡ଼ି ଖେଳାଳି ରଶ୍ମିତା ସାହୁ ମଧ୍ୟ ରବିବାର ତାଙ୍କ ଜୀବନସାଥୀ ପାଇଛନ୍ତି। ନିଜ କବାଡ଼ି ଖେଳାଳି ସାଥୀ ତଥା କିଟ୍‌ ପ୍ରଶିକ୍ଷକ ପ୍ରଦୀପ ଜେନାଙ୍କ ହାତ ଧରିଛନ୍ତି ରଶ୍ମିତା। ଯାଜପୁର ବଡ଼ନିରଂଜନପୁରର ସୀତାରାଣୀ ଓ ଦୁର୍ଯ୍ୟୋଧନ ସାହୁଙ୍କ ସାନ ଝିଅ ରଶ୍ମିତା ପଟିଆଗଡ଼ର ଲିଲିବାଳା ଓ ରବୀନ୍ଦ୍ର ଜେନାଙ୍କ ସାନ ପୁଅ ପ୍ରଦୀପଙ୍କ ସହିତ ଖେଳାଳି ଜୀବନରେ ବଂଧୁ ହେବା ପରେ ଏବେ ସାଂସାରିକ ଜୀବନର ସାଥୀ ପାଲଟିଛନ୍ତି। ଭୁବନେଶ୍ୱରରେ ଏହି ବିବାହ ରବିବାର ଧୂମ୍‌ଧାମ୍‌ରେ ସମ୍ପନ୍ନ ହୋଇଛି।

ସମ୍ବନ୍ଧିତ ଖବର