ସିଏସ୍କେ ଅଭିଜ୍ଞତା ପରେ ରାଜାଙ୍କ ଆତ୍ମବିଶ୍ବାସ, ଓଡ଼ିଶା ଭଲ ଖେଳିବା ଆବଶ୍ୟକ
ଏମ୍ଆର୍ଏଫ୍ରୁ ଚିହ୍ନଟ, ଧଳାବଲ୍ର ଗୁରୁତ୍ବ ଅନୁଭବ କଲି
ଏମ୍ଆର୍ଏଫ୍ରୁ ଚିହ୍ନଟ
କେବଳ ଭାରତ ନୁହେଁ ଶ୍ରୀଲଙ୍କାକୁ ବି ବହୁ ଦ୍ରୁତ ବୋଲର ଯୋଗାଇଥିବା ଏମ୍ଆର୍ଏଫ୍ ପେସ୍ ଫାଉଣ୍ଡେସନ୍ରୁ ହିଁ ରାଜେଶଙ୍କୁ ଚିହ୍ନଟ କରିଥିଲା ଚେନ୍ନାଇ ସୁପର୍ କିଙ୍ଗ୍ସ। ବିଗତ ୩ ବର୍ଷ ହେବ ଚେନ୍ନାଇସ୍ଥିତ ଏହି ଫାଉଣ୍ଡେସନ୍ରେ ପ୍ରଶିକ୍ଷାର୍ଥୀ ଭାବେ ସାମିଲ ଥିବାରୁ ରାଜେଶଙ୍କ ଉପରେ ସିଏସ୍କେର ନଜର ପଡ଼ିଥିଲା। ପ୍ରଥମ ଋତୁରୁ ପ୍ରଭାବ ଛାଡ଼ିଥିବାରୁ ଏମ୍ଆର୍ଏଫ୍ ପେସ୍ ଫାଉଣ୍ଡେସନର ମୁଖ୍ୟ ପ୍ରଶିକ୍ଷକ ଏମ୍ ସେନ୍ଥିଲ୍ନାଥନ୍ ରାଜେଶଙ୍କ ନାମ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ପଠାଇଥିଲେ। ରାଜେଶଙ୍କ ପ୍ରଶଂସନୀୟ ପ୍ରଥମ ଶ୍ରେଣୀ ପ୍ରଦର୍ଶନ, ପେସ୍, ୟର୍କର ଆଦି କାରଣରୁ ସେ ଏହି ସୁଯୋଗ ପାଇଥିଲେ। ଏକାଧିକ ଯୁବ ପେସ୍ ବୋଲରଙ୍କୁ ନେଇ ଚେନ୍ନାଇ ନିଜ ପ୍ରସ୍ତୁତି କରିଥିଲେ ମଧ୍ୟ ଆଇପିଏଲ୍ ସ୍ଥଗିତ ରହିବା ପର୍ଯ୍ୟନ୍ତ ରାଜେଶ ଦଳ ସହ ରହିଥିଲେ।
ସୁରକ୍ଷିତ ଜୈବ ବଳୟ
ଆଇପିଏଲ୍ ଆରମ୍ଭ ହେବାର ଯଥେଷ୍ଟ ପୂର୍ବରୁ ଚେନ୍ନାଇ ସୁପର୍ କିଙ୍ଗ୍ସର ପ୍ରସ୍ତୁତି ଚେନ୍ନାଇର ଚେପକ୍ ଷ୍ଟାଡିୟମ୍ରେ ଚାଲିଥିଲା। ମାର୍ଚ୍ଚ ମାସରୁ ଆରମ୍ଭ ହୋଇଥିବା ଏହି ଶିବିର ପରେ ଦଳ ମୁମ୍ବାଇରେ ପହଞ୍ଚି ଆଇପିଏଲ୍-୧୪ରେ ଅଂଶଗ୍ରହଣ କରିଥିଲା। ସେଠାରେ ପ୍ରଥମ ଚରଣ ମ୍ୟାଚ୍ ଖେଳିବା ପରେ ଦିଲ୍ଲୀ ଯାତ୍ରା କରିଥିଲା। ସବୁ ଗଡ଼ବଡ଼ ସେଠାରେ ହିଁ ହୋଇଥିଲା ବୋଲି ସନ୍ଦେହ କରାଯାଉଛି। ଆମେ ଏତେ ଦିନ ଜୈବ ସୁରକ୍ଷିତ ବଳୟ ଭିତରେ ରହୁଥିଲେ ମଧ୍ୟ କିଛି ଅସୁବିଧା ହେଉନଥିଲା। ପ୍ରତି ଖେଳାଳି ସ୍ବତନ୍ତ୍ର ରୁମ୍ରେ ରହୁଥିଲେ, ପ୍ରତି ୩ ଦିନରେ ଆର୍ଟି-ପିସିଆର୍ ଟେଷ୍ଟ୍ ଦେବାକୁ ପଡୁଥିଲା। କିନ୍ତୁ ଦିଲ୍ଲୀରେ ଗ୍ରାଉଣ୍ଡ୍ସମ୍ୟାନ୍ ଜୈବ ବଳୟ ବାହାରେ ରହୁଥିବାରୁ ଏଭଳି ଅସୁବିଧା ହୋଇଥିବା ଆଶଙ୍କା କରୁଛୁ। ଆଇପିଏଲ୍ ଅଧାରୁ ବନ୍ଦ ହେବା କଷ୍ଟ ଦେଇଥିଲା।
ମାହି ଭାଇ ନିଜ ଯୋଜନାରେ ଖେଳୁଥିଲେ
ଭାରତୀୟ କ୍ରିକେଟ୍ର କିଂବଦନ୍ତି ପୁରୁଷ ମହେନ୍ଦ୍ର ସିଂହ ଧୋନି ତଥା ମାହି ଭାଇଙ୍କ ଦଳ ସହ ଥିବାରୁ ନିଜକୁ ଗର୍ବିତ ମନେ କରୁଥିଲି। ତାଙ୍କୁ ପ୍ରଥମେ ଭେଟିବାକୁ ମୁଁ ସାହାସ କରିପାରୁନଥିଲି। ସେ ମଧ୍ୟ ବିଶେଷ ଭାବେ ପେସ୍ ବୋଲରଙ୍କୁ ଅଭ୍ୟାସ ବେଳେ ଖେଳୁନଥିଲେ। ନିଜ ଯୋଜନାରେ ଆସି ଅଧିକାଂଶ ସାଇଡ୍ ଆର୍ମ ବୋଲର କିମ୍ବା ସ୍ପିନରଙ୍କ ବିପକ୍ଷରେ ଅଭ୍ୟାସ କରୁଥିଲେ। ନିଜ ପ୍ରାକ୍ ଯୋଜନା ଅନୁସାରେ ସେ ଅଭ୍ୟାସ କରୁଥିଲେ। ତାଙ୍କୁ ବୋଲିଂ କରିବାକୁ ମୋତେ କମ୍ ସୁଯୋଗ ମିଳିଥିଲା। ହେଲେ ସୀମିତ ସୁଯୋଗ ମଧ୍ୟରେ କିଛି ୟର୍କର ପକାଇ ତାଙ୍କୁ ବଡ଼ ସଟ୍ ଖେଳିବାରୁ ରୋକିଥିଲି। ଅଭ୍ୟାସ ପରେ ପଚାରି ବୁଝିଥିଲି ‘ଅଧିକ କିଛି କରାଯାଇପାରିବ କି? ‘‘ଭଲ ବୋଲିଂ କରୁଛ, ନିଜ ଷ୍ଟ୍ରେଙ୍ଗ୍ଥରେ ଖେଳ’’ ବୋଲି ମାହି ଭାଇ ଉତ୍ତର ଦେଇଥିଲେ। ଏହା ମୋତେ ପ୍ରେରିତ କରିଛି ଓ ମୋ ଆତ୍ମବିଶ୍ବାସ ବଢ଼ାଇଛି।
ଋତୁରାଜ ଗାଏକ୍ବାଡ ବନ୍ଧୁ
ସିଏସ୍କେ ଦଳ ସହ ସମୟ ବିତାଇବା ମଧ୍ୟରେ ସଫଳ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଏକ୍ବାଡଙ୍କ ସହ ମୋର ବନ୍ଧୁତା ହୋଇଛି। ଅନ୍ୟ ସମସ୍ତଙ୍କ ସହ ମଧ୍ୟ ଦେଖା ସାକ୍ଷାତ ହୋଇଛି। କିନ୍ତୁ କୋଭିଡ୍ କଟକଣା କାରଣରୁ ବିଶେଷ ଘନିଷ୍ଠତା ବଢ଼ାଇ ପାରିନଥିଲି। ସୁରେଶ ରାଇନାଙ୍କୁ ଭେଟିବା ବେଳେ ତାଙ୍କ ବନ୍ଧୁ ତଥା ମୋ ଗୁରୁ ଦୀପକ ମଙ୍ଗରାଜଙ୍କ କଥା କହି ପରିଚିତ ହୋଇଥିଲି। ତାଙ୍କ ଓଡ଼ିଶା ଆଗମନ କଥା ମଧ୍ୟ ମନେ ପକାଇଥିଲି। ଅଭ୍ୟାସ ବେଳେ ଥରେ ଅମ୍ବାତି ରାୟୁଡୁଙ୍କୁ ବୋଲ୍ଡ କରିଦେବା ପରେ ସେ ମଧ୍ୟ ମୋତେ ସାବାସି ଜଣାଇଥିଲେ। ବଡ଼ ବଡ଼ ଖେଳାଳିମାନଙ୍କ ଗହଣରେ ରାତ୍ରୀ ଭୋଜନ କରିବାର ମୁହୂର୍ତ୍ତ ମୋ ପାଇଁ ସ୍ମରଣୀୟ ରହିବ।
ଧଳାବଲ୍ର ଗୁରୁତ୍ବ ଅନୁଭବ କଲି
ଚେନ୍ନାଇ ସୁପର୍ କିଙ୍ଗ୍ସ ସହ ଦୁଇ ମାସ ବିତାଇବା ପରେ ମୋତେ ଢେର ଅଭିଜ୍ଞତା ମିଳିଛି। ବହୁ ପ୍ରମୁଖ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିବା କି ବିଟ୍ କରିବା ପରେ ନିଜ ଉପରେ ଆତ୍ମବିଶ୍ବାସ ବଢ଼ିଛି। ଧଳାବଲ୍ରେ ବି ଭଲ ଖେଳିପାରିବି ବୋଲି ବିଶ୍ବାସ ଆସିଛି। ଏଥି ସହ ଧଳାବଲ୍ ଖେଳିବାର ସୀମିତ ସୁଯୋଗକୁ ଅନୁଭବ କରିଥିଲି। ଓଡ଼ିଶାରେ ଲାଲ୍ ବଲ୍ ଖେଳିବା ଅଧିକ ହୋଇଥାଏ। ଅଭ୍ୟାସ କି ଅଭ୍ୟାସ ମ୍ୟାଚ୍ ଖୁବ୍ କମ୍ ହେଉଥିବାରୁ ଆମ ଦଳର ବିଜୟ ହଜାରେ ଟ୍ରଫି ଓ ସୟଦ୍ ମୁସ୍ତାକ୍ ଅଲୀ ଟ୍ରଫି ପ୍ରଦର୍ଶନ ଭଲ ହେଉନଥିବା ଅନୁଭବ କରିଥିଲି।
ସକାରାତ୍ମକ ମାହୋଲ
ଆଇପିଏଲ୍ ଚାଲିଥିବା ବେଳେ ଚେନ୍ନାଇ ଶିବିରରେ ସକାରାତ୍ମକ ମାହୋଲ ଭରି ରହୁଥିଲା। ପ୍ରଥମ ମ୍ୟାଚ୍ ହାରିଯିବା ପରେ କିମ୍ବା କୌଣସି ଖରାପ ପରିସ୍ଥିତିରେ କେହି ବି ଚିନ୍ତିତ କି ବିବ୍ରତ ହେଉନଥିଲେ। ମାହି ଭାଇଙ୍କ ସହ ଡ୍ବାନ ବ୍ରାଭୋ, ଗାଏକ୍ବାଡ, ସୁରେଶ ରାଇନା, ଶାର୍ଦୁଳ ଠାକୁରଙ୍କ ଶାରୀରିକ ଭାଷାରେ ଏହାର କୌଣସି ପ୍ରତିଫଳନ ଦେଖିବାକୁ ମିଳୁନଥିଲା। ଏହା ଦଳୀୟ ସଫଳତାର ମୂଳମନ୍ତ୍ର ଥିଲା। ଗତ ଋତୁ ପ୍ରଦର୍ଶନକୁ ପଛରେ ପକାଇ ଦଳ ଏଥର ଲଗାତାର ବିଜୟ ହାସଲ କରିଚାଲିଥିଲା।
ଓଡ଼ିଶା ଭଲ ଖେଳିବା ଆବଶ୍ୟକ
ଓଡ଼ିଶାରୁ ଏଥର କେହି ଆଇପିଏଲ୍ ନ ଖେଳିବା ସମ୍ପର୍କରେ ଗୋଟିଏ କଥା କହି ହେବ। ଆମକୁ ଧଳାବଲ୍ରେ ଦଳଗତ ଭାବେ ଭଲ ପ୍ରଦର୍ଶନ କରିବାକୁ ହେବ। ଓଡ଼ିଶା ଦଳ ପୂର୍ବ ବର୍ଷ ରଣଜୀ ଟ୍ରଫି କ୍ବାର୍ଟରଫାଇନାଲ୍ ଖେଳିଥିଲା। କିନ୍ତୁ ସେହି ତୁଳନାରେ ଆମ ପ୍ରଦର୍ଶନ ସୟଦ ମୁସ୍ତାକ ଅଲୀ କି ବିଜୟ ହଜାରେ ଟ୍ରଫି ସୀମିତ ଓଭର କ୍ରିକେଟରେ ଦେଖିବାକୁ ମିଳିନଥିଲା। ଅର୍ଥାତ୍ ଧଳା ବଲ୍ ବେଳକୁ ଆମ ଦୁର୍ବଳତା ପଦାରେ ପଡ଼ିଥିଲା। ଆମେ ଏହି ଦୁଇ ପ୍ରତିଯୋଗିତାରେ ସେମିଫାଇନାଲ୍ କି କ୍ବାର୍ଟରଫାଇନାଲ୍ ଯାଇପାରିଲେ ଓଡ଼ିଶା ଖେଳାଳିଙ୍କ ଉପରେ ନଜର ପଡ଼ନ୍ତା। କେବଳ ଆମ ସଫଳତାକୁ ରଣଜୀ ଟ୍ରଫିରେ ସୀମିତ ରଖିଲେ ହେବ ନାହିଁ। ଅଭ୍ୟାସ ମ୍ୟାଚ୍ କିମ୍ବା ଆମନ୍ତ୍ରଣୀୟ ପ୍ରତିଯୋଗିତା ଏଥିପାଇଁ ସହାୟକ ହୋଇପାରିବ। କୋଭିଡ୍ ପାଇଁ ରଣଜୀ ଟ୍ରଫି ଗତ ଋତୁରେ ନ ହେବା ଆମ ସୁଯୋଗକୁ ସୀମିତ କରିଛି। ତଥାପି ପ୍ରଥମ ଶ୍ରେଣୀ କ୍ରିକେଟ୍ ଅସଲ କ୍ରିକେଟ୍ ବୋଲି କହିବାକୁ କୁଣ୍ଠିତ ହୋଇନଥିଲେ ୨୧ ବର୍ଷୀୟ ରାଜେଶ। ମାତ୍ର ୧୮ ବର୍ଷ ବୟସରେ ରଣଜୀ ପଦାର୍ପଣ କରିଥିବା ରାଜେଶ ଅଦ୍ୟାବଧି ୧୭ ମ୍ୟାଚ୍ରୁ ୨୦.୬୦ ହାର ଓ ୩.୧୪ ଇକୋନୋମିରେ ୭୨ ୱିକେଟ୍ ନେଇ ପ୍ରଭାବୀ ରହିଛନ୍ତି।