ଅଲିମ୍ପିକ୍ ସଂଘରେ କଳହ, ସଭାପତି ବାତ୍ରାଙ୍କ ନାଁରେ ଅଭିଯୋଗ ଆଣିଲେ ଉପସଭାପତି ମିତଲ

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ)ରେ ଗତ ସପ୍ତାହରେ କଳହ ଦେଖାଯାଇଛି। ଏହାର ମୁଖ୍ୟ ନରିନ୍ଦର ବାତ୍ରାଙ୍କ ନାମରେ ଅନ୍ତର୍ଜାତୀୟ ଅଲିମ୍ପିକ୍‌ ସମିତି (ଆଇଓସି)ରେ ଅଭିଯୋଗ କରିଛନ୍ତି ଆଇଓଏର ଉପସଭାପତି ସୁଧାଂଶୁ ମିତଲ। ବାତ୍ରା ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ଓ ଆଇଓର ମୁଖ୍ୟ ପଦ ଲାଗି ମିଥ୍ୟା ସତ୍ୟପାଠ କରିଥିବା ମିତଲ ଶନିବାର ଆଇଓସି କାର୍ଯ୍ୟନିର୍ବାହୀ ବୋର୍ଡକୁ ଚିଠି ଲେଖି ଅଭିଯୋଗ କରିଛନ୍ତି। ଚିଠିରେ ମିତଲ ଲେଖିଛନ୍ତି ଯେ ବ‌ାତ୍ରା ଏଫ୍‌ଆଇଏଚ୍‌ ସଭାପତି ପାଇଁ ମନୋନୟନ ପତ୍ର ଦାଖଲ ଏବଂ ନିର୍ବାଚିତ ହେଲା ବେଳେ ହକି ଇଣ୍ଡିଆର ସଭାପତି ପଦରେ ଥିଲେ। ଏଫ୍‌ଆଇଏଚ୍‌ ସମ୍ବିଧାନ ଅନୁଯାୟୀ ଯାହା ହେବା କଥା ନୁହେଁ।

ଏଫ୍‌ଆଇଏଚ୍‌ ଧାରା ୭.୨ରେ ରହିଛି ଯେ ନିର୍ବାଚନର ୩୦ ଦିନ ମଧ୍ୟରେ ‌ଜାତୀୟ କିମ୍ବା ମହାଦେଶୀୟ ବୋର୍ଡର ସଦସ୍ୟ କିମ୍ବା କାର୍ଯ୍ୟକାରୀ ସଦସ୍ୟ ଥିଲେ ଇସ୍ତଫା ଦେବା ଜରୁରୀ। କିନ୍ତୁ ଯଦି ସମୟସୀମା ଥିବା ତେବେ ଏହା ଗ୍ରହଣୀୟ ନୁହେଁ। ବାତ୍ରା ୨୦୧୬ ନଭେମ୍ବରରେ ଏଫ୍‌ଆଇଏଚ୍‌କୁ ନିର୍ବାଚିତ ହୋଇଥିଲେ ଏବଂ ଡିସେମ୍ବରରେ ହକି ଇଣ୍ଡିଆ ସଭାପତି ପଦରୁ ଇସ୍ତଫା ଦେଇଥିଲେ। କିନ୍ତୁ ମିତଲ କହିଛନ୍ତି ଯେ ୨୦୧୭ ଆଇଓଏର ନିର୍ବାଚନ ବେଳେ ବାତ୍ରା ହକି ଇଣ୍ଡିଆର ପ୍ରତିନିଧି ଭ‌ାବେ ଭୋଟ ଦେଇଥିଲେ। ଏଫ୍‌ଆଇଏଚ୍‌ ନିୟମ ଅନୁଯାୟୀ ଯଦି ବାତ୍ରା ହକି ଇଣ୍ଡିଆର ସମସ୍ତ ପଦବୀରେ ଇସ୍ତଫା ଦେଇଛନ୍ତି। ତେବେ ସେ ହକି ଇଣ୍ଡିଆର କାର୍ଯ୍ୟନିର୍ବାହୀ ସମିତିରେ ରହି ପାରିବେ ନାହିଁ। ଆଇଓଏ ସମ୍ବିଧାନର ଧାରା ୧୦.୩ ଅନୁଯାୟୀ କାର୍ଯ୍ୟନିର୍ବାହୀ ସମିତିର ସଦସ୍ୟ ଥିବା ଯେ କୌଣସି ବ୍ୟକ୍ତିଙ୍କୁ ଭୋଟ ଦେବା ଲାଗି ହକି ଇଣ୍ଡିଆ ମନୋନୀତ କରିବ। କିନ୍ତୁ ‌ସେ ଭୋଟ ଦେଇଥିଲେ। ଯଦି ଏପରି ହୋଇଥିଲା ହକି ଇଣ୍ଡିଆର ପଦରୁ ଇସ୍ତଫା ଦେବା ନେଇ ଏଫ୍‌ଆଇଏଚ୍‌ ନିକଟରେ ସେ ମିଥ୍ୟା ସତ୍ୟପାଠ ଦଖଲ କରିଛନ୍ତି। ଏଥିପାଇଁ ବାତ୍ରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ମିତଲ ଏହି ଚିଠିରେ ଲେଖିଛନ୍ତି। ସୂଚନାଯୋଗ୍ୟ ଯେ ବାତ୍ରା ୨୦୧୬ରେ ଏଫ୍‌ଆଇଏଚ୍‌ ସଭାପତି, ୨୦୧୭ରେ ଆଇଓଏର ସଭାପତି ଏବଂ ଗତ ବର୍ଷ ଆଇଓସିର ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ।

ସମ୍ବନ୍ଧିତ ଖବର