ଜାଦେଜା-ସିଏସ୍‌କେ ସଂପର୍କରେ ଫାଟ; ସିଏସ୍‌କେ ପାଇଁ ଜାଦେଜା ଆଉ ଖେଳି ନପାରନ୍ତି: ଆକାଶ ଚୋପ୍ରା

ଚେନ୍ନାଇ: ଆଇପିଏଲ୍‌ର ଅନ୍ୟତମ ସଫଳ ଦଳ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ) ଏବଂ ଏହି ଦଳର ବରିଷ୍ଠ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କ ମଧ୍ୟରେ ମାତାନ୍ତର ହୋଇଥିବାର ଖବର ଏବେ କ୍ରିକେଟ୍ ଦୁନିଆରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ବୁଧବାର ଜାଦେଜା ଚଳିତ ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ୍‌ରୁ ବାଦ୍ ପଡ଼ିଥିଲେ। ପଞ୍ଜରା ହାଡ଼ରେ ଆଘାତ ଲାଗିବା ଏହାର ମୁଖ୍ୟ କାରଣ ବୋଲି ସିଏସ୍‌କେ ତରଫରୁ କୁହାଯାଇଥିଲା। ତେବେ ଏହି ଖବରରେ ଯେ ସେତେଟା ସତ୍ୟତା ନାହିଁ ତାହା ଗୁରୁବାର ସିଏସ୍‌କେ ନେଇଥିବା ପଦକ୍ଷେପରୁ ଅନୁମେୟ। ସିଏସ୍‌କେ ଆଜି ଜାଦେଜାଙ୍କୁ ଇନ୍‌ଷ୍ଟାଗ୍ରାମରେ ଅଚାନକ ଅନ୍‌ଫଲୋ କରି ଦେଇଛି। ଫଳରେ ଉଭୟ ପକ୍ଷ ମଧ୍ୟରେ ଯେ ସବୁକିଛି ଠିକ୍ ନାହିଁ ତାହାର ଗନ୍ଧ ବାରି ହେଉଛି। ଜାଦେଜା ଗତ ୧୦ ବର୍ଷ ହେବ ସିଏସ୍‌କେରେ ଥିଲେ। ଏପରିକି ଚଳିତ ଋତୁରେ ଧୋନିଙ୍କ ପରିବର୍ତ୍ତେ ଏହି ଦଳର ଅଧିନାୟକ ନିଯୁକ୍ତ ହୋଇଥିଲେ ସେ। ତେବେ ସିଏସ୍‌କେ ତାଙ୍କ ଅଧୀନରେ ସେତେଟା ଭଲ ପ୍ରଦର୍ଶନ କରି ପାରି ନଥିଲା।

ସେଥିପାଇଁ ଋତୁ ଅଧାରୁ ଜାଦେଜା ଏହି ପଦ ଛାଡ଼ିଦେବା ସହ ଧୋନି ପୁଣି ଥରେ ଅଧିନାୟକ ପଦକୁ ଫେରିଥିଲେ। ଜାଦେଜାଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ମଧ୍ୟ ଅତ୍ୟନ୍ତ ଖରାପ ଥିଲା। ୧୦ ମ୍ୟାଚ୍ ଖେଳି ୨୬ ରନ୍‌ର ସର୍ବୋଚ୍ଚ ସ୍କୋର ସହ ସେ ମାତ୍ର ୧୧୬ ରନ୍ କରିଥିଲେ। ସେହିଭଳି ଏହି ସମୟ ଭିତରେ ମାତ୍ର ୫ ୱିକେଟ୍ କରାୟତ୍ତ କରିଥିଲେ। ଜାଦେଜାଙ୍କୁ ଚେନ୍ନାଇ ଚଳିତବର୍ଷ ୧୬ କୋଟି ଟଙ୍କା ଦେଇ ଦଳରେ ରଖିଥିଲା। ଏହା ସତ୍ତ୍ବେ ସେ ବ୍ୟକ୍ତିଗତ ଭାବେ କିମ୍ବା ଅଧିନାୟକ ଭାବେ ପୂରା ବିଫଳ ରହିଥିଲେ। ଏହା ହିଁ ଜାଦେଜା ଓ ସିଏସ୍‌କେ ସଂପର୍କରେ ଫାଟ ସୃଷ୍ଟି ‌ହେବାର ମୁଖ୍ୟ କାରଣ ବୋଲି ଆଲୋଚନା ହେଉଛି।

ସିଏସ୍‌କେ ପାଇଁ ଜାଦେଜା ଆଉ ଖେଳି ନପାରନ୍ତି: ଆକାଶ ଚୋପ୍ରା
ଜାଦେଜାଙ୍କୁ ସିଏସ୍‌କେ ଇନଷ୍ଟାଗ୍ରାମରେ ଅନ୍‌ଫଲୋ କରିବା ପରେ ପୂର୍ବତନ ଭାରତୀୟ ଓପନର ଆକାଶ ଚୋପ୍ରା ତାଙ୍କ (ଜାଦେଜାଙ୍କ) ଭବିଷ୍ୟତ ନେଇ ବଡ଼ ବୟାନ ଦେଇଛନ୍ତି। କେବଳ ଏବର୍ଷ ନୁହେଁ ଆସନ୍ତାବର୍ଷ ମଧ୍ୟ ଜାଦେଜା ଆଉ ସିଏସ୍‌କେ ପାଇଁ ଖେଳି ନପାରନ୍ତି ବୋଲି ଭବିଷ୍ୟବାଣୀ କରିଛନ୍ତି ସେ। ନିଜ ୟୁ-ଟ୍ୟୁବ୍ ଚ୍ୟାନେଲରେ ଏହି ଘଟଣା ଉପରେ ମତାମତ ରଖିବାକୁ ଯାଇ ଚୋପ୍ରା କହିଛନ୍ତି ଯେ ସିଏସ୍‌କେରେ ଏଭଳି ଘଟଣା ଅନେକବାର ଘଟିଛି। ଆଘାତ ଜନିତ ସମସ୍ୟା ନେଇ ସେମାନେ କୌଣସି ସ୍ପଷ୍ଟ ସୂଚନା ଦିଅନ୍ତି ନାହିଁ ଏବଂ ହଠାତ୍ ସଂପୃକ୍ତ ଖେଳାଳି ଆଉ ଖେଳନ୍ତିନି। ମୋର ଠିକ୍ ମନେ ଅଛି ୨୦୨୧ ମସିହାରେ ସୁରେଶ ରାଇନାଙ୍କ ସହ ଏଭଳି ଘଟଣା ଘଟିଥିଲା। ଜାଦେଜାଙ୍କ ବିଷୟରେ ମୁଁ ଅବଶ୍ୟ ବିଶେଷ କିଛି ଜାଣିନି। ସେ ନ ଖେଳିବା କିନ୍ତୁ ସିଏସ୍‌କେ ପାଇଁ ନିଶ୍ଚିତ ଭାବେ ଏକ ବଡ଼ କ୍ଷତି।

ସମ୍ବନ୍ଧିତ ଖବର