କ୍ରିକେଟ୍ ଋତୁ, ଶେଷ ବସନ୍ତ

ସୁରେଶ ସ୍ବାଇଁ

ସୁରେଶ ସ୍ବାଇଁ

ଭୁବନେଶ୍ବର: ଦେବାଶିଷ ମହାନ୍ତିଙ୍କ ପ୍ରମୁଖ ନୂଆ ବଲ୍‌ ସାଥି ବୋଲର ଏବଂ ତାଙ୍କ ଅବସର ପରବର୍ତୀ ଓଡ଼ିଶା କ୍ରିକେଟ୍‌ର ଅନ୍ୟତମ ଭାଗ୍ୟ ନିୟନ୍ତା ବସନ୍ତ ମହାନ୍ତିଙ୍କ ଦେଢ଼ ଦଶନ୍ଧିର କ୍ରିକେଟ୍‌ ଜୀବନ ଶୁକ୍ରବାର ଷ୍ଟାଇଲ୍‌ରେ ଶେଷ ହୋଇଛି। କୋଲ୍‌କାତାର ଐତିହାସିକ ଇଡେନ୍ ଗାର୍ଡେନ୍ସରେ ଶୁକ୍ରବାର ବେଙ୍ଗଲ ବିପକ୍ଷରେ ଓଡ଼ିଶା ବହୁ ପ୍ରତୀକ୍ଷିତ ବିଜୟ ପାଇଥିବା ବେଳେ ୩୬ ବର୍ଷୀୟ ବସନ୍ତ ମହାନ୍ତି ଏକ ସ୍ମରଣୀୟ ବିଦାୟ ନେଇଛନ୍ତି। ମ୍ୟାଚ୍‌ ସମୟରେ ଦୁଇ ଦଳର ଖେଳାଳି ଗାର୍ଡ ଅଫ୍ ଅନର୍‌ ଦେଇଥିଲେ। ଶୁକ୍ରବାର ଓଡ଼ିଶାର ଅପ୍ରତ୍ୟାଶିତ ୩ ୱିକେଟ୍ ବିଜୟ ପରେ ଶୁଭ୍ରାଂଶୁ ସେନାପତିଙ୍କ ଦଳ ମଧ୍ୟ ବସନ୍ତ ମହାନ୍ତିଙ୍କୁ କାନ୍ଧରେ ଇଡେନ୍ ଗାର୍ଡେନ୍ସରୁ ବୋହି ଆଣିଥିଲେ। ଏହି ସମୟରେ ବସନ୍ତଙ୍କ ସହ ଅନ୍ୟ ଖେଳାଳିମାନେ ବି ଭାବ ବିହ୍ବଳ ‌ହୋଇପଡ଼ିଥିଲେ। ୧୫ ଋତୁର ପ୍ରଥମ ଶ୍ରେଣୀ କ୍ରିକେଟ୍ ଜୀବନରେ ବସନ୍ତ ୧୦୫ ମ୍ୟାଚ୍‌ ଖେଳି ୪୦୩ ୱିକେଟ୍ ନେଇଛନ୍ତି। ଦେବାଶିଷ ମହାନ୍ତି (୪୧୭)ଙ୍କ ପରେ ଦ୍ବିତୀୟ ଓଡ଼ିଆ ଭାବେ ଗତ ସପ୍ତାହରେ ୪୦୦ ୱିକେଟ୍‌ ମାଇଲଖୁଣ୍ଟ ଛୁଇଁଥିଲେ। ଓଡ଼ିଶା କ୍ରିକେଟ୍‌ର ଅନେକ ସ୍ମରଣୀୟ ମୁହୂର୍ତ ସହ ଜଡ଼ିତଥିବା ବସନ୍ତ ଏକଦା ଜାତୀୟ ଦଳର ଯୋଜନାରେ ଥିଲେ ମଧ୍ୟ ଆଗକୁ ବଢ଼ିପାରିନଥିଲେ। କ୍ରିକେଟ୍‌ ପଡ଼ିଆରେ ବସନ୍ତଙ୍କ ଖେଳ ଜୀବନର କିଛି ସ୍ମରଣୀୟ ଘଟଣା ଉପରେ ଆସନ୍ତୁ ନଜର ପକାଇନେବା।
ପଦାର୍ପଣ ଓ ଅନ୍ତିମ ୱିକେଟ୍ ‘ମନୋଜ ତିୱାରୀ’

କୋଲକାତା, ବେଙ୍ଗଲ ଓ ମନୋଜ ତିୱାରୀଙ୍କ ସହ ଏକ ଅପୂର୍ବ ସଂଯୋଗ ଛାଡ଼ିଗଲେ ବସନ୍ତ ମହାନ୍ତି। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ସଦସ୍ୟ, ରାଜ୍ୟ ରଣଜୀ ଦଳର ବର୍ତମାନର ଅଧିନାୟକ ତଥା ବେଙ୍ଗଲ କ୍ରୀଡ଼ାମନ୍ତ୍ରୀ ମନୋଜ ତିୱାରୀଙ୍କୁ ବସନ୍ତ ତାଙ୍କ ପ୍ରଥମ ଓ ଅନ୍ତିମ ୱିକେଟ୍‌ ଭାବେ ପାଇଛନ୍ତି। ୨୦୦୭ରେ ସିଲିଗୁଡ଼ିଠାରେ ବସନ୍ତ ସେହି ବେଙ୍ଗଲ୍ ବିପକ୍ଷରେ ପଦାର୍ପଣ ମ୍ୟାଚ୍‌ରେ ମନୋଜ ତିୱାରୀଙ୍କୁ ଆଉଟ୍ କରିଥିଲେ। ସେତେବେଳେ ୱିକେଟରକ୍ଷକ ହଳଧର ଦାସ ନେଇଥିଲେ କ୍ୟାଚ୍‌। ଶୁକ୍ରବାର ବେଙ୍ଗଲର ଦ୍ବିତୀୟ ପାଳି ତଥା ବସନ୍ତଙ୍କ ଅନ୍ତିମ ୱିକେଟ୍ ମଧ୍ୟ ଥିଲା ମନୋଜ ତିୱାରୀଙ୍କର। ମ୍ୟାଚ୍‌ ପୂର୍ବରୁ ମଧ୍ୟ ବସନ୍ତ ଏଭଳି ଅଭିଳାଷ ରଖିଛନ୍ତି ବୋଲି ଖାସ ମନୋଜଙ୍କୁ କହିଥିଲେ। ଏଥର ଦ୍ବିତୀୟ ସ୍ଲିପ୍‌ରେ କ୍ୟାଚ୍‌ ନେଇଥିଲେ ଶାନ୍ତନୁ ମିଶ୍ର। ଏଥି ସହ ବସନ୍ତ ନିଜର ପ୍ରଥମ ଓ ୪୦୩ତମ ୱିକେଟ୍ ମଧ୍ୟ ମନୋଜଙ୍କୁ ଶିକାର କରିଛନ୍ତି। କେବଳ ସେତିକି ନୁହେଁ ବେଙ୍ଗଲ ବିପକ୍ଷରେ ମଧ୍ୟ ଓଡ଼ିଶା ବିଜୟ ପାଇଁ ସଂଘର୍ଷ କରୁ୍‌ଥିବା ବେଳେ ବସନ୍ତଙ୍କ ଏହି ପଦାର୍ପଣ ଓ ବିଦାୟୀ ମ୍ୟାଚ୍‌ରେ ସଫଳ ହୋଇ ଆଉ ଏକ ଅଦ୍ଭୂତ ସଂଯୋଗ ରଖିଛନ୍ତି। ସିଲିଗୁଡିରେ ବସନ୍ତ ମୋଟ ୮ ୱିକେଟ୍‌ ନେଇଥିବା ବେଳେ ଇଡେନ୍‌ ବିଦାୟୀରେ କିନ୍ତୁ ୩ ୱିକେଟ୍‌ ଓ ଗୁରୁତ୍ବପୂର୍ଣ୍ଣ ୧୫* ରନ୍ ପାଳି ଖେଳିଥିଲେ।

ସମ୍ବନ୍ଧିତ ଖବର