ଗାଙ୍ଗୁଲିଙ୍କୁ ହୃଦ୍‌ଘାତ, ଦ୍ରୁତ ଆରୋଗ୍ୟ କାମନା କଲା କ୍ରି‌କେଟ୍ ଦୁନିଆ

କୋଲକାତା: ନୂଆ ବର୍ଷ ଆରମ୍ଭରୁ ଭାରତୀୟ କ୍ରିକେଟ୍‌କୁ ଏକ ଖରାପ ଖବର ଦୋହଲାଇ ଦେଇଛି। କୋଟି କୋଟି କ୍ରିକେଟ୍‌ପ୍ରେମୀଙ୍କ ହୃଦୟରେ ରାଜୁତି କରୁଥିବା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଏବଂ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଶନିବାର ପୂର୍ବାହ୍ନରେ ହୃଦ୍‌ଘାତର ଶିକାର ହୋଇଛନ୍ତି। କୋଲକାତାର ବେହେଲାସ୍ଥିତ ନିଜ ବାସଭବନରେ ସେ ବ୍ୟାୟାମ ଅଧିବେଶନ ସାରିବାର ଠିକ୍ ପରେ ପରେ ଏହି ଅଘଟଣ ଘଟିଥିଲା। ଗାଙ୍ଗୁଲିଙ୍କ ଆଖି ଆଗରେ ଘନ ଅନ୍ଧାର ଘୋଟିଯିବା ସହ ତାଙ୍କ ମୁଣ୍ଡ ଅଚାନକ ଘୂରାଇ ଦେଇଥିଲା। ଛାତିରେ ମଧ୍ୟ ଭୀଷଣ ଯନ୍ତ୍ରଣା ଅନୁଭବ କରିଥିଲେ ଦାଦା। ଫଳରେ ପରିବାର ଲୋକ ତୁରନ୍ତ ତାଙ୍କୁ ସ୍ଥାନୀୟ ଉଡଲ୍ୟାଣ୍ଡ୍ସ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଜରୁରୀକାଳୀନ ୱାର୍ଡରେ ଆଶୁ ଚିକିତ୍ସା ପରେ ତାଙ୍କର ବିଭିନ୍ନ ପରୀକ୍ଷା କରାଯାଇଥିଲା। ପରୀକ୍ଷା ପରେ ହୃତ୍‌ପିଣ୍ଡରେ ବ୍ଲକେଜ୍ ହୋଇଯାଇଥିବା ଜଣାପଡ଼ିଥିଲା। ଫଳରେ ଡାକ୍ତରମାନେ ତୁରନ୍ତ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରିଥିଲେ। ସଂପ୍ରତି ସେ ସଂପୂର୍ଣ୍ଣ ବିପଦମୁକ୍ତ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ଧୀରେଧୀରେ ସ୍ବାଭାବିକ ହେଉଥିବା ଡାକ୍ତରମାନେ ସୂଚନା ଦେଇଛନ୍ତି। ତେବେ ଆଇସିୟୁରୁ ଛାଡ଼ ପାଇନାହାନ୍ତି। ଗାଙ୍ଗୁଲିଙ୍କ ଚିକିତ୍ସା ପାଇଁ ଲଡଲାଣ୍ଡ୍ସ ଡାକ୍ତରଖାନା ଏକ ତିନି ଜଣିଆ କମିଟି ଗଠନ କରିଛି। ଦାଦାଙ୍କୁ ହୃଦ୍‌ଘାତ ହୋଇଥିବା ଖବର ଜଣାପଡ଼ିବା ପରେ ସମଗ୍ର କ୍ରିକେଟ୍ ଜଗତ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛି। ସମର୍ଥକମାନେ ତାଙ୍କ ଦ୍ରୁତ ଆରୋଗ୍ୟକାମନା କରି ପୂଜାର୍ଚ୍ଚନା ବି ଆରମ୍ଭ କରି ଦେଇଛନ୍ତି।

ଆଜି ପୂର୍ବାହ୍ନ ୧୧ଟାରେ ଏହି ଘଟଣା ଘଟିଲା ବେଳେ ଭାଇ ତଥା ବେଙ୍ଗଲ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସ୍ନେହାଶିଷ ଗାଙ୍ଗୁଲି ଓ ପତ୍ନୀ ଡୋନା ୪୮ ବର୍ଷୀୟ ଗାଙ୍ଗୁଲିଙ୍କୁ ପ୍ରଥମେ ଡାକ୍ତରଖାନା ନେଇଥିଲେ। ଖବର ପାଇ ପୂର୍ବତନ କ୍ରିକେଟର ତଥା ପଶ୍ଚିମବଙ୍ଗ କ୍ରୀଡ଼ାମନ୍ତ୍ରୀ ଲକ୍ଷ୍ମୀରତନ ଶୁକ୍ଳା ସେଠାରେ ପହଞ୍ଚିଥିଲେ। ବେଙ୍ଗଲ କ୍ରିକେଟ୍ ସଂଘର ବରିଷ୍ଠ ଅଧିକାରୀମାନେ ମଧ୍ୟ ଡାକ୍ତରଖାନାରେ ପହଞ୍ଚି ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟାବସ୍ଥା‌ ବୁଝିଥିଲେ। ନୂଆବର୍ଷର ଦ୍ବିତୀୟ ସକାଳରେ ଘଟିଥିବା ଏହି ଘଟଣା ଅବଶ୍ୟ ସମଗ୍ର କ୍ରିକେଟ୍ ଦୁନିଆକୁ ଚିନ୍ତାରେ ପକାଇ ଦେଇଛି। ଗାଙ୍ଗୁଲିଙ୍କ ପରିବାରର ଏକାଧିକ ବ୍ୟକ୍ତି ଅତୀତରେ ହୃଦ୍‌ଘାତର ଶିକାର ହୋଇଥିବାରୁ ଏହା ହିଁ ଡାକ୍ତରଙ୍କ ଚିନ୍ତା ବଢ଼ାଇ ଦେଇଛି। ସେଥିପାଇଁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଡାକ୍ତରମାନେ ତାଙ୍କୁ ନିଜ ତତ୍ତ୍ବାବଧାନରେ ରଖିବେ।

ଉଡଲାଣ୍ଡ୍ସ ଡାକ୍ତରଖାନା ପ୍ରକାଶ କରିଥିବା ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ପ୍ରତିଷ୍ଠିତ କ୍ରି‌କେଟ୍ ତାରକା ଗାଙ୍ଗୁଲି କିଛି ଶାରୀରିକ ବ୍ୟାୟାମ କରି ଟ୍ରେଡମିଲ୍‌ରେ ଚାଲୁଥିଲା ବେଳେ ଅସହଜ ଓ ଯନ୍ତ୍ରଣା ଅନୁଭବ କରିଥିଲେ। ଅପରାହ୍ନ ଗୋଟାଏରେ ଡାକ୍ତରଖାନାରେ ଭର୍ତ୍ତି କଲା ବେଳେ ତାଙ୍କ ହୃଦ୍‌ସ୍ପନ୍ଦନର ମାତ୍ରା ପ୍ରତି ମିନିଟ୍ ୭୦ ଏବଂ ରକ୍ତଚାପ ୮୦/୧୩୦ ଥିଲା। ଅନ୍ୟ ସବୁ ଡାକ୍ତରୀ ମାନଦଣ୍ଡ କିନ୍ତୁ ସ୍ବାଭାବିକ ଥିଲା। ଇକୋ ଏବଂ ଇସିଜି ପରେ ଗାଙ୍ଗୁଲି ଛୋଟ କାଟିଆ ହୃଦ୍‌ଘାତର ଶିକାର ହୋଇଥିବା ସ୍ପଷ୍ଟ ହୋଇଥିଲା। ତାଙ୍କ ହୃଦ୍‌ପିଣ୍ଡରେ ତିନିଟି ବ୍ଲକେଜ୍ ହୋଇଥିଲା ବେଳେ ଗୋଟିଏର ଅସ୍ତ୍ରୋପଚାର ଆଜି ହୋଇଛି। ଏବେ ସେ କଥାବାର୍ତ୍ତା କରୁଛନ୍ତି ଏବଂ ବିପଦମୁକ୍ତ ଅଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଗାଙ୍ଗୁଲିଙ୍କୁ ହୃଦ୍‌ଘାତ ହୋଇଥିବା ଟ୍ବିଟ୍ କରିବା ସହ ତାଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି। ବିସିସିଆଇ ସଭାପତି ଜୟ ଶାହ ମଧ୍ୟ ଗାଙ୍ଗୁଲିଙ୍କ ସହ କଥା ହୋଇଥିବା ଏବଂ ସେ ଏବେ ସଂପୂର୍ଣ୍ଣ ସୁସ୍ଥ ଥିବା ଟ୍ବିଟ୍ କରିଛନ୍ତି। ବୁଧବାର ଗାଙ୍ଗୁଲି ଇଡେନ୍ ଗାର୍ଡେନ୍ସ ଯାଇ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଆୟୋଜନ ପାଇଁ ହେଉଥିବା ପ୍ରସ୍ତୁତିପର୍ବକୁ ତଦାରଖ କରିଥି‌ଲେ। ଅଚାନକ ହୋଇଥିବା ହୃଦ୍‌ଘାତକୁ ସମର୍ଥକ ବିଶ୍ବାସ କରି ପାରୁ ନାହାନ୍ତି।

ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ସମେତ ବହୁ କ୍ରିକେଟ୍ କିଂବଦନ୍ତି ଗାଙ୍ଗୁଲି ହୃଦ୍‌ଘାତର ଶିକାର ହେବା ପରେ ଟ୍ବିଟ୍ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ‌କୋହଲି ଓ ଅନ୍ୟ କ୍ରିକେଟର୍‌ମାନେ କରିଥିବା ଟ୍ବିଟ୍ ଥିଲା ଏଭଳି।
।ଆପଣଙ୍କ ଦ୍ରୁତ ଆରୋଗ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି। ଶୀଘ୍ର ସୁସ୍ଥ ହୋଇଯାଅ ଦାଦା।
-ବିରାଟ କୋହଲି, ଭାରତୀୟ ଅଧିନାୟକ
।ଦାଦା ଖୁବ୍‌ଶୀଘ୍ର ସଂପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି ମୋର ଆଶା ଓ ବିଶ୍ବାସ। ତାଙ୍କ ସହ କଥା ହୋଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି ଏବଂ ସବୁ ଚିକିତ୍ସା ସୁରୁଖୁରୁରେ ଚାଲିଛି।
-ଜୟ ଶାହ, ବିସିସିଆଇ ସଂପାଦକ
।ପୂର୍ବତନ ଭାରତୀୟ ଅଧିନାୟକ ଏବଂ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ହୃଦ୍‌ଘାତାର ଶିକାର ହୋଇଛନ୍ତି। ଆମେ ତାଙ୍କ ଦ୍ରୁତ ଆରୋଗ୍ୟ କାମନା କରୁଛୁ।
-ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି)
।ଦାଦା; ଶୀଘ୍ର ସୁସ୍ଥ ହୋଇଯାଅ, ଆପଣଙ୍କ ଦ୍ରୁତ ଆରୋଗ୍ୟ ଲାଗି ଆଶା ଓ ପ୍ରାର୍ଥନା କରୁଛି।
-ବୀରେନ୍ଦ୍ର ସେହବାଗ, ପୂର୍ବତନ ଭାରତୀୟ କ୍ରିକେଟର୍‌
।ଦାଦା ଜଲ୍‌ଦି ଠିକ୍ ହୋଇଯାଅ।
– ହରଭଜନ ସିଂହ, ଭାରତୀୟ ସ୍ପିନର
।ତୁମ ଦ୍ରୁତ ଆରୋଗ୍ୟ ଲାଗି କାମନା କରୁଛି ଦାଦା
– ଅନିଲ କୁମ୍ବଲେ, ପୂର୍ବତନ ଭାରତୀୟ ଅଧିନାୟକ
।ଦାଦାଙ୍କ ଦ୍ରୁତ ଆରୋଗ୍ୟ କାମନା କରୁଛି। ସୁରକ୍ଷିତ ରୁହ, ଭଗବାନ ତୁମକୁ ଆ‌ଶୀର୍ବାଦ କରନ୍ତୁ।
– ଗୌତମ ଗମ୍ଭୀର, ସାଂସଦ ଓ ପୂର୍ବତନ କ୍ରିକେଟର
।ଆପଣଙ୍କ ଦ୍ରୁତ ଆରୋଗ୍ୟ ଲାଗି ଭଗବାନଙ୍କୁ ପ୍ରାର୍ଥନା କରୁଛି। ଖୁବଶୀଘ୍ର ଠିକ୍ ହୋଇଯାଅ।
– ଶିଖର ଧାୱନ, ଭାରତୀୟ କ୍ରିକେଟର

ସମ୍ବନ୍ଧିତ ଖବର