ଆଜି ଦିଲ୍ଲୀ କ୍ୟାପିଟାଲ୍ସ-ଚେନ୍ନାଇ ସୁପର୍‌ କିଙ୍ଗ୍ସ ଭେଟ : ନୂଆ ବନାମ ଅଭିଜ୍ଞ ଅଧିନାୟକଙ୍କ ଲଢ଼େଇ

ମୁମ୍ବାଇ : ଶନିବାର ଆଇପିଏଲ୍‌ ଚତୁର୍ଦ୍ଦଶ ସଂସ୍କରଣର ଦ୍ବିତୀୟ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର୍‌ କିଙ୍ଗ୍ସ ମୁକାବିଲା ହେବ। ଏହି ମ୍ୟାଚ୍‌କୁ ନୂଆ ଓ ଅଭିଜ୍ଞ ଅଧିନାୟକଙ୍କ ଲଢ଼େଇ ଭାବେ ବିବେଚନା କରାଯାଇପାରିବ। ଦିଲ୍ଲୀ କ୍ୟାପିଟାଲ୍‌ସ ଏହାର ନୂଆ ଅଧିନାୟକ ଋଷବ ପନ୍ତଙ୍କ ଉପରେ ଭରସା ରଖିଥିବା ବେଳେ ତାଙ୍କ ସାମ୍ନାରେ ରହିବେ ସବୁଠୁ ଅଭିଜ୍ଞ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ଉଭୟ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛନ୍ତି। ଗତ ବର୍ଷ ଏହି ଦୁଇ ଦଳ ଭିନ୍ନ ଭିନ୍ନ ପଥରେ ରହିଥିଲେ। ଶ୍ରେୟସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍‌ସ ଫାଇନାଲ୍‌ ଖେଳିଥିବା ବେଳେ ଚେନ୍ନାଇ ନିରାଶାଜନକ ପ୍ରଦର୍ଶନ କରି ନିଜ ଇତିହାସରେ ପ୍ରଥମ ଥର ପ୍ଲେ ଅଫ୍‌ ନଖେଳିପାରି ଫେରିଥିଲା। ଦିଲ୍ଲୀ ଏଥର ନିଜ ଅଧୁରା ସ୍ବପ୍ନକୁ ସାକାର କରିବା ଲାଗି ଠିକଣା ପଥରେ ରହିବାକୁ ଚେଷ୍ଟା କରିବ। ୩ ଥର ବିଜେତା ଚେନ୍ନାଇ ଗତ ଋତୁର ସପ୍ତମ ସ୍ଥାନକୁ ଭୁଲି ଭଲ ଆରମ୍ଭ ଆଶାରେ ରହିଛି।

ମାହି ଭାଇଙ୍କ ବିପକ୍ଷ ପ୍ରଥମ ମ୍ୟାଚ୍‌ ମୋ ପାଇଁ ଭଲ ଅଭିଜ୍ଞତା ଦେବ ବୋଲି କିଛି ଦିନ ତଳେ ପନ୍ତ ପ୍ରକାଶ କରିଥିଲେ। ତାଙ୍କଠାରୁ ମୁଁ ଅନେକ କିଛି ଶିଖିଛି। ମୁଁ ଏବେ ମୋ ନିଜ ଅଭିଜ୍ଞତାକୁ ଉପଯୋଗ କରିବି ଏବଂ ତାଙ୍କଠାରୁ ଶିଖିବା ଜାରି ରଖିବି ବୋଲି ପନ୍ତ୍‌ ମଧ୍ୟ ପ୍ରକାଶ କରିଥିଲେ। ଶିଖର ଧାୱନ, ପୃଥ୍ବୀ ସ’, ଅଜିଙ୍କ୍ୟ ରାହାଣେ, ଷ୍ଟି‌ଭେନ୍‌ ସ୍ମିଥ୍ ଏବଂ ପନ୍ତ୍‌ଙ୍କୁ ନେଇ ଦିଲ୍ଲୀର ବ୍ୟାଟିଂକ୍ରମ ଭଲ ରହିଥିବାରୁ ପ୍ରଥମ ମ୍ୟାଚ୍‌ରୁ ଏହି ଦଳ ପ୍ରଭାବ ବିସ୍ତାର କରିବ ବୋଲି ଆଶା ରଖିଛି। ଧାୱନ ଗତବର୍ଷର ଦ୍ବିତୀୟ ଅଗ୍ରଣୀ‌ ସ୍କୋରର୍‌ ଥିଲେ (୬୧୮ ରନ୍)। ଇଂଲଣ୍ଡ ବିପକ୍ଷ ସଦ୍ୟ ସମାପ୍ତ ଦିନିକିଆ ଶୃଙ୍ଖଳାରେ ମଧ୍ୟ ଚମତ୍କାର ଫର୍ମରେ ରହିଥିଲେ। ସେହ‌ିଭଳି ବିଜୟ ହଜାରେ ଟ୍ରଫିରେ ୮୨୭ ରନ୍‌ ସଂଗ୍ରହ କରି ଆସିଥିବା ପୃଥୀ ସ’ ମଧ୍ୟ ତାଙ୍କ ପ୍ରାରମ୍ଭିକ ବ୍ୟାଟିଂ ପାର୍ଟନର୍ ହେବା ନିଶ୍ଚିତ। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାରେ ଚମତ୍କାର ଫର୍ମ ଦେଖାଇଥିବା ଋଷଭ ପନ୍ତ ମଧ୍ୟ ଏହାକୁ ଜାରି ରଖିବେ ବୋଲି ପ୍ରଶିକ୍ଷକ ରିକି ପଣ୍ଟିଂ ଆଶାବାଦୀ ଅଛନ୍ତି। ଅଲରାଉଣ୍ଡର ମାର୍କସ ଷ୍ଟୋଇନିସଙ୍କ ସହ ସିମ୍ରନ୍‌ ହେଟମେୟର୍‌, ସାମ୍ ବିଲିଙ୍ଗ୍ସ ବିଦେଶୀ ଖେଳାଳିଙ୍କ ମଧ୍ୟରେ ସାମିଲ ଥିବାରୁ ସମନ୍ବୟ ରଖିବାରେ ଏମାନେ ବଡ଼ ଭୂମିକା ତୁଲାଇବେ। ପେସ୍ ବୋଲିଂରେ ଦଳକୁ ଈଶାନ୍ତ ଶର୍ମା, କାଗିସୋ ରବାଦା, ଉମେଶ ଯାଦବ, କ୍ରିସ୍‌ ୱକ୍ସ ଏବଂ ଅନରିକ୍‌ ନର୍ଖିୟାଙ୍କ ମଧ୍ୟରୁ ବାଛିବାରେ ଅସୁବିଧା ହେବ ନାହିଁ। ଦକ୍ଷିଣ ଆଫ୍ରିକା ଯୋଡ଼ି ରବାଦା ଓ ନର୍ଖିୟାଙ୍କ ସଙ୍ଗରୋଧ ଶେଷ ହୋଇନଥିବାରୁ ପ୍ରଥମ ମ୍ୟାଚ୍‌ ଖେଳିପାରିବେ ନାହିଁ, କିନ୍ତୁ ଦିଲ୍ଲୀକୁ ବିଶେଷ ଅସୁବିଧା ହେବ ନାହିଁ। ଅକ୍ଷର ପଟେଲ୍‌ କରୋନା ପଜିଟିଭ୍‌ ଆସିଥିବାରୁ ରବିଚନ୍ଦ୍ରନ ଅଶ୍ବିନ ଓ ଅମିତ ମିଶ୍ରା ଦଳର ସ୍ପିନ୍‌ ବିକଳ୍ପ ରହିବେ।

ଅନ୍ୟପକ୍ଷରେ ସୁରେଶ ରାଇନାଙ୍କ ପ୍ରତ୍ୟାବର୍ତନ ସହ ଚେନ୍ନାଇ ସୁପର୍‌ କିଙ୍ଗ୍ସର ବ୍ୟାଟିଂ ଦୃଢ଼ ହୋଇଛି। ରାଇନା ୫୩୬୮ ରନ୍‌ ସହ ଚେନ୍ନାଇ ପକ୍ଷରୁ ସର୍ବକାଳୀନ ଅଗ୍ରଣୀ ରନ୍‌ ସ୍କୋରର୍ ରହିଛନ୍ତି। ଯୁବ ତାରକା ଋତୁରାଜ ଗାଏକ୍ବାଡଙ୍କ ସହିତ ଦକ୍ଷିଣ ଆଫ୍ରିକାର ଫାପ୍ ଡୁ ପ୍ଲେସିସ୍‌ ଓ ଅଭିଜ୍ଞ ଅମ୍ବାତି ରାୟୁଡୁ ଶୀର୍ଷକ୍ରମ ସମ୍ଭାଳିବେ। ସାମ୍ କରନ୍‌, ମୋଇନ୍ ଅଲୀ, ମହେନ୍ଦ୍ର ସିଂହ ଧୋନି ମଧ୍ୟକ୍ରମ ଦାୟିତ୍ବରେ ରହିବେ। ବୋଲିଂ ବିଭାଗ ଶାର୍ଦୁଳ ଠାକୁର, ଦୀପକ ଚହର ଓ ରବୀନ୍ଦ୍ର ଜାଦେଜାଙ୍କ ଉପରେ ଅଧିକ ନିର୍ଭରଶୀଳ ରହିବ। କୋଭିଡ୍‌ ସଂକ୍ରମଣ ପରିସ୍ଥିତି କାରଣରୁ ଏହି ମ୍ୟାଚ୍‌ ମୁମ୍ବାଇର ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ବିନା ଦର୍ଶକରେ ଖେଳାଯିବ। ଧୋନି-ପନ୍ତ୍‌ଙ୍କ ମୁକାବିଲାରୁ ଶନିବାର କିଏ ବିଜେତା ରହିବ ତାହାକୁ ନେଇ ପ୍ରଶଂସକଙ୍କ ଉତ୍ସୁକତା ବଢ଼ିଛି।

ସିଏସ୍‌କେ ଦଳ: ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ସୁରେଶ ରାଇନା, ଅମ୍ବାତି ରାୟୁଡୁ, କେଏମ୍ ଆସିଫ, ଦୀପକ ଚହର, ଡ୍ବେନ୍ ବ୍ରାଭୋ, ଫାଫ୍ ଡୁ’ପ୍ଲେସିସ୍, ଇମ୍ରାନ ତାହିର, ଏନ୍ ଜଗଦୀଶାନ, କର୍ଣ୍ଣ ଶର୍ମା, ଲୁଙ୍ଗି ଏନ୍‌ଗିଡ଼ି, ମିଚେଲ ସାଣ୍ଟନର, ରବୀନ୍ଦ୍ର ଜାଦେଜା, ଋତୁରାଜ ଗାଏକ୍ବାଡ୍, ଶାର୍ଦୁଳ ଠାକୁର, ସାମ୍ କରନ, ଆର ସାଇକିଶୋର, ମୋଇନ ଅଲ୍ଲୀ, କେ ଗୌତମ, ଚେତେଶ୍ବର ପୂଜାରା, ହରିଶଙ୍କର ରେଡ୍ଡୀ, ଭଗତ ବର୍ମା, ସି ହରି ନିଶାନ୍ତ।

ଦିଲ୍ଲୀ କ୍ୟାପିଟାଲ୍‌ସ: ଋଷବ ପନ୍ତ୍ (ଅଧିନାୟକ ଓ ୱିକେଟ୍‌ ରକ୍ଷକ), ଶିଖର ଧାୱନ, ପୃଥ୍ବୀ ସ’, ଅଜିଙ୍କ୍ୟ ରାହାଣେ, ସିମ୍ରନ୍ ହେଟମେୟର୍‌, ମାର୍କସ ଷ୍ଟୋଇନିସ୍, କ୍ରିସ୍‌ ୱକ୍ସ, ରବିଚନ୍ଦ୍ରନ୍‌ ଅଶ୍ବିନ୍‌, ଅମିତ ମିଶ୍ରା, ଲଲିତ ଯାଦବ, ପ୍ରବୀଣ ଦୁବେ, କାଗିସୋ ରବାଦା, ଅନରିକ୍‌ ନର୍ଖିୟା, ଈଶାନ୍ତ ଶର୍ମା, ଅଭେସ୍‌ ଖାନ୍‌, ଷ୍ଟିଭ୍‌ ସ୍ମିଥ୍‌, ଉମେଶ ଯାଦବ, ରିପଲ୍‌ ପଟେଲ୍‌, ବିଷ୍ଣୁ ବିନୋଦ, ଲୁକମାନ୍‌ ମେରିୱାଲା, ଏମ୍ ସିଦ୍ଧାର୍ଥ, ଟମ୍ କରନ୍‌, ସାମ୍‌ ବିଲିଙ୍ଗ୍ସ।

ଦିଲ୍ଲୀ କ୍ୟାପିଟାଲ୍‌ସର ଝାଳବୁହା ଅଭ୍ୟାସ
ମୁମ୍ବାଇ : ଶନିବାର ଚେନ୍ନାଇ ସୁପର କିଙ୍ଗ୍‌ସ ବିପକ୍ଷ ନିଜର ପ୍ରଥମ ମ୍ୟାଚ୍‌ ପୂର୍ବରୁ ଋଷଭ ପନ୍ତ୍‌ଙ୍କ ଦିଲ୍ଲୀ କ୍ୟାପିଟାଲ୍‌ସ ଶୁକ୍ରବାର ଝାଳବୁହା ଅଭ୍ୟାସ କରିଛି। ସହକାରୀ ପ୍ରଶିକ୍ଷକ ପ୍ରବୀଣ ଆମ୍ରେ ଦଳର ଅଭ୍ୟାସ ସେସନ୍‌ରେ ଖେଳାଳିମାନଙ୍କ ସହ ମୂଲ୍ୟବାନ ଟିପ୍ସ ବାଣ୍ଟିଛନ୍ତି। ଦିଲ୍ଲୀ ଦଳ ପୂରା ଜୋସ୍‌ରେ ଅଭ୍ୟାସ ଚଳାଇଥିଲା। ଯେଉଁଥିରେ ଖେଳାଳିମାନେ ଦକ୍ଷତା ଓ ସାମର୍ଥ୍ୟର ପରିପ୍ରକାଶ କରିଥିଲେ। ଆମ୍ରେ ମଧ୍ୟ କେବଳ ଟିପ୍ସ ଦେଇନଥିଲେ ବରଂ ମୂଲ୍ୟବାନ ରଣକୌଶଳ ଶିଖାଇଥିଲେ। ‘‘ମାନସିକ ଭାବେ ତୁମେ ଛକା ମାରିବାକୁ ଚିନ୍ତା କର, ମାତ୍ର ଅତିକମ୍‌ରେ ଚୌକା ପାଇବାର ଆଶା ରଖ। ବଲ୍‌ ସହ ବ୍ୟାଟ୍‌ର ସଂଯୋଗ ଠିକ୍‌ ହେବା ଦରକାର। ଯାହାକି ଅତି ଗୁରୁତ୍ବପୂର୍ଣ୍ଣ। ଟାଇମିଂ ଠିକ୍‌ ରହିଲେ ହିଁ ଶକ୍ତି ମିଳିପାରିବ। ତୁମେ ଛକା ମାରିପାରିବ। ପ୍ରଥମେ ତୁମେ ଟାଇମିଂ ଉପରେ ଜୋର୍‌ ଦିଅ ଏବଂ ପରେ ଶକ୍ତି ସଂଚୟ କର।’’ ବୋଲି ଆମ୍ରେ ଦିଲ୍ଲୀ କ୍ୟାପିଟାଲ୍‌ସ ଦ୍ବାରା ପୋଷ୍ଟ କରାଯାଇଥିବା ଭିଡିଓରେ ଆଜିଙ୍କ୍ୟ ରାହାଣେଙ୍କୁ କହିଥିଲେ।

ସମ୍ବନ୍ଧିତ ଖବର