ଧୋନି ଏକାଧିକଥର ଶାନ୍ତ ସ୍ବଭାବ ହରାଇଥିବା ଦେଖିଛି: ଗମ୍ଭୀର

ନୂଆଦିଲ୍ଲୀ: ନିଜର ଶାନ୍ତ ସ୍ବଭାବ ଓ ଥଣ୍ତା ମିଜାସ୍‌ ପାଇଁ ଜଣାଶୁଣା ପୂର୍ବତନ ଅଧିନାୟକ ମହେନ୍ଦ୍ର ସି˚ହ ଧୋନି ତାଙ୍କର ନେତୃତ୍ବ ଶୈଳୀ ଯୋଗୁଁ ଭାରତକୁ ଅନେକ ମ୍ୟାଚ୍‌ ଜିତାଇଛନ୍ତି। ଏପରିକି ଅଧିନାୟକତ୍ବ ଛାଡ଼ିବା ପରେ ମଧ୍ୟ ତାଙ୍କର ଉପସ୍ଥିତି ହିଁ ବୋଲରଙ୍କୁ ଶାନ୍ତ୍ବନା ଦେଉଥିଲା। ତେବେ ଧୋନି ତାଙ୍କ ସ୍ବଭାବରେ କ୍ବଚିତ ପରିବର୍ତ୍ତନ ଆଣିଥିବା ଦେଖାଯାଇଥାଏ। ଯେଉଁମାନେ ତାଙ୍କ ସହିତ ଖେଳିଛନ୍ତି ସେମାନେ ଧୋନିଙ୍କ ଆହୁରି ନିକଟରୁ ଅଧିକ କିଛି ଦେଖିଛନ୍ତି, ଯାହାକି ଟିଭି କିମ୍ବା ଗ୍ୟାଲେରିରୁ ମଧ୍ୟ ଦେଖାଯାଇପାରିନଥାଏ। ସେ ବି ଜଣେ ମଣିଷ ଏବ˚ ଏପରି କିଛି ଘଟଣା ଘଟିଛି, ଯାହାଦ୍ବାରା ତାଙ୍କର ଭାବନା ବାହାରକୁ ବାହାରିଥିବା ଦେଖାଯାଇଛି। କିଛି ଦିନ ତଳେ ଦ୍ରୁତ ବୋଲର ମହମ୍ମଦ ସାମି ଓ ଇର୍ଫାନ ପଠାନ୍‌, ଧୋନିଙ୍କ ଅଶାନ୍ତ ଆଚରଣ ଘଟଣା ବିଷୟରେ ମତ ଦେଇଥିଲା ବେଳେ ପୂର୍ବତନ ପ୍ରାରମ୍ଭିକ ଖେଳାଳି ଗୌତମ ଗମ୍ଭୀର ମଧ୍ୟ ତାଙ୍କର ନିୟନ୍ତ୍ରଣ ବାହାରେ ଥିବା ଭାବନା ଘଟଣାକୁ ପଦାକୁ ଆଣିଛନ୍ତି। ବିଶେଷକରି କେହି କ୍ଷେତ୍ରରକ୍ଷଣ ବେଳେ ତ୍ରୁଟି କଲେ କିମ୍ବା କ୍ୟାଚ୍‌ ହାତଛଡ଼ା କଲେ ଧୋନି ଖୁବ୍‌ ବିରକ୍ତ ହୋଇଯାଆନ୍ତି। ଏଭଳି ମୁଁ ଏକାଧିକ ଥର ଲକ୍ଷ୍ୟ କରିଛି ବୋଲି ଗମ୍ଭୀର କହିଛନ୍ତି।

୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଓ ଆଇପିଏଲ୍‌ ସମୟରେ ଧୋନି ନିଜ ଉପରୁ ନିୟନ୍ତ୍ରଣ ହରାଇଥିବା ଗମ୍ଭୀର କହିଛନ୍ତି। ତାଙ୍କ ଅନୁଯାୟୀ, ଧୋନି କେବେ ବି ତାଙ୍କର ଶାନ୍ତ ସ୍ବଭାବ ହରାଇନଥାନ୍ତି ବୋଲି ଲୋକେ କୁହନ୍ତି। କିନ୍ତୁ ୨୦୦୭ ବିଶ୍ବକପ୍‌ ଓ ଅନ୍ୟ ବିଶ୍ବକପ୍‌ ବେଳେ ଏକାଧିକ ସମୟରେ ତାଙ୍କର ଭିନ୍ନ ରୂପ ଦେଖିବାକୁ ମିଳିଛି। ସେ ଜଣେ ମଣିଷ ହୋଇଥିବାରୁ ପ୍ରତିକ୍ରିୟାଶୀଳ ହୋଇପଡ଼ନ୍ତି ଏବ˚ ଏହା କରିବାରେ ଯଥାର୍ଥତା ମଧ୍ୟ ରହିଥାଏ। ଏପରିକି ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳୁଥିଲା ବେଳେ ମଧ୍ୟ ଯଦି କୌଣସି କ୍ଷେତ୍ରରକ୍ଷଣରେ ବଲ୍‌ ହାତଛଡ଼ା ହୁଏ କିମ୍ବା କ୍ୟାଚ୍‌ ହାତଛଡ଼ା ହୋଇଥାଏ, ତାହେଲେ ଡ୍ରେସି˚ ରୁମ୍‌ରେ ତାହାର ପ୍ରତିକ୍ରିୟା ରଖୁଥିଲେ ବୋଲି ଗମ୍ଭୀର କହିଛନ୍ତି। ଧୋନିଙ୍କ ଦଳରେ ଗମ୍ଭୀର ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ। ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଓ ୨୦୧୧ ଦିନିକିଆ ବିଶ୍ବକପ୍‌ରେ ଦଳ ପାଇଁ ତାଙ୍କର ବିଶେଷ ଯୋଗଦାନ ରହିଥିଲା। ଏପରିକି ଆଇପିଏଲ୍‌ରେ ମଧ୍ୟ କୋଲକାତା ନାଇଟ ରାଇଡର୍ସ ସହ ଚେନ୍ନାଇ ସୁପରକିଙ୍ଗ୍ସ ମୁକାବିଲା ବେଳେ ଗମ୍ଭୀର ଓ ଧୋନିଙ୍କ ମଧ୍ୟରେ କଡ଼ା ପ୍ରତିଦ୍ବନ୍ଦ୍ବିତା ହୋଇଥିବା ଦେଖାଯାଇଥାଏ।

ସମ୍ବନ୍ଧିତ ଖବର