ଧୋନିଙ୍କଠାରୁ ଟିକେଟ ପାଉଛନ୍ତି ପାକିସ୍ତାନୀ ପ୍ରଶଂସକ

ନୂଆଦିଲ୍ଲୀ: କରାଚୀ ଜନ୍ମିତ ପାକିସ୍ତାନ କ୍ରିକେଟ୍ ଦଳର ଦୃଢ଼ ସମର୍ଥକ ମହମ୍ମଦ ବସିର (ବସିର କ୍ରିକେଟ୍ ମହଲରେ ‘ଚାଚା ସିକାଗୋ’ ଭାବେ ପରିଚିତ) ୨୦୧୧ ମସିହାରୁ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କଠାରୁ ମ୍ୟାଚ୍ ଟିକେଟ ପାଇ ଆସୁଛନ୍ତି। ୨୦୧୧ ବିଶ୍ବକପ୍ ସେମିଫାଇନାଲ୍ ବେଳେ ହିଁ ଧୋନି ଏବଂ ବସିର ସଂପର୍କ ଗଢ଼ି ଉଠିଥିଲା। ସେବେଠାରୁ ଏହା ନିବିଡ଼ରୁ ନିବିଡ଼ତର ହୋଇଛି। ଏପରିକି ପାଖରେ ଟିକେଟ ନଥିଲେ ମଧ୍ୟ ମାଞ୍ଚେଷ୍ଟରରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍ ଦେଖିବା ଲାଗି ୬,୦୦୦ କିଲୋମିଟର ଯାତ୍ରା କରି ବସିର ସେଠାରେ ପହଞ୍ଚି ଯାଇଛନ୍ତି। ଧୋନି ତାଙ୍କୁ ନିଶ୍ଚିତ ମ୍ୟାଚ୍ ଟିକେଟ ଦେବେ ବୋଲି ସେ ଆଶ୍ବସ୍ତ ଅଛନ୍ତି। ମାଞ୍ଚେଷ୍ଟର ପହଞ୍ଚିବା ପରେ ବସିର କହିଛନ୍ତି ମୁଁ ଏଠାରେ ଗତକାଲି ପହଞ୍ଚିଛି। ଭାରତ-ପାକିସ୍ତାନ ମ୍ୟାଚ୍ ଟିକେଟ ୮୦୦ରୁ ୯୦୦ ପାଉଣ୍ଡରେ ବିକ୍ରି ହେଉଛି। ସିକାଗୋ ଫେରିବା ଲାଗି ମୋତେ ଏତିକି ହିଁ ପାଇସା ଖର୍ଚ କରିବାକୁ ପଡ଼ିବ। ଧୋନିଙ୍କୁ ଧନ୍ୟବାଦ। ମ୍ୟାଚ୍ ଟିକେଟ ଲାଗି ମୋତେ ଆଜିକାଲି ଆଉ କିଛି କରିବାକୁ ପଡ଼ୁନାହିଁ। ୬୩ ବର୍ଷୀୟ ବସିର ପାକିସ୍ତାନୀ ବଂଶୋଦ୍ଭବ ହୋଇଥିଲା ବେଳେ ସଂପ୍ରତି ସେ ଆମେରିକାର ସିକାଗୋରେ ରହୁଛନ୍ତି। ୨୦୧୧ରେ ମୋହାଲିରେ ଖେଳା ଯାଇଥିବା ଭାରତ-ପାକିସ୍ତାନ ସେମିଫାଇନାଲ୍ ମ୍ୟାଚ୍ ଟିକେଟ ପାଇବାରେ ଘୋର ଅସୁବିଧାର ସମ୍ମୁଖୀନ ହୋଇଥିଲେ ବସିର। ଏପରିକି ମ୍ୟାଚ୍ ଦେଖିବା ଆଶା ଛାଡ଼ି ଦେଇଥିଲେ ସେ। ହେଲେ ସେତେବେଳେ ଭାରତୀୟ ଦଳର ନେତୃତ୍ବ ନେଉଥିବା ଧୋନି ତାଙ୍କୁ ସାହାଯ୍ୟ କରିବା ଲାଗି ଆଗେଇ ଆସିଥିଲେ। ବସିରଙ୍କ ପାଇଁ ଧୋନି ହିଁ ସେହି ମ୍ୟାଚ୍‌ର ଟିକେଟ୍ ଯୋଗାଇ ଦେଇଥିଲେ। ବସିର ସେବେଠାରୁ ଧୋନିଙ୍କର ଜଣେ ବଡ଼ ସମର୍ଥକ ପାଲଟି ଯାଇଛନ୍ତି। ଏପରିକି ଭାରତ-ପାକିସ୍ତାନ ମ୍ୟାଚ୍ ବେଳେ ସେ ଧୋନିଙ୍କୁ ସମର୍ଥନ କରନ୍ତି। ମାଞ୍ଚେଷ୍ଟର ପହଞ୍ଚିବା ପରେ ବସିର ପାକିସ୍ତାନ ଦଳ ରହୁଥିବା ହୋଟେଲରେ ରହୁଛନ୍ତି। ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦ ଏବଂ ଅନ୍ୟ କ୍ରିକେଟରମାନଙ୍କୁ ସାକ୍ଷାତକରି ସେମାନଙ୍କ ସହ ‌ସେଲ୍‌ଫି ଉଠାଇ ସାରିଛନ୍ତି। ବସିରଙ୍କ ପତ୍ନୀ ହାଇଦ୍ରାବାଦର ହୋଇଥିଲା ବେଳେ ଭାରତ-ପାକିସ୍ତାନ ଲଢ଼େଇ ବେଳେ ସେ ଉଭୟ ଦେଶର ପାତାକା ପିନ୍ଧି ଦର୍ଶକ ଗ୍ୟାଲେରିରେ ଦେଖିବାକୁ ମିଳନ୍ତି। ସେ ନିଜକୁ ଶାନ୍ତିର ଦୂତ ବୋଲି ଦାବି କରନ୍ତି। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସବୁଠାରୁ ବଡ଼ ପ୍ରଶଂସକ ସୁଧୀର ଗୌତମଙ୍କ ସହ ମଧ ବସିରଙ୍କ ଭଲ ବନ୍ଧୁତ୍ବ ରହିଛି। ଉଭୟ ମାଞ୍ଚେଷ୍ଟରରେ ଗୋଟିଏ ହୋଟେଲରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଦେହ ଖରାପ ଥିବାରୁ ବସିର ଦିନକୁ ୧୨ ପ୍ରକାର ଔଷଧ ଖାଉଛନ୍ତି। ତଥାପି ଭାରତ-ପାକିସ୍ତାନ ମ୍ୟାଚର ମଜା ନେବା ଲାଗି ଦୀର୍ଘପଥ ଯାତ୍ରା କରି ଇଂଲଣ୍ଡ ପହଞ୍ଚି ଯାଇଛନ୍ତି।

ସମ୍ବନ୍ଧିତ ଖବର