ଧୋନିଙ୍କ ୭ ନମ୍ବର ଜର୍ସିକୁ ଅବସର ଦିଆଯିବା ଉଚିତ: କରିମ

ନୂଆଦିଲ୍ଲୀ : ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଟେଷ୍ଟ୍‌ କ୍ରିକେଟ୍‌ରୁ ଅବସର ନେବାର ୬ ବର୍ଷ ପରେ ଗତବର୍ଷ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ‌ନେଇସାରିଛନ୍ତି। ସେ ଏବେ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ଚେନ୍ନାଇ ସୁପର କିଙ୍ଗ୍‌ସ ସହିତ ରହି ଯଥେଷ୍ଟ ଯୁବ ଖେଳାଳିଙ୍କୁ ତିଆରି କରୁଛନ୍ତି। ଏପରିସ୍ଥଳେ ଭାରତୀୟ କ୍ରିକେଟ୍‌ ପାଇଁ ତାଙ୍କର ଜାଜୁଲ୍ୟମୟ କ୍ୟାରିୟରକୁ ବିଚାରକୁ ନେଇ ବିସିସିଆଇ ଧୋନିଙ୍କ ୭ ନମ୍ବର ଜର୍ସିକୁ ଅବସର ଦେବା ଉଚିତ ବୋଲି କହିଛନ୍ତି ପୂର୍ବତନ ୱିକେଟ୍‌ରକ୍ଷକ ବ୍ୟାଟ୍‌ସମ୍ୟାନ୍‌ ତଥା ବିସିସିଆଇର ମହାପ୍ରବନ୍ଧକ (କ୍ରିକେଟ୍‌ ଅପେରେସନ୍‌) ସବା କରିମ।

ବିସିସିଆଇ ଅତୀତରେ ଅବସରପ୍ରାପ୍ତ ସଚିନ ତେନ୍ଦୁଲକରଙ୍କ ୧୦ ନମ୍ବର ଜର୍ସିକୁ ଅବସର ଦେଇଥିଲା। ଗୋଟିଏ ସମୟରେ ସମାନ ନମ୍ବର ଜର୍ସି ପିନ୍ଧି ଭାରତ ପାଇଁ ଶାର୍ଦୁଲ ଠାକୁର ଖେଳିବା ପରେ ବିବାଦର ସୂତ୍ରପାତ ହୋଇଥିଲା। ଫଳରେ ବିସିସିଆଇ ଏହି ୧୦ ନମ୍ବର ଜର୍ସିକୁ ଅବସର ଦେଇଥିଲା। ସେହି ଦୃଷ୍ଟିରୁ ମୁଁ ଭାବୁଛି କେବଳ ମାତ୍ର ଧୋନି ନୁହନ୍ତି, ଆହୁରି ଅନେକ ଭାରତୀୟ କିଂବଦନ୍ତିଙ୍କ ଜର୍ସିକୁ ବିସିସିଆଇ ସଂରକ୍ଷିତ ରଖିବା ଉଚିତ ବୋଲି କରିମ କହିଛନ୍ତି। ବିସିସିଆଇ ଏହା ମଧ୍ୟ ସୁନିଶ୍ଚିତ କରିବା କଥା ଯେ ସେହି କଂବଦନ୍ତିମାନଙ୍କ ଜର୍ସି ନମ୍ବରକୁ ଯେଭଳି ଅନ୍ୟ କେହି ପରିଧାନ କରିପାରିବେନି। ଏଭଳି ହେଲେ ଭାରତୀୟ କ୍ରିକେଟ୍‌କୁ ସେଭଳି ମହାନ୍‌ଙ୍କ ଅବଦାନକୁ ସ୍ବିକୃତୀ ଦିଆଯାଇପାରିବ। ବିଶେଷକରି ଆମେ ଏହା କରିବା ଫଳରେ ସେହି ମହାନ୍‌ଙ୍କ ପ୍ରତି ଯଥେଷ୍ଟ ସମ୍ମାନ ଜଣାଇପାରିବା ବୋଲି କରିମ କହିଛନ୍ତି।

ସମ୍ବନ୍ଧିତ ଖବର