ଇଟାଲି, ଇଂଲଣ୍ଡର ୟୁରୋ ଫାଇନାଲ୍‌ ଯାତ୍ରା

ଫାଇନାଲ୍‌ରେ ପହଞ୍ଚିବା ଲାଗି ଜାନ୍‌ ଲଗାଇଥିଲା ଇଟାଲି

ଲଣ୍ଡନ : ଚଳିତ ୟୁରୋ କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଫାଇନାଲ୍‌ ମ୍ୟାଚ୍‌ ‌ଭାରତୀୟ ସମୟ ରବିବାର ରାତି ୧୨.୩୦ରେ ଖେଳାଯିବ। ୱେମ୍ବଲ୍‌ରେ ଖେଳାଯିବାକୁ ଥିବା ଏହି ଫାଇନାଲ୍‌ରେ ଘରୋଇ ଇଂଲଣ୍ଡ ଭେଟିବ ଇଟାଲିକୁ। ଇଂଲଣ୍ଡ ୫୫ ବର୍ଷ ପରେ କୌଣସି ଏକ ବଡ଼ ପ୍ରତିଯୋଗିତାର ଫାଇନାଲ୍‌ରେ ପହଞ୍ଚିବା ସହ ଘରୋଇ ପଡ଼ିଆରେ ଖେଳୁଥିବାରୁ ଉତ୍ସାହିତ ରହିଛି। ଏଥିସହ ପ୍ରଥମ ଥର ୟୁରୋ କପ୍‌ ଧରିବାକୁ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ଅଣ୍ଡରଡଗ୍‌ ଭାବେ ଏହି ପ୍ରତିଯୋଗିତାକୁ ‌ଆସିଥିବା ୧୯୬୮ ବିଜେତା ଇଟାଲି ବେଲ୍‌ଜିୟମ ଭଳି ଶୀର୍ଷ ମାନ୍ୟତା ସହ ସ୍ପେନ୍‌କୁ ପରାସ୍ତ କରି ଫାଇନାଲ୍‌ରେ ପହଞ୍ଚିଛି। ତେଣୁ ଏହି ଦଳ ମଧ୍ୟ ଇଂଲଣ୍ଡକୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ରହିଛି। ପୂର୍ବରୁ ଉଭୟ ଦଳ ୨୭ ଥର ମୁହାଁମୁହିଁ ହୋଇଛନ୍ତି। ଏଥିରେ ଇଂଲଣ୍ଡ ୮ ଏବଂ ଇଟାଲି ୧୧ ଥର ବିଜୟୀ ହୋଇଥିଲା ବେଳେ ୮ ମ୍ୟାଚ୍‌ ଅମୀମାଂସିତ ରହିଥିଲା।

ପ୍ରଥମ ‌ସେମିଫାଇନାଲ୍‌ ଲଢ଼େଇ ପୂର୍ବରୁ ଇଟାଲିଠୁ ସ୍ପେନ୍‌ ଦଳ ଶକ୍ତିଶାଳୀ ଗଣାଯାଉଥିଲା। ସ୍ପେନ୍‌ର ଦୁଇ ମଧ୍ୟଭାଗ ଖେଳାଳି ଡାନି ଓଲ୍‌ମୋ ଓ ପେଡ୍ରି ଆରମ୍ଭରୁ ଲାଇନ୍‌ ନିକଟରେ ମଧ୍ୟ ବିପଦଜନକ ଦେଖାଯାଉଥିଲେ। ଅନ୍ୟପକ୍ଷରେ ଇଟାଲି ଗୋଲ୍‌ ସୁଯୋଗ ସୃଷ୍ଟି କରିବା ଲାଗି ଆରମ୍ଭରୁ ଅଧଘଣ୍ଟା ସମୟ ନେଇଥିଲା। ଏମର୍ସନ ପାଲମିରି ଏହି ସଟ୍‌ଟି ମାରିଥିଲେ। ସ୍ପେନ୍‌ର ରଣ କୌଶଳ ଏପରି ଥିଲା ଯେ ଇଟାଲି ପାସ୍‌ ଦେବା ଲାଗି ସଂଘର୍ଷ କରିବା ସହ ମଧ୍ୟଭାଗରେ ବଲ୍‌ ହାତଛଡ଼ା କ‌ରିଦେଉଥିଲା। ହେଲେ ଦ୍ବିତୀୟାର୍ଦ୍ଧରେ ଏନରିକୋ ଚିସାଙ୍କ ଗୋଲ୍‌ରେ ଇଟାଲି ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। କିନ୍ତୁ ଏହି ଖୁସି ବେଶି ସମୟ ରହିନଥିଲା। ୮୦ତମ ମିନିଟ୍‌ରେ ସ୍ପେନ୍‌ ‌ଷ୍ଟ୍ରାଇକର ଆଲଭାରୋ ମୋରାଟା ଗୋଲ୍‌ ଶୁଝି ସ୍ଥିତି ବରାବର କରିଥିଲେ। ଫଳରେ ମ୍ୟାଚ୍‌ ଅତିରିକ୍ତ ସମୟକୁ ଯାଇଥିଲା। ଏଥିରେ ଉଭୟ ଦଳ ଗୋଲ୍‌ କରିବାକୁ ସକ୍ଷମ ନ ହେବାରୁ ମ୍ୟାଚ୍‌ ପେନାଲ୍‌ଟି ସୁଟ୍‌ଆଉଟ୍‌କୁ ଯାଇଥିଲା। ସୁଟ୍‌ଆଉଟ୍‌ରେ ଉଭୟ ଦଳ ଆରମ୍ଭରୁ ଖରାପ ସଟ୍‌ ମାରିଥିଲେ। ଇଟାଲିର ମାନୁଏଲ ଲୋକାଟେଲି ଏବଂ ସ୍ପେନ୍‌ର ଓଲ୍‌ମୋ ଗୋଲ୍‌ ମାରିବାରେ ସଫଳ ହୋଇନଥିଲେ। ମୋରାଟାଙ୍କ ‌ତଳୁଆ ସଟ୍‌କୁ ଜିଆନଲୁଗି ‌ଡୋନ୍ନାରୁମା ଅଟକାଇ ଦେଇଥିଲେ ଏବଂ ପଞ୍ଚମ ତଥା ଫାଇନାଲ୍‌ ସଟ୍‌କୁ ଜର୍‌ଗିନୋ ଗୋଲ୍‌ ପୋଷ୍ଟ୍‌କୁ ପଠାଇ ଇଟାଲିର ଫାଇନାଲ୍‌ ସ୍ଥାନ ପକ୍କା କରିଥିଲେ।

ଡେନ୍‌ମାର୍କକୁ ହରାଇ ଆତ୍ମବିଶ୍ବାସ ବଢ଼ାଇଛି ଇଂଲଣ୍ଡ
ଇଂଲଣ୍ଡ ୬୦୦୦୦ ପ୍ରଶଂସକଙ୍କ ସାମ୍ନାରେ ସେମିଫାଇନାଲ୍‌ ଖେଳିବା ଲାଗି ନିଜ ଘରୋଇ ପଡ଼ିଆ ୱେମ୍ବଲିରେ ପହଞ୍ଚିଥିଲା। ଏଠାରେ ଘରୋଇ ଦର୍ଶକ ସମ୍ମୁଖରେ ଉଚ୍ଚ ଅଭିଳାଷୀ ଡେନ୍‌ମାର୍କକୁ ମାତ୍‌ ଦେବାକୁ ସକ୍ଷମ ହୋଇଥିଲା। ମିକେଲ ଡାମ୍ସଗାର୍ଡଙ୍କ ‌ଗୋଲ୍‌ ବଳରେ ଡେନ୍‌ମାର୍କ ଘରୋଇ ଦଳକୁ ପଛ‌ରେ ପକାଇଥିଲା। ଏହା ଚଳିତ ୟୁରୋରେ ଇଂଲଣ୍ଡର ପ୍ରଥମ ଗୋଲ୍‌ ବରଣ ଥିଲା। ହେଲେ ଏହାର ୯ ମିନିଟ୍‌‌ ପରେ ଡେନ୍‌ମାର୍କର ସିମନ କାଜରଙ୍କ ଆତ୍ମଘାତୀ ଗୋଲ୍‌‌ ଇଂଲଣ୍ଡ ପାଇଁ ସ୍ଥିତି ବରାବର କରିବାରେ ସହଯୋଗ କରିଥିଲା। ପ୍ରଥମାର୍ଦ୍ଧ ୧-୧ ରହିଥିଲା ବେଳେ ଦ୍ବିତୀୟାର୍ଦ୍ଧ ଗୋଲ୍‌ ଶୂନ୍ୟରେ ଶେଷ ହୋଇଥିଲା। ଫଳରେ ମ୍ୟାଚ୍‌ ଅତିରିକ୍ତ ସମୟକୁ ଯାଇଥିଲା। ୧୦୫ତମ ମିନିଟ୍‌ରେ ଅଧିନାୟକ ହାରି କେନ୍‌ଙ୍କ ଗୋଲ୍‌ରେ ଇଂଲଣ୍ଡ ବିଜୟୀ ହୋଇ ୫୫ ବର୍ଷ ପରେ ପ୍ରଥମ ଥର କୌଣସି ଏକ ବଡ଼ ପ୍ରତିଯୋଗିତାର ଫାଇନାଲ୍‌ରେ ପ୍ରବେଶ କରିଥିଲା।

ସମ୍ବନ୍ଧିତ ଖବର