ଧୋନିଙ୍କ ଅଜବ ଖା‌ଦ୍ୟ ଶୈଳୀ: ବିନା ଚିକେନ୍‌ରେ ଖାଆନ୍ତି ବଟର ଚିକେନ୍‌

ଚେନ୍ନାଇ: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସର୍ବଦା ନିଜ ଫିଟ୍‌ନେସ୍‌ ନେଇ ଚର୍ଚ୍ଚାରେ ରହିଥା’ନ୍ତି। ୪୧ ବର୍ଷ ବୟସରେ ମଧ୍ୟ ସେ ଜଣେ ଭଲ ଆଥ୍‌ଲେଟ୍‌ ଭାବେ ପରିଚିତ। ଏହି ଭେଟେରାନ ୱିକେଟ୍‌ରକ୍ଷକ ବ୍ୟାଟର୍‌ ଆଗାମୀ ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ନେତୃତ୍ବ ନେବାକୁ ଯାଉଛନ୍ତି। ଆଇପିଏଲ୍‌ ପାଇଁ ଧୋନି ଚେନ୍ନାଇସ୍ଥିତ ଚେପକ ଷ୍ଟାଡିୟମରେ ଝାଳବୁହା ଅଭ୍ୟାସ ଚଳାଇଛନ୍ତି। ତାଙ୍କର ଏହି ଅଭ୍ୟାସର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାକୁ ଲାଗିଛି। ଏହି ଭିଡିଓ ଭାଇରାଲ ପରେ ପରେ ଧୋନିଙ୍କ ଅଜବ ଖାଦ୍ୟ ଶୈଳୀର ଖୁଲାସା କରିଛନ୍ତି ତାଙ୍କ ସହ ଭାରତ ଓ ସିଏସ୍‌କେ ଡ୍ରେସିଂ ରୁମ୍‌ରେ କଟାଇଥିବା ପୂର୍ବତନ ଭାରତୀୟ କ୍ରିକେଟର୍‌ ରବିନ ଉଥପ୍ପା। ଧୋନି ବିନା ଚିକେନ୍‌ରେ ବଟର ଚିକେନ୍‌ ଖାଆନ୍ତି ବୋଲି କହିଛନ୍ତି ଉଥପ୍ପା।

‘‘ଧୋନି ସବୁବେଳେ ଏକାଠି ଖାଇବାକୁ ଭଲ ପାଆନ୍ତି। ସୁରେଶ ରାଇନା, ଇର୍ଫାନ ପଠାନ, ଆର୍‌ପି ସିଂହ, ପୀୟୂଷ ଚାୱଲା, ମୁନାଫ ପଟେଲ, ଏମ୍‌ଏସ୍‌ (ଧୋନି) ଓ ମୋତେ ନେଇ ଆମର ଗୋଟିଏ ଗ୍ରୁପ ଥିଲା। ଆମେ ପ୍ରାୟ ଏକାଠି ଖାଇଥାଉ। ଆମେ ଡାଲ ମଖନି, ବଟର ଚିକେନ, ଜୀରା ଆଳୁ, କୋବି ଓ ରୁଟି ମଗାଉ। କିନ୍ତୁ ଖାଇବା ବେଳେ ଏମ୍‌ଏସ୍‌ ଭାରି କଠୋର। ସେ ବଟର ଚିକେନ୍‌ ଖାଆନ୍ତି କିନ୍ତୁ ବିନା ଚିକେନ୍‌ରେ, କେବଳ ଗ୍ରେଭି! ଯେତେବେଳେ ଚିକେନ୍‌ ଖାଆନ୍ତି, ଆଉ ରୁଟି ଖାଆନ୍ତିନି। ଖାଇବା ବେଳେ ସେ ପୂରା ଅଦ୍ଭୁତ’’ ବୋଲି ଜିଓ ସେନେମାରେ ପ୍ରସାରିତ ‘ମାଇଁ ଟାଇମ୍‌ ୱିଥ୍‌ ହିରୋଜ୍‌’ରେ ଉଥପ୍ପା କହିଛନ୍ତି।

ସମ୍ବନ୍ଧିତ ଖବର