ଦୀପାଙ୍କ ଆତ୍ମଜୀବନୀରେ ଓଡ଼ିଆ ଛାପ

ମୁମ୍ବାଇ: ପ୍ରସିଦ୍ଧ ଜିମ୍ନାଷ୍ଟ ଦୀପା କର୍ମକାରଙ୍କ ଆତ୍ମଜୀବନୀ ‘ଦୀପା କର୍ମକାର: ଦି ସ୍ମଲ୍ ୱାଣ୍ଡର’କୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ବୁଧବାର ଉନ୍ମୋଚନ କରିଛନ୍ତି। ଏଥିରେ ତ୍ରିପୁରାର ଛୋଟ ସହରରୁ ବାହାରି ଅଲିମ୍ପିକ୍ସରେ ପହଞ୍ଚିବା ପର୍ଯ୍ୟନ୍ତ ଦୀପା କରିଥିବା ସଂଘର୍ଷକୁ ନିଖୁଣ ଭାବେ ଦର୍ଶା ଯାଇଛି। ଦୀପାଙ୍କ ପ୍ରଶିକ୍ଷକ ବିଶେଶ୍ବର ନନ୍ଦୀ କ୍ରୀଡ଼ା ସାମ୍ବାଦିକ ଦିଗବିଜୟ ସିଂହ ଓ ବିମଳ ମୋହନଙ୍କ ସହ ମିଶି ଏହି ପୁସ୍ତକକୁ ରଚନା କରିଛନ୍ତି। ଦିଗ୍‌ବିଜୟ ଓଡ଼ିଶାର ହୋଇଥିବାରୁ ପୁସ୍ତକରେ ଓଡ଼ିଆ ଛାପ ମଧ୍ୟ ରହିଛି। ସୂଚନାଯୋଗ୍ୟ ଯେ ରିଓ ଅଲିମ୍ପିକ୍ସରେ ଦୀପା ଜିମ୍ନାଷ୍ଟିକ୍ସର ବିପଜ୍ଜନକ ପ୍ରୋଡୁନୋଭା ଜମ୍ପ କରି ଇତିହାସ ରଚିଥିଲେ। ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ ମଧ୍ୟ ଏହି ଖେଳର ଚତୁର୍ଥ ସ୍ଥାନରେ ରହିବାରେ ସେ ପ୍ରଥମ ଭାରତୀୟ ମହିଳା ହେବାର ଗୌରବ ଅଜର୍ନ କରିଥିଲେ। ଏହି ଅବସରରେ ଦୀପାଙ୍କ ଅଭିଯାନ ଅନ୍ୟମାନଙ୍କ ପାଇଁ ଆଦର୍ଶ ବୋଲି ସଚିନ କହିଥିଲେ। ଭାରତୀୟ କ୍ରୀଡ଼ା ପରିପ୍ରେକ୍ଷୀରେ ଦୀପା‌ କିଭଳି ସଫଳତା ଲାଭ କରିଛନ୍ତି, ତାହା ବିଶ୍ବ ଜାଣିଛି। ଏହି ସ୍ଥାନରେ ପହଞ୍ଚିବା ଲାଗି ସେ କେତେ ସଂଘର୍ଷ କରିଛନ୍ତି, ତାହା ମଧ୍ୟ ସମସ୍ତଙ୍କୁ ଜଣା। ଏହି ପୁସ୍ତକ ତାଙ୍କ ଯାତ୍ରାକୁ ଜୀବନ ଦେଇଛି ବୋଲି ସଚିନ ଏହି ଅବସରରେ କହିଥିଲେ। ସୂଚନାଯୋଗ୍ୟ ଯେ ଦୀପାଙ୍କ ଖେଳ ଜୀବନ ଗଢ଼ିବାରେ ବିଶେଶ୍ବର ପ୍ରମୁଖ ଭୂମିକା ତୁଲାଇଛନ୍ତି। ଦିଗ୍‌ବିଜୟ ଜଣେ ଆଗଧାଡ଼ିର କ୍ରୀଡ଼ା ସାମ୍ବାଦିକ ହୋଇଥିଲା ବେଳେ ସେ ଷ୍ଟାର ନ୍ୟୁଜ୍, ଦୂରଦର୍ଶନ, ସିଏନ୍ଏନ୍-ଆଇବିଏନ୍, ୱିଅନ୍ ଏବଂ ଜୀ ମିଡିଆ ଭଳି ସଂସ୍ଥାରେ କାର୍ଯ୍ୟ କରି ସାରିଛନ୍ତି। ବିମଳ ମଧ୍ୟ ଜଣେ ପ୍ରତିଷ୍ଠିତ କ୍ରୀଡ଼ା ସାମ୍ବାଦିକ। ସେ ସମ୍ମାନଜନକ ରାମନାଥ ଗୋଏଙ୍କା ପୁରସ୍କାର ଜିତି ସାରିଛନ୍ତି।

ସମ୍ବନ୍ଧିତ ଖବର