ଇତିହାସ ରଚିଲେ ଜୋକୋଭିକ୍‌ : ନବମ ଥର ଜିତିଲେ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟ୍ରଫି

ମେଲ୍‌ବର୍ଣ୍ଣ : କରୋନା କଟକଣା ମଧ୍ୟରେ ଆୟୋଜିତ ଭିନ୍ନ ପ୍ରକାରର ପ୍ରଥମ ଗ୍ରାଣ୍ଡ୍‌ସ୍ଲାମ୍‌ ଟେନିସ୍‌ ପ୍ରତିଯୋଗିତା ଅଷ୍ଟ୍ରେଲିଆନ୍‌ ଓପନ୍‌ ଆଜି ଶେଷ ହୋଇଛି। ରବିବାର ଶେଷ ଦିବସରେ ଆୟୋଜିତ ପୁରୁଷ ଏକକ ବର୍ଗ ଫାଇନାଲ୍‌‌ ଜିତି ସର୍ବିୟା ତାରକା ନୋଭାକ୍‌ ଜୋକୋଭିକ୍‌ ଇତିହାସ ରଚିଛନ୍ତି। ଏକପାଖିଆ ଫାଇନାଲ୍‌ ଲଢ଼େଇରେ ଶୀର୍ଷ ମାନ୍ୟତାପ୍ରାପ୍ତ ଜୋକୋଭିକ୍‌ ସିଧାସଳଖ ୭-୫, ୬-୨ ଓ ୬-୨ ସେଟ୍‌ରେ ଚତୁର୍ଥ ମାନ୍ୟତାପ୍ରାପ୍ତ ରୁଷିଆ ତାରକା ଡାନିଲ ମେଦ୍‌ଭେଦେଭ୍‌ଙ୍କୁ ପରାସ୍ତ କରି ନବମ ଥର ପାଇଁ ମେଲ୍‌ବର୍ଣ୍ଣ ପାର୍କରେ ବିଜୟ ବାନା ଉଡ଼ାଇଛନ୍ତି। ଏଥି ସହିତ ସର୍ବାଧିକ ଥର ଅଷ୍ଟ୍ରେଲିଆନ୍‌ ଓପନ୍‌ ଟ୍ରଫି ଜିତିବାର କୀର୍ତ୍ତିମାନକୁ ଲମ୍ବାଇଛନ୍ତି। ୯ ଥର ଅଷ୍ଟ୍ରେଲିଆନ୍‌ ଓପନ୍‌ ଜିତିବା ସହିତ ୩୩ ବର୍ଷ ବୟସ୍କ ଜୋକୋଭିକ୍‌ ମଧ୍ୟ ତାଙ୍କ ମୋଟ ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜୟ ସଂଖ୍ୟାକୁ ୧୮ରେ ପହଞ୍ଚାଇ ଦେଇଛନ୍ତି। ସେ ମଧ୍ୟ ନିଜର ଗତ ୧୦ ମ୍ୟାଚ୍‌ରୁ ଅଷ୍ଟମ ବିଜୟ ହାସଲ କରିଛନ୍ତି। ଏବେ ସେ ସ୍ବିଜରଲାଣ୍ଡ୍‌ ତାରକା ରୋଜର୍‌ ଫେଡେରର୍‌ (୨୦) ଏବଂ ସ୍ପେନ୍‌ ତାରକା ରାଫେଲ ନାଦାଲ (୨୦)ଙ୍କ ପଛକୁ ସର୍ବାଧିକ ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜେତା ତାଲିକାର ତୃତୀୟରେ ରହିଛନ୍ତି। ପୁଣି କୌଣସି ଗୋଟିଏ ଗ୍ରାଣ୍ଡ୍‌ସ୍ଲାମ୍‌ରେ ସର୍ବାଧିକ ଥର ବିଜେତା ହେବାରେ ଜୋ‌କୋଭିକ୍‌ ମଧ୍ୟ ନାଦାଲଙ୍କ ପରେ ଦ୍ବିତୀୟ ଖେଳାଳି ରହିଛନ୍ତି। ଏପରିକି ଜୋକୋଭିକ୍‌ ମେଲ୍‌ବର୍ଣ୍ଣ ପାର୍କରେ ଫାଇନାଲ୍‌ରେ ଅପରାଜେୟ ରହିବାର ଗୌରବ ବହନ କରିଛନ୍ତି। ୩୦ ବର୍ଷ ବୟସ ପରେ ଜୋକୋଭିକ୍‌ ୬ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି ଜିତି ନାଦାଲଙ୍କ କୀର୍ତ୍ତିମାନର ସମକକ୍ଷ ହୋଇଛନ୍ତି।

ଦୋଦିଗ୍‌-ପୋଲାସେକ୍‌ଙ୍କୁ ପୁରୁଷ ଯୁଗଳ ଟ୍ରଫି
ଇଭାନ୍‌ ଦୋଦିଗ୍‌ ଓ ଫିଲିପ୍‌ ପୋଲାସେକ୍‌ ଏକାଠି ଖେଳି ପ୍ରଥମ ଥର ପାଇଁ ଏକ ଗ୍ରାଣ୍ଡ୍‌ସ୍ଲାମ୍‌ ବିଜେତା ହୋଇଛନ୍ତି। ରବିବାର ପୁରୁଷ ଏକକ ଫାଇନାଲ୍‌ ପୂର୍ବରୁ ଖେଳାଯାଇଥିବା ପୁରୁଷ ଯୁଗଳ ଫାଇନାଲ୍‌ ମୁକାବିଲାରେ ଏହି ଯୋଡ଼ି ସିଧାସଳଖ ୬-୩ ଓ ୬-୪ ସେଟ୍‌ରେ ପୂର୍ବ ବିଜେତା ରାଜୀବ ରାମ ଓ ଜୋଏ ସାଲିସବରୀଙ୍କୁ ପରାସ୍ତ କରି ଟ୍ରଫି କରାୟତ୍ତ କରିଥିଲେ। ୨୦୧୮ରେ ଅବସରରୁ ପ୍ରତ୍ୟାବର୍ତନ କରିଥିବା ୩୫ ବର୍ଷ ବୟସ୍କ ପୋଲାସେକ୍‌ଙ୍କ ପାଇଁ ଏହା ପ୍ରଥମ ଗ୍ରାଣ୍ଡ୍‌ସ୍ଲାମ୍‌ ବିଜୟ। ଏଥି ସହିତ ଡାନିଏଲା ହନ୍ତୁକୋଭାଙ୍କ ପରେ ପୋଲାସେକ୍‌ କେବଳ ଦ୍ବିତୀୟ ସ୍ଲୋଭାକିଆ ଖେଳାଳି ଭାବେ ଗ୍ରାଣ୍ଡ୍‌ସ୍ଲାମ୍‌ ବିଜେତା ହୋଇଛନ୍ତି। ଏହି ଟ୍ରଫିକୁ ପୋଲାସେକ୍‌ ତାଙ୍କ ନବଜନ୍ମିତ କନ୍ୟା ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଅନ୍ୟପକ୍ଷରେ କ୍ରୋଏସିଆ ତାରକା ଦୋଦିଗ୍‌ ନିଜର ଦ୍ବିତୀୟ ପୁରୁଷ ଯୁଗଳ ଟ୍ରଫି ହାସଲ କରିଛନ୍ତି। ଏହା ପୂର୍ବରୁ ସେ ୧୦୧୫ରେ ମାର୍ସେଲୋ ମେଲୋଙ୍କୁ ସାଥୀ କରି ଫ୍ରେଞ୍ଚ୍‌ ଓପନ୍‌ ଟ୍ରଫି ଜିତିଥିଲେ।

ସମ୍ବନ୍ଧିତ ଖବର