ଜୋକୋଭିକ୍‌, ମେଦ୍‌ଭେଦେଭ୍‌ଙ୍କ ବିଜୟ ଅଭିଯାନ

ଏଟିପି ଫାଇନାଲ୍‌ସ

ତୁରିନ: ଇଟାଲିର ତୁରିନଠାରେ ଚାଲିଥିବା ବର୍ଷ ଶେଷ ଏଟିପି ଫାଇନାଲ୍‌ସରେ ବିଶ୍ବ ମାନ୍ୟତାର ଦୁଇ ଶୀର୍ଷ ତାରକା ନୋଭାକ୍ ଜୋକୋଭିକ୍‌ ଏବଂ ଡାନିଲ ମେଦ୍‌ଭେଦେଭ୍‌ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ଏହି ପ୍ରତିଯୋଗିତାରେ ଷଷ୍ଠ ଟ୍ରଫି ସନ୍ଧାନରେ ଥିବା ଶୀର୍ଷ ମାନ୍ୟତା ସର୍ବିଆ ତାରକା ଜୋକୋଭିକ୍‌ ପ୍ରଥମ ରାଉଣ୍ଡରେ ବର୍ଷ ଶେଷ ଫାଇନାଲ୍‌ସରେ ପଦାର୍ପଣ କରିଥିବା ନରୱେର କାସ୍‌ପର ରୁଦ୍‌ଙ୍କୁ ସିଧାସଳଖ ୭-୬ ଓ ୬-୨ ସେଟ୍‌ରେ ପରାସ୍ତ କରିଛନ୍ତି। ରୁଦ୍‌ଙ୍କ ବିପକ୍ଷରେ ଜୋକୋଭିକ୍‌ଙ୍କୁ ଜିତିବା ପାଇଁ ୧ ଘଣ୍ଟା ୩୧ ମିନିଟ୍‌ ଲଢ଼ିବାକୁ ପଡ଼ିଥିଲା। ଏଟିପି ଫାଇନାଲ୍‌ସ ଅବସରରେ ଜୋକୋଭିକ୍‌ଙ୍କୁ ମଧ୍ୟ ସପ୍ତମ ଥର ପାଇଁ ବର୍ଷ ଶେଷ ବିଶ୍ବ ମାନ୍ୟତାର ଏକ ନମ୍ବର ଟ୍ରଫି ଉପହାର ମିଳିଥିଲା। ଜୋକୋଭିକ୍‌ ଏକ୍ଷେତ୍ରରେ ୧୪ ଥର ଗ୍ରାଣ୍ଡ୍‌ସ୍ଲାମ୍‌ ବିଜେତା ପିଟ୍‌ ସାମ୍ପ୍ରାସ୍‌ଙ୍କୁ ଟପି ଯାଇଥିବାରୁ ଏହି ଉପହାର ପାଇଥିଲେ।

ଅନ୍ୟପକ୍ଷରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ମେଦ୍‌ଭେଦେଭ୍‌ ପ୍ରଥମ ରାଉଣ୍ଡରେ ସଂଘର୍ଷ କରିଥିଲେ। ଗତ ସେପ୍ଟେମ୍ବରରେ ନିଜର ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ଭାବେ ୟୁଏସ୍‌ ଓପନ୍‌ ଟ୍ରଫି ଜିତିଥିବା ରୁଷୀୟ ତାରକା ମେଦ୍‌ଭେଦେଭ୍‌ ୭-୭, ୬-୩ ଓ ୬-୪ ସେଟ୍‌‌ରେ ପୋଲାଣ୍ଡର ହୁବର୍ଟ ହର୍‌କାଜଙ୍କୁ ପରାସ୍ତ କରି ଆଗକୁ ବଢ଼ିଛନ୍ତି। ସେହିପରି ଅଲିମ୍ପିକ୍‌ ବିଜେତା ଆଲେକ୍‌ଜାଣ୍ଡର ଭେରେଭ୍‌ ମଧ୍ୟ ପ୍ରଥମ ରାଉଣ୍ଡ୍‌ ଅତିକ୍ରମ କରିଛନ୍ତି। ଏହି ଜର୍ମାନି ତାରକା ଇଟାଲିର ମାସିଓ ବେରେଟିନିଙ୍କ ବିପକ୍ଷରେ ପ୍ରଥମ ସେଟ୍‌କୁ ୭-୬ରେ ଜିତିବା ପରେ ଦ୍ବିତୀୟ ସେଟ୍‌ରେ ୧-୦ରେ ଅଗ୍ରଣୀ ରହିଥିଲା ବେଳେ ୱିମ୍ବିଲଡନ୍‌ ଉପବିଜେତା ବେରେଟିନି ଆହତ ଯୋଗୁଁ ଓହରି ଯାଇଥିଲେ।

ସମ୍ବନ୍ଧିତ ଖବର