୫୦% ଅତିରିକ୍ତ ମ୍ୟାଚ୍ ଫି’ ପାଇବେ ଘରୋଇ କ୍ରିକେଟର୍: କୋଭିଡ୍ କ୍ଷତିପୂରଣ ଘୋଷଣା କଲା ବିସିସିଆଇ
ଯୌନ ଶୋଷଣ ପାଇଁ ସ୍ବତନ୍ତ୍ର କମିଟି, ଟ୍ବେଣ୍ଟି-୨୦ ବିଶ୍ବକପ୍ ପାଇଁ ଇସିବିକୁ ଦେଢ଼ ନିୟୁତ ଡଲାର
ମୁମ୍ବାଇ: ବିସିସିଆଇ ସୋମବାର ଘରୋଇ କ୍ରିକେଟର୍ଙ୍କ ପାଇଁ କୋଭିଡ୍ କ୍ଷତିପୂରଣ ଘୋଷଣା କରିଛି। ଫଳରେ ଘରୋଇ ଖେଳାଳିମାନେ ଚଳିତ ‘ଋତୁରେ ନିଜ ମ୍ୟାଚ୍ ଫି’ର ଦେଢ଼ଗୁଣା ରାଶି ପାଇବେ। କୋଭିଡ୍-୧୯ ମହାମାରୀ ପାଇଁ ଗତବର୍ଷ ପ୍ରଥମ ଥର ପାଇଁ ରଣଜୀ ଟ୍ରଫି ଖେଳାଯାଇ ପାରି ନଥିଲା। ସେଥିପାଇଁ ଘରୋଇ କ୍ରିକେଟର୍ମାନେ ଆର୍ଥିକ କ୍ଷତି ସହିଥିଲେ। ଯାହାକୁ ଚଳିତ ଋତୁରେ ଭରଣା କରିବାକୁ ଚେଷ୍ଟା କରିଛି ବିସିସିଆଇ। ‘‘୨୦୧୯-୨୦ ଘରୋଇ ଋତୁରେ ଅଂଶଗ୍ରହଣ କରିଥିବା ଘରୋଇ ଖେଳାଳିମାନେ କୋଭିଡ୍-୧୯ ଲାଗି ସହିଥିବା ଆର୍ଥିକ କ୍ଷତିର ଭରଣା ସ୍ବରୂପ ସେମାନଙ୍କୁ ୨୦୨୦-୨୧ ଋତୁରେ ୫୦% ଅତିରିକ୍ତ ମ୍ୟାଚ୍ ଫି’ ପ୍ରଦାନ କରାଯିବ’’ବୋଲି ବିସିସିଆଇ ସଂପାଦକ ଜୟ ଶାହ ଟ୍ବିଟ୍ କରି ଜଣାଇଛନ୍ତି। ସୋମବାର ବସିଥିବା ବିସିସିଆଇ ଆପେକ୍ସ କାଉନସିଲ୍ ବୈଠକରେ କୋଭିଡ୍ କ୍ଷତିପୂରଣ ଦେବା ସହ ମ୍ୟାଚ୍ ଫି’ ବଢ଼ାଇବାର ନିଷ୍ପତ୍ତି ବି ହୋଇଥିଲା। ୪୦ରୁ ଅଧିକ ରଣଜୀ ମ୍ୟାଚ୍ ଖେଳି ସାରିଥିବା ବରିଷ୍ଠ ଖେଳାଳିଙ୍କ ମ୍ୟାଚ୍ ଫି’କୁ ଦ୍ବିଗୁଣିତ କରି ଦିଆଯାଇଛି।
ଫଳରେ ଏଣିକି ସେମାନେ ଦୈନିକ ୬୦, ୦୦୦ ଏବଂ ଗୋଟିଏ ରଣଜୀ ମ୍ୟାଚ୍ରେ ଅନ୍ୟୂନ ୨.୪୦ ଲକ୍ଷ ଟଙ୍କା ରୋଜଗାର କରିପାରିବେ। ୨୧ରୁ ୪୦ ମ୍ୟାଚ୍ ଖେଳିଥିବା ଖେଳାଳି ଦୈନିକ ୫୦,୦୦୦ ଏବଂ ତାଠାରୁ କମ୍ ଅଭିଜ୍ଞତା ରଖିଥିବା ଖେଳାଳି ଦୈନିକ ୪୦,୦୦୦ ଟଙ୍କା ପାଇବେ। ବିସିସିଆଇର ଏହି ପଦକ୍ଷେପ ପାଇଁ ୧୬ ବର୍ଷରୁ କମ୍ ବୟସ ବର୍ଗଠାରୁ ଆରମ୍ଭ କରି ପାଖାପାଖି ୨୦୦୦ ଘରୋଇ ଖେଳାଳି ଉପକୃତ ହେବେ। ବିସିସିଆଇ ଘୋଷଣା ଅନୁସାରେ ୨୩ ବର୍ଷରୁ କମ୍ ଏବଂ ୧୯ ବର୍ଷରୁ କମ୍ ବୟସ ବର୍ଗ କ୍ରିକେଟରମାନେ ଦୈନିକ ଯଥାକ୍ରମେ ୨୫,୦୦୦ ଓ ୨୦,୦୦୦ ଟଙ୍କା ଲେଖାଏଁ ପାଇବେ। ପୂର୍ବରୁ ଜଣେ ରଣଜୀ ଖେଳାଳି ଦୈନିକ ୩୫,୦୦୦ ଟଙ୍କା ପାଉଥିଲେ। ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ପାଇଁ ଏହି ରାଶି ୧୭,୫୦୦ ଟଙ୍କା ଥିଲା। ମହିଳା କ୍ରିକେଟର୍ଙ୍କ ମ୍ୟାଚ୍ ଫି’କୁ ମଧ୍ୟ ବିସିସିଆଇ ବଢ଼ାଇଛି। ତଦନୁଯୟୀ ଏଣିକି ବରିଷ୍ଠ ମହିଳା କ୍ରିକେଟରମାନେ ଦୈନିକ ୧୨,୫୦୦ ପରିବର୍ତ୍ତେ ୨୦,୦୦୦ ଟଙ୍କା ପାଇବେ। ମ୍ୟାଚ୍ ଫି’ ବଢ଼ାଇବା ନିଷ୍ପତ୍ତି ପୂର୍ବତନ ଭରତୀୟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ, ୟୁଧବୀର ସିଂହ, ସନ୍ତୋଷ ମେନନ୍, ଜୟଦେବ ଶାହ, ଅଭିଷେକ ଡାଲମିଆ, ରୋହନ ଜେଟ୍ଲି ଓ ଦେବଜିତ ସାଇକିଆଙ୍କୁ ନେଇ ଗଠିତ କାର୍ଯ୍ୟକାରୀ ସମିତିର ସୁପାରିସ ଅନୁଯାୟୀ ନିଆଯାଇଛି।
ଖେଳାଳିଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ମାମଲାର ସମାଧାନ ଲାଗି ବିସିସିଆଇ ସୋମବାର ଏକ ସ୍ବତନ୍ତ୍ର କିମିଟି ଗଠନ କରିଛି। ପୂର୍ବରୁ ଏମିତି କୌଣସି ଉତ୍ସର୍ଗୀକୃତ କମିଟି ବିସିସିଆଇ ପାଖରେ ନଥିଲା। ଏହି କମିଟି ମଧ୍ୟ ବୋର୍ଡର ଅଧିକାରୀ, ଆଇପିଏଲ୍ ପରିଚାଳନା ପରିଷଦ ତଥା ଅନ୍ୟ କର୍ମକର୍ତ୍ତାଙ୍କ ବିରୋଧରେ ଆସୁଥିବା ଯୌନ ଶୋଷଣ ଅଭିଯୋଗର ବିଚାର କରିବ। କମିଟିରେ ୪ଜଣ ସଦସ୍ୟ ରହିବେ ଏବଂ ଜଣେ ମହିଳା ଏହାର ଅଧ୍ୟକ୍ଷ ପଦ ଗ୍ରହଣ କରିବେ।
ଟ୍ବେଣ୍ଟି-୨୦ ବିଶ୍ବକପ୍ ପାଇଁ ଇସିବିକୁ ଦେଢ଼ ନିୟୁତ ଡଲାର
ଚଳିତବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପ୍ ଆୟୋଜନ କରିବା ଲାଗି ବିସିସିଆଇ ଏମିରେଟ୍ସ କ୍ରିକେଟ୍ ବୋର୍ଡ (ଇସିବି)କୁ ଦେଢ଼ ନିୟୁତ ଡଲାର ବା ପାଖାପାଖି ୧୧ କୋଟି ଟଙ୍କା ଦେବ। ସୋମବାରର ଆପେକ୍ସ କାଉନସିଲ୍ ବୈଠକ ପରେ ବିସିସିଆଇ ଏହି ସୂଚନା ଦେଇଛି। ମୋଟ ଉପରେ ଇସିବି ପାଖାପାଖି ୫୦ କୋଟି ଟଙ୍କା ପାଇବ। ବିଶ୍ବକପ୍ର କିଛି ମ୍ୟାଚ୍ ଆୟୋଜନ କରୁଥିବା ଓମାନ କ୍ରିକେଟ୍ ବୋର୍ଡ ୪୦୦,୦୦୦ ଡଲାର ବା ୩ କୋଟି ଟଙ୍କା ହାସଲ କରିବ।