ଦଲିପ ଟ୍ରଫି ଫାଇନାଲ୍‌: ଇନ୍ଦ୍ରଜିତ୍‌ଙ୍କ ଶତକ

ପଶ୍ଚିମାଞ୍ଚଳ ୨୭୦; ଦକ୍ଷିଣାଞ୍ଚଳ ୩୧୮/୭

କୋଏମ୍ବାଟୁର:  ବାବା ଇନ୍ଦ୍ରଜିତ୍‌ଙ୍କ ଶତକୀୟ ପାଳି ବଳରେ ଦକ୍ଷିଣାଞ୍ଚଳ ଦଲିପ ଟ୍ରଫି ଫାଇନାଲରେ ପଶ୍ଚିମାଞ୍ଚଳ ବିପକ୍ଷରେ ଅଗ୍ରଣୀ ହାସଲ କରିଛି। ପଶ୍ଚିମାଞ୍ଚଳର ପ୍ରଥମ ପାଳି ସ୍କୋର୍‌ ୨୭୦ ଜବାବରେ ଦ୍ବିତୀୟ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ଦକ୍ଷିଣାଞ୍ଚଳ ୩୧୮/୭ କରିଛି। ହାତରେ ୩ ୱିକେଟ୍‌ ଥାଇ ପ୍ରଥମ ପାଳିରେ ୪୮ ରନ୍‌ର ଅଗ୍ରଣୀ ପାଇଯାଇଛି।

ପ୍ରଥମ ଦିବସରେ ୨୫୦/୮ କରିଥିବା ପଶ୍ଚିମାଞ୍ଚଳ ଗୁରୁବାର ଦ୍ବିତୀୟ ଦିବସରେ ଆଉ ୨୦ ରନ୍ ଯୋଡ଼ି ଅବଶିଷ୍ଟ ୨ ୱିକେଟ୍‌ ହରାଇଥିଲା। ଜୟଦେବ ଉନାଦ୍‌କତ୍‌ ୪୩ ରନ୍‌ରେ ଅପରାଜିତ ରହିଥିଲା ବେଳେ ସାଇ କିଶୋର ୫ ୱିକେଟ୍‌ ସଫଳତା ହାତେଇଥିଲେ। ତାଙ୍କ ବ୍ୟତୀତ ବସିଲ ଥମ୍ପି ଓ ଚିପୁରାପଲି ଷ୍ଟିଫେନ ୨-୨ ଏବଂ କୃଷ୍ଣାପା ଗୌତମ ଗୋଟିଏ ୱିକେଟ୍‌ ନେଇଥିଲେ। ଜବାବରେ ବାବା ଇନ୍ଦ୍ରଜିତ (୧୧୮ ରନ୍‌, ୧୨୫ ବଲ୍‌, ୧୪ ‌ଚୌକା)ଙ୍କ ଶତକ ସାଙ୍ଗକୁ ମନୀଷ ପାଣ୍ଡେ (୪୮), କୃଷ୍ଣାପ୍ପା ଗୌତମ (୪୩), ଓପ୍‌ନର ରୋହନ କୁନୁମାଲ (୩୧), ରବି ତେଜା (୨୬*) ଓ ହନୁମା ବିହାରୀ (୨୫)ଙ୍କ ଉପଯୋଗୀ ପାଳି ବଳରେ ଦକ୍ଷିଣାଞ୍ଚଳ ସ୍ଥିତି ଦୃଢ଼ କରିନେଇଥିଲା। ଇନ୍ଦ୍ରଜିତ୍‌ ଓ ପାଣ୍ଡେ ଚତୁର୍ଥ ୱିକେଟ୍‌ରେ ୧୦୫ ରନ୍ ଯୋଡ଼ିଥିଲେ। ପଶ୍ଚିମାଞ୍ଚଳ ପକ୍ଷରୁ ଜୟଦେବ ଉନାଦ୍‌କତ୍‌ ଓ ଅତୀତ ସେଠ୍‌ ୩-୩ ୱିକେଟ୍‌ ପାଇଥିଲା ବେଳେ ତନୁଷ କୋଟିୟାଁ ଗୋଟିଏ ୱିକେଟ୍‌ ପାଇଛନ୍ତି।

ସମ୍ବନ୍ଧିତ ଖବର