ଅତିରିକ୍ତ ୩୦ ଓଭର ଫରକ ପକାଇବ

ସୁନୀଲ ଗାଭାସ୍କର

ଟେ୍ଵଣ୍ଟି-୨୦ରେ ଉଭୟ ଦଳ ନିଜ ଶକ୍ତି ଓ ଦୁର୍ବଳତାର ଝଲକ ଦେଖାଇଲା ପରେ ଦିନିକିଆ ଲଢ଼େଇ ପହଞ୍ଚି ଯାଇଛି। ଏଥିରେ ଅତିରିକ୍ତ ୩୦ ଓଭରର ଖେଳ ହିଁ ବଡ଼ ପାର୍ଥକ୍ୟ ହେବ। କାରଣ ଦିନିକିଆରେ ବ୍ୟାଟିଂ ହେଉ କି ବୋଲିଂ କଠିନ ସମୟରୁ ମୁକୁଳି ଆସିବା ପାଇଁ ପର୍ଯ୍ୟାପ୍ତ ସମୟ ମିଳିବ। ଇଂଲଣ୍ଡ ନିକଟରେ ଅଷ୍ଟ୍ରେଲିଆକୁ ମୂଳପୋଛ କରିଛି। ଅଷ୍ଟ୍ରେଲିଆର ଅବଶ୍ୟ ଏହା ଶ୍ରେଷ୍ଠ ଦଳ ନଥିଲା। ବିଶେଷ କରି ବୋଲିଂ ବିଭାଗରେ ସେମାନେ ଟିକିଏ ଦୁର୍ବଳ ଥିଲେ। ତଥାପି ଶେଷ ଦିନିକିଆରେ ଜୋସ୍‌ ବଟଲର ନିଜ ଶେଷ ଦୁଇ ବ୍ୟାଟ୍ସମ୍ୟାନଙ୍କ ସହ ମିଶି ଯେଭଳି ଭାବେ ୯୦ ରୁ ଅଧିକ ରନ୍‌ କରି ଇଂଲଣ୍ଡକୁ ଜିତାଇଲେ ତାହା ଇଂଲିସ୍‌ ଦଳର ପ୍ରତିବଦ୍ଧତାକୁ ଦର୍ଶାଉଛି। ଅତୀତରେ ଏଭଳି ସ୍ଥିତିରେ ଥାଇ ଇଂଲଣ୍ଡ କିଛି ସମୟ ପରେ ହାର ମାନି ନେଉଥିଲା। ଏଥର କିନ୍ତୁ ଇଅନ ମୋର୍ଗାନଙ୍କ ନେତୃତ୍ୱରେ ଇଂଲଣ୍ଡ ସହଜରେ ହାତ ନଟେକିବାର ସଙ୍କଳ୍ପ ନେଇ ପଡ଼ିଆକୁ ଓହ୍ଲାଇଥିଲା। ସେମାନଙ୍କ ପାଖରେ ଭଲ ବ୍ୟାଟ୍ସମ୍ୟାନ୍‌ ଅଛନ୍ତି। କ୍ଷେତ୍ର ରକ୍ଷଣ ମଧ୍ୟ ବିଶ୍ୱ ସ୍ତରୀୟ। ବୋଲିଂ ସନ୍ତୁଳନ ନେଇ ଯାହା କିଛିଟା ଦ୍ୱନ୍ଦ୍ୱ ରହିଛି। କ୍ରିକେଟ୍‌ର ଏହି ଫର୍ମାଟରେ ସବୁ ପ୍ରଶିକ୍ଷକ ଓ ଅଧିନାୟକ ଊଣା ଅଧିକେ ଏହି ଦ୍ୱନ୍ଦ୍ୱରେ ଥାଆନ୍ତି। ଭାରତ ମଧ୍ୟ ଉଭୟ ଚହଲ ଏବଂ କୁଲଦୀପଙ୍କୁ ଦଳରେ ନେବ କିମ୍ବା କେବଳ ଜଣେ ସ୍ପିନର୍‌ ନେଇ ପଡ଼ିଆକୁ ଓହ୍ଲାଇବ ସେହି ଦ୍ୱନ୍ଦ୍ୱରେ ଥିବ। ପାଗ ଖରାଟିଆ ରହିଲେ ସ୍ପିନର ଶୁଖିଲା ପିଚ୍‌ରେ ବଲକୁ ଅଧିକ ଘୂରାଇ ପାରିବେ। ବ୍ୟାଟିଂରେ ଶିଖର ଧାଓ୍ଵନଙ୍କ ଫର୍ମ ଚିନ୍ତାର କାରଣ ହୋଇପାରେ। ଟେ୍ଵଣ୍ଟି-୨୦ରେ ସେ ପୂରା ବିଫଳ ହେଲେ। ହେଲେ ୫୦ ଓଭରରେ ନିଜ ପୁରୁଣା ରୂପ ଦେଖାଇବେ ବୋଲି ମୋର ବିଶ୍ୱାସ। ରୋହିତଙ୍କ ଶତକ ତାଙ୍କ ମନୋବଳକୁ ଯଥେଷ୍ଟ ବଢ଼ାଇ ଦେଇଥିବ। କୋହଲି ଏବଂ ରାହୁଲ ମଧ୍ୟ ଭଲ ଖେଳୁଛନ୍ତି। ସେଥିପାଇଁ ଧୋନି ଏବଂ ପାଣ୍ଡ୍ୟାଙ୍କ ପାଇଁ ଅଧିକ ଓଭର ଖେଳିବାର ସୁଯୋଗ ରହି ନପାରେ। ବୁମରାଙ୍କ ଅନୁପସ୍ଥିତି କିନ୍ତୁ ଭାରତ ଅନୁଭବ କରିବ। ଉଭୟ ନୂଆ ବଲ୍‌ରେ ଭୁବନେଶ୍ୱର କୁମାର ଓ ତାଙ୍କ ଯୋଡ଼ି ଇଂଲଣ୍ଡ ପାଇଁ ଘାତକ ସାବ୍ୟସ୍ତ ହୋଇ ଥାଆନ୍ତେ। ପାଣ୍ଡ୍ୟା ବ୍ରିଷ୍ଟଲରେ ଚାରି ଓ୍ଵିକେଟ୍‌ ନେଇ ଇଂଲଣ୍ଡର ଗତି ଓ ଲୟକୁ ପୂରା ବିଗାଡ଼ି ଦେଇଥିଲେ। ଦିନିକିଆରେ ବଲ୍‌ ସହ ବ୍ୟାଟ୍‌ରେ ତାଙ୍କ ଭୂମିକା ଢେର ଗୁରୁତ୍ୱ ବହନ କରିବ। ତେବେ ଧାରା ଭାରତ ସପକ୍ଷରେ ଅଛି। ଘରୋଇ ଇଂଲଣ୍ଡ ବି ଭଲ ଫର୍ମରେ ଅଛି। ଏଣୁ କିଏ ଶିଖର ଛୁଇଁବ ତାହା ଅନୁମାନ ଲଗାଇବା କଷ୍ଟକର। ହେଲେ ଯେ ପର୍ଯ୍ୟନ୍ତ ମ୍ୟାଚ୍‌ ଶେଷ ଓଭରର ଶେଷ ହେଉଥିବ ପ୍ରଶଂସକମାନେ ସେ ପର୍ଯ୍ୟନ୍ତ କୌଣସି ଅଭିଯୋଗ କରିବେ ନାହିଁ। (ପିଏମଜି/ଇଏସ୍‌ପି)

ସମ୍ବନ୍ଧିତ ଖବର