ଭାବପୂର୍ଣ୍ଣ ପରିବେଶରେ ଟାଇଗର୍ ଉଡ୍ସଙ୍କୁ ରାଷ୍ଟ୍ରପତି ପଦକ

ୱାଶିଂଟନ୍: ନିଜ ଜାଜୁଲ୍ୟମାନ କ୍ରୀଡ଼ା ଜୀବନରେ ରାଜନୀତିଠାରୁ ଦୂରେଇ ରହିଥିବା କିମ୍ବଦନ୍ତୀ ଗଲ୍‌ଫର ଟାଇଗର୍‌ ଉଡ୍ସ ସୋମବାର ଦେଶର ସର୍ବବୃହତ ରାଜନୈତିକ ମଇଦାନ ହ୍ବାଇଟ୍ ହାଉସ୍‌ରେ ପାଦ ଥାପିଥିଲେ। ଏକ ଭାବପୂର୍ଣ୍ଣ ପରିବେଶ ଭିତରେ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କଠାରୁ ଫ୍ରିଡମ୍‌ ପଦକ ଗ୍ରହଣ କରିଥିଲେ। ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପ୍ରେସିଡେନସିଆଲ୍ ମେଡାଲ୍ ଅଫ୍‌ ଫ୍ରିଡମ୍‌’ ଗ୍ରହଣ କରିଥିଲେ ୪୩ ବର୍ଷୀୟ ଟାଇଗର୍‌ ଉଡ୍ସ। ଗତ ମାସରେ ପଞ୍ଚମ ଥର ପାଇଁ ମାଷ୍ଟର୍ସ ଟ୍ରଫି ଜିତିବା ପରେ ଟାଇଗର୍‌ ଉଡ୍ସଙ୍କୁ ତାଙ୍କ ସାଥୀ ଗଲଫର୍ ତଥା ବ୍ୟବସାୟିକ ଭାଗୀଦାର ଟ୍ରମ୍ପ୍‌ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ।
କୃଷ୍ଣକାୟ ଏନ୍‌ବିଏ ଖେଳାଳି ଏବଂ ଆମେରିକୀୟ ଫୁଟବଲ୍‌ ଖେଳାଳିଙ୍କ ସହ ତିକ୍ତ ସମ୍ପର୍କ ରଖିଥିଲେ ମଧ୍ୟ ରିପବ୍ଲିକାନ୍ ରାଷ୍ଟ୍ରପତି ଟ୍ରମ୍ପ୍‌ କେବେ ଖୋଲାଖୋଲି କିଛି କୁହନ୍ତି ନାହିଁ। କୃଷ୍ଣକାୟ ପିତା ଏବଂ ଥାଇ ବଂଶୋଦ୍ଭବ ମା’ଙ୍କ ଔରସରୁ ଜନ୍ମିତ ଟାଇଗର୍‌ ଗତ ମାସରେ ନିଜ ମାଷ୍ଟର୍ସ ବିଜୟ ପରେ ଟ୍ରମ୍ପ୍ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ‘ଉଲ୍ଲେଖନୀୟ ସଫଳତା ସହିତ କ୍ରୀଡ଼ା (ଗଲ୍‌ଫ) ଏବଂ ଜୀବନରେ ଚମତ୍କାର ପ୍ରତ୍ୟାବର୍ତନ କରିଥିବାରୁ ଟାଇଗର୍ ଉଡ୍ସଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଛି ବୋଲି ଟ୍ରମ୍ପ୍‌ ଟ୍ବିଟ୍ କରିଥିଲେ। ସୂଚନାଯୋଗ୍ୟ, ଟ୍ରମ୍ପ୍ ଏବଂ ଟାଇଗର୍ ଏକାଠି ବହୁବାର ଗଲ୍‌ଫ ଖେଳିଛନ୍ତି। ଟ୍ରମ୍ପ୍‌ ମଧ୍ୟ ବହୁ ଗଲ୍‌ଫ କୋର୍ସର ମାଲିକ ଅଛନ୍ତି। ୧୯୬୩ ମସିହାରେ ଜନ୍‌ ଏଫ୍ କେନେଡିଙ୍କ ଦ୍ବାରା ପ୍ରଚଳିତ ଏହି ପୁରସ୍କାରକୁ ଏ ପର୍ଯ୍ୟନ୍ତ ପ୍ରାୟ ୩ ଡଜନ କ୍ରୀଡ଼ାବିତ୍ ପାଇ ସାରିଛନ୍ତି।
ଅନେକ ଘାତ ପ୍ରତିଘାତ ଏବଂ ବିବାଦୀୟ ପାରିବାରିକ ଜୀବନ ଦେଇ ଗତି କରିଥିବା ଟାଇଗର୍‌ ଉଡ୍‌ସ କିନ୍ତୁ ୧୧ ବର୍ଷ ପରେ ଅଗଷ୍ଟା ମୁକୁଟ ଜିତି ଆଉ ଏକ ମାଷ୍ଟର୍ ଟ୍ରଫି ହା‌ତେଇଥିଲେ। ସୋମବାର ହ୍ବାଇଟ୍ ହାଉସ୍‌ର ରୋଜ୍ ଗାର୍ଡେନରେ ପୁରସ୍କାର ପ୍ରଦାନ ଅବସରରେ ଟ୍ରମ୍ପ୍‌ କହିଥିଲେ ‘ତୁମେ ବହୁ ଭଲ, ଖରାପ ଏବଂ ଉତ୍‌ଥାନ ପତନ ଦେଇ ଗତି କରିଛ। ତୁମ ବିନା ମୁଁ ବି ଆଜି ଏହି ସ୍ଥିତିରେ ପହଞ୍ଚି ପାରିନଥାନ୍ତି’। ଏହି ଅବସରରେ ଭାବବିହ୍ବଳ ଟାଇଗର୍ ଉଡ୍‌ସ ନିଜ ୨୨ ବର୍ଷ ତଳର ପ୍ରଥମ ମାଷ୍ଟର୍ସ ବିଜୟ ସ୍ମୃତି ରୋମନ୍ଥନ କରିଥିଲେ। ୧୯୯୭ ମସିହାରେ ମାତ୍ର ୨୧ ବର୍ଷ ବୟସରେ ଅଗଷ୍ଟା ବିଜୟ ବେଳେ ମୋ ସାଥୀରେ ଡାଡ୍‌ ଓ ମମ୍‌ ଥିଲେ। ଏବେ ମୋ ସାଥୀରେ କେବଳ ମମ୍‌ ଅଛନ୍ତି। ‘ଆଇ ଲଭ୍‌ ୟୁ ମମ୍‌’ ବୋଲି ଟାଇଗର୍ କହିଥିଲେ। ଦୁଇ ସନ୍ତାନ ଏବଂ ବାଂଧବୀ ଏରିକା ହର୍ମାନଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଥିଲେ। ନିଜ ଖେଳ ଜୀବନରେ ୧୫ ଥର ପ୍ରମୁଖ ଟ୍ରଫି ଜିତିଥିବା ଟାଇଗର୍ ଏଥି ସହିତ ବିରଳ ଗଲ୍‌ଫରଙ୍କ କ୍ଲବ୍‌ରେ ସାମିଲ ହୋଇଛନ୍ତି। ପୂର୍ବରୁ ଏହି ଖେଳରୁ ଆର୍ନୋଲ୍ଡ ପାମର୍‌, ଚାର୍ଲି ସିଫର୍ଡ ଏବଂ ଜ୍ୟାକ୍ ନିକଲସ ଫ୍ରିଡମ୍ ପଦକ ଜିତିଥିଲେ।

ସମ୍ବନ୍ଧିତ ଖବର