ଇଂଲଣ୍ଡ ଟେ‌ଷ୍ଟ୍‌ ଶୃଙ୍ଖଳା: ଭାରତକୁ ‌ମିଳିଲା ଅଭ୍ୟାସ ମ୍ୟାଚ୍‌

ଲଣ୍ଡନ : ନ୍ୟୁଜିଲାଣ୍ଡ୍‌ ବିପକ୍ଷ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ସ ମ୍ୟାଚ୍‌ ଖେଳିବା ପରେ ବିରାଟ କେହଲିଙ୍କ ନେତୃତ୍ବାଧୀନ ଭାରତୀୟ କ୍ରିକେଟ୍‌ ଦଳ ଆସନ୍ତା ମାସରେ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ଖେଳିବାକୁ ସେଠାରେ ରହିଛି। ଉଭୟ ଡବ୍ଲୁଟିସି ଫାଇନାଲ୍‌ସ ଏବଂ ଇଂଲଣ୍ଡ ବିପକ୍ଷ ଶୃଙ୍ଖଳା ମଧ୍ୟରେ ପ୍ରାୟ ଦେଢ଼ ମାସର ବିରତି ରହିଛି। ଅଧିକ ମ୍ୟାଚ୍‌ ଅଭ୍ୟାସର ଅଭାବ ଯୋଗୁଁ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଡବ୍ଲୁଟିସି ଫାଇନାଲ୍‌ରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ପୁଣି ଇଂଲଣ୍ଡ ବିପକ୍ଷ ଶୃଙ୍ଖଳା ପୂର୍ବରୁ କୌଣସି ଅଭ୍ୟାସ ମ୍ୟାଚ୍‌ର ସୂଚୀ ନଥିଲା। ସେଥିପାଇଁ ଭାରତୀୟ କ୍ରିକେଟ୍‌ ବୋର୍ଡ ଅଭ୍ୟାସ ମ୍ୟାଚ୍‌ ବ୍ୟବସ୍ଥା କରିବାକୁ ଇଂଲଣ୍ଡ ଆଣ୍ଡ୍‌ ୱେଲ୍‌ସ କ୍ରିକେଟ୍‌ ବୋର୍ଡ (ଇସିବି)କୁ ଅନୁରୋଧ କରିଥିଲା। ଦୁଇଟି ନହେଲେ ଅତି କମ୍‌ରେ ଗୋଟିଏ ଅଭ୍ୟାସ ମ୍ୟାଚ୍‌ ଆୟୋଜନ ପାଇଁ ବିସିସିଆଇ ଅନୁରୋଧ କରିଥିଲା। କରୋନା ମାର୍ଗଦର୍ଶିକା ଓ କଟକଣା ଯୋଗୁଁ ପ୍ରଥମେ ଇସିବି ରାଜି ନଥିଲା ବେଳେ ଏବେ କିନ୍ତୁ ବିସିସିଆଇ ଅନୁରୋଧକୁ ଗ୍ରହଣ କରିଛି। ଏନେଇ ସଂପାଦକ ଜୟ ଶାହା ସିଧାସଳଖ ଫୋନ୍‌ ଜରିଆରେ ଇସିବି ଅଧ୍ୟକ୍ଷ ଲାନ୍‌ ହ୍ବାଟ୍‌ମୋର୍‌ ଏବଂ ସିଇଓ ଟମ୍‌ ହାରିସ୍‌ଙ୍କ ସହ କଥା ହେବାପରେ ବିସିସିଆଇ ସ୍ପଷ୍ଟ କରିଛି। ଫଳରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳା ପୂର୍ବରୁ ଭାରତୀୟ ଦଳକୁ ଅଭ୍ୟାସ ମ୍ୟାଚ୍‌ ଖେଳିବାର ସୁଯୋଗ ମିଳିଛି। ଚଳିତ ମାସ ତୃତୀୟ ସପ୍ତାହରେ ଡର୍‌ହାମ୍‌ରେ ଏହି ଅଭ୍ୟାସ ମ୍ୟାଚ୍‌ ଖେଳାଯିବ ଯାହାକି ଭାରତୀୟ ଦଳକୁ ପ୍ରସ୍ତୁତି ପାଇଁ ସହାୟକ ହେବ ବୋଲି କୁହାଯାଉଛି।

ଆମେ ବିସିସିଆଇର ଅନୁରୋଧକୁ ସମ୍ମାନ ଜଣାଉଛୁ। ଭାରତୀୟ ଦଳର ପ୍ରସ୍ତୁତି ପାଇଁ ଏକ କାଉଣ୍ଟି ସିଲେକ୍ଟ ଏକାଦଶ (ଯାହାକି ପୂର୍ବରୁ କମ୍ବାଇନ୍‌ଡ କାଉଣ୍ଟି ଭାବେ ପରିଚିତ ଥିଲା) ସହ ତିନିଦିନିଆ ଅଭ୍ୟାସ ମ୍ୟାଚ୍‌ର ବ୍ୟବସ୍ଥା କରିଛୁ। ପ୍ରାଥମିକ ଭାବେ ଜୁଲାଇ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି ମ୍ୟାଚ୍‌ ଖେଳାଯିବା ପାଇଁ ସ୍ଥିର ହୋଇଛି। ତେବେ କରୋନା ମାର୍ଗଦର୍ଶିକାକୁ ଅନୁସରଣ କରି କିଛି ପରିବର୍ତନ ହେଲେ ସ୍ପଷ୍ଟ କରିବୁ ବୋଲି ଇସିବି କହିଛି। ଏବେ ବିରତିରେ ଥିବା ଭାରତୀୟ ଦଳ ଚଳିତ ମାସ ୧୪ ତାରିଖରେ ଡର୍‌ହାମ୍‌ରେ ଏକତ୍ରିତ ହେବ। ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ସେଠାର ଏମିରେଟ୍‌ସ ରିଭରସାଇଡ୍‌ ଷ୍ଟାଡିୟମ୍‌ରେ ଶିବିର କରିବେ ଏବଂ ଏହାପରେ ଅଗଷ୍ଟ ୪ରୁ ଟ୍ରେଣ୍ଟ୍‌ ବ୍ରିଜ୍‌ରେ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ୍‌ ଖେଳିବା ପାଇଁ ନଟିଂହାମ୍‌ ଯାତ୍ରା କରିବେ।

ସମ୍ବନ୍ଧିତ ଖବର