ୟୁରୋପୀୟ ପ୍ରଶିକ୍ଷକଙ୍କ ପରୀକ୍ଷା

ଆଇଏସଏଲ୍‌ ଲଢ଼େଇ, ଆଉ ୨ ଦିନ

ଭୁବନେଶ୍ୱର,: ରବିବାର କଳିଙ୍ଗ ଷ୍ଟାଡିୟମରେ ଖେଳା ଯିବାକୁ ଥିବା ଆଇଏସ୍‌ଏଲ୍‌ ମ୍ୟାଚ୍‌ରେ ଜାମସେଦପୁର ଏଫ୍‌ସି ଏବଂ ବେଙ୍ଗାଲୁରୁ ଏଫ୍‌ସି ମୁହାଁମୁହିଁ ହେବେ। ତେବେ ଏହି ମ୍ୟାଚ୍‌ରେ ପ୍ରତ୍ୟକ୍ଷ ଭାବେ ୟୁରୋପୀୟ ରଣନୀତିର ପରୀକ୍ଷା ହେବ। ଉଭୟ ଜାମ୍‌ସେଦ୍‌ପୁର ଏବଂ ବେଙ୍ଗାଲୁରୁ ଦଳର ପ୍ରଶିକ୍ଷକ ୟୁରୋପୀୟ ହୋଇଥିବାରୁ ପରସ୍ପର ବିପକ୍ଷରେ ସେମାନେ କେଉଁ ରଣନୀତି ଅପଣାଇବେ ତାହା ଦେଖିବାର ବିଷୟ ହେବ। ଇଂଲିସ୍‌ ପ୍ରଶିକ୍ଷକ ଷ୍ଟିଭ୍‌ ପୋଲେଲ ଜାମ୍‌ସେଦ୍‌ପୁରର ରଣନୀତି ପ୍ରସ୍ତୁତ କରିବେ। ସେପଟେ ବେଙ୍ଗାଲୁରୁ ପ୍ରଶିକ୍ଷକ ଆଲବର୍ଟ ରୋକା ନୂଆ ଚାଲରେ ତାଙ୍କୁ ମାତ୍‌ ଦେବା ଲକ୍ଷ୍ୟରେ ରହିବେ। ବେଙ୍ଗାଲୁରୁରେ ଡିସେମ୍ବର ୨୧ ତାରିଖରେ ଦୁଇ ଦଳ ଖେଳିଥିବା ପ୍ରଥମ ମୁକାବିଲାରେ କିନ୍ତୁ ରୋକାଙ୍କ ଉପରେ ପୋଲେଲ ଭାରି ପଡ଼ିଥିଲେ। ସେହି ମ୍ୟାଚ୍‌ରେ ଦକ୍ଷ ରକ୍ଷଣଭାଗ ବଳରେ ପୋଲେଲ ରୋକାଙ୍କ ଆକ୍ରମଣକୁ ପ୍ରତିହତ କରିଥିଲେ। କଳିଙ୍ଗରେ କିନ୍ତୁ ଏହି ସ୍ଥିତି ବଦଳିବାର ଯଥେଷ୍ଟ ସମ୍ଭାବନା ରହିଛି। ସେମିଫାଇନାଲ୍‌ ପ୍ରବେଶ ଦୃଷ୍ଟିରୁ ଜାମ୍‌ସେଦ୍‌ପୁର ପାଇଁ ଏହି ମ୍ୟାଚ୍‌ ଜିତିବା ଏକାନ୍ତ ଅପରିହାର୍ଯ୍ୟ। ସେଥିପାଇଁ ପୋଲେଲ କଳିଙ୍ଗ ଷ୍ଟାଡିୟମରେ ଆକ୍ରମଣକୁ ଅସ୍ତ୍ର କରି ପାରନ୍ତି। ଏହା ହେଲେ ରୋକାଙ୍କୁ ତାଙ୍କ ରକ୍ଷଣଭାଗ ସଜାଡିବାକୁ ପଡ଼ିବ। ଉଭୟ ଆକ୍ରମଣ ପନ୍ଥା ଆପଣାଇଲେ କିନ୍ତୁ ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର